
ଭୁବନେଶ୍ବର ; ରାଜ୍ୟ ଜଳ ସମ୍ପଦ, ସୂଚନା ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ସଂଧ୍ୟାରେ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟଠାରେ ବିଭିନ୍ନ ନଦୀର ଜଳ ପ୍ରବାହ , ବିପଦ ସଂକୁଳ ସ୍ତର ଓ ବନ୍ୟା ସ୍ଥିତି ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସହିତ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ମନ୍ତ୍ରୀ ଶ୍ରୀ ଦାସ କଟକ ଗସ୍ତ କରି ଲୋୟର ମହାନଦୀ ବେସିନ୍ର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀଙ୍କ ସହିତ ଯୋବ୍ରାଠାରେ ମହାନଦୀ ବ୍ୟାରେଜ୍ ଓ ପରେ ପରେ ବିରୂପା ନଦୀ ବ୍ୟାରେଜ୍ ପରିଦର୍ଶନ କରି ବ୍ୟାରେଜ୍ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଜଳ ସଂପଦ ବିଭାଗ ପୂର୍ବ ମଣ୍ଡଳର ଅଧ୍ୟକ୍ଷଣ ଯନ୍ତ୍ରୀ କହିଲେ ଯେ, ମହାନଦୀର ଯୋବ୍ରାଠାରେ ୯୫ଟି ଗେଟ୍ ରହିଛି । ୭୯ଟି ହେଉଛି ସ୍ପିଲ ୱେ ଗେଟ୍ ଓ ଅବଶିଷ୍ଟ ସ୍କୁଇସ୍ ଗେଟ୍ ।
ବର୍ତ୍ତମାନ ଏ ସବୁଗେରେ ଜଳ ପ୍ରବାହିତ ହେଉଛି । ବିରୂପାଠାରେ ୧୨ଟି ସ୍ପିଲ ୱେ ଗେଟ୍ ରହିଛି ଏବଂ ଏଠାରେ ୩ଟି ସ୍କୁଇସ୍ ଗେଟ୍ ରହିଛି ଓ ଏଥିରେ ମଧ୍ୟ ଉପରୋକ୍ତ ମତେ ଜଳ ପ୍ରବାହିତ ହେଉଛି । ବର୍ତମାନ ସ୍ଥିତିରେ ମହାନଦୀ ଓ ବିରୂପାରେ ଅଧିକ ଜଳ ପ୍ରବାହିତ ହେବାକୁ ଥିବାରୁ ଏବଂ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ଦାସ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସମ୍ପୃକ୍ତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ମଧ୍ୟ ନଦୀ ବନ୍ଧଗୁଡିକରେ ଘଳିଆକାଯ୍ୟ କରିବାକୁ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ବ୍ୟାପକ ନଦୀବନ୍ଧ ପରିଦର୍ଶନ ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ବନ୍ୟା ସ୍ଥିତିରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ, ଜନ ସାଧାରଣଙ୍କ ଅଭିଯୋଗ ତୁରନ୍ତ ଶୁଣି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଳ ସମ୍ପଦ ବିଭାଗୀୟ କାର୍ଯ୍ୟାଳୟରେ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟଗୁଡିକରେ ନିଶ୍ଚିତ ଭାବେ ଉପସ୍ଥିତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Post a Comment