ନୁଆଦିଲ୍ଲୀ ; କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ଆଇସିଏମଆର ମୁଖ୍ୟାଳୟ ଗସ୍ତ କରିଥିଲେ ଏବଂ ସେଠାରେ ଏକ ଟାଇମଲାଇନ ଉନ୍ମୋଚନ କରିଥିଲେ। ଏଥିରେ ଆଇସିଏମଆରର ଐତିହାସିକ ଉପଲବ୍ଧି ଲିପିବଦ୍ଧ ହୋଇ ରହିଛି। ଡ. ହର୍ଷବର୍ଦ୍ଧନ ଏହି ଅବସରରେ ଆଇସିଏମଆରର ମୋବାଇଲ ଷ୍ଟ୍ରୋକ ୟୁନିଟ ଏବଂ କୋଭିଡ ଟୀକା ଓ କ୍ଲିନିକାଲ ରେଜିଷ୍ଟ୍ରୀ ପୋର୍ଟାଲକୁ ଉଦଘାଟନ କରିଥିଲେ ଯାହାକୁ ଆଇସିଏମଆର ପରିଚାଳନା କରୁଛି। ଏହି ଅବସରରେ ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ, ଆଇସିଏମଆର-ଏନଆଇଏନ ନିର୍ଦ୍ଦେଶକ ଡ. ଆର. ହେମଲତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଡ. ହର୍ଷ ବର୍ଦ୍ଧନ ଆଇସିଏମଆରର ହିଷ୍ଟ୍ରୀ ଟାଇମଲାଇନ ଉନ୍ମୋଚନ କରିଥିଲେ। ଏଥିରେ ଭାରତର ଏହି ପ୍ରମୁଖ ଗବେଷଣା ପରିଷଦର 108 ବର୍ଷର ଜୟଯାତ୍ରା ଲିପିବଦ୍ଧ ହୋଇ ରହିଛି ।
1911 ମସିହାରେ ଇଣ୍ଡିଆନ ରିସର୍ଚ୍ଚ ଫଣ୍ଡ ଆସୋସିଏସନ (ଆଇଆରଏଫଏ) ନାମରେ ଏହି ସଂସ୍ଥା ଆରମ୍ଭ ହୋଇଥିଲା। ଏହି ଟାଇମଲାଇନରେ ଆଇସିଏମଆରର ନୀତି ଓ କାର୍ଯ୍ୟକ୍ରମ ହସ୍ତକ୍ଷେପ, ରୋଗ ନିୟନ୍ତ୍ରଣ ପାଇଁ ଏହାର ସଂସ୍ଥାନ ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଏଚଆଇଭି, କର୍କଟ ଏବଂ ପୁଷ୍ଟିସାଧନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ କାର୍ଯ୍ୟ ସ୍ଥାନ ପାଇଛି। ଆଇସିଏମଆରର ହିଷ୍ଟ୍ରୀ ଟାଇମଲାଇନ ଉନ୍ମୋଚନରେ ସନ୍ତୋଷ ପ୍ରକାଶ କରି ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଆଇସିଏମଆର ସବୁବେଳେ ବାୟୋମେଡ଼ିକାଲ ଗବେଷଣା କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଦେଶରେ ଦେଖାଦେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ପ୍ରୟାସ କରି ଆସିଛି। ସେ କହିଥିଲେ ଯେ ଆଇସିଏମଆରର ଗୌରବଶାଳୀ ଇତିହାସକୁ ସମ୍ବେଦନଶୀଳ ଢଙ୍ଗରେ ପ୍ରଦର୍ଶିତ କରୁଥିବା ଏହି ମୁହୂର୍ତ୍ତ ସୁବଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଡ. ହର୍ଷ ବର୍ଦ୍ଧନ ଆହୁରି କହିଥିଲେ ଯେ ଦେଶରେ ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଆଇସିଏମଆର ସବୁବେଳେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି। ବର୍ତ୍ତମାନ ବୈଜ୍ଞାନିକ ପଦକ୍ଷେପ ଏବଂ ଉଦ୍ଭାବନ ଜରିଆରେ ଦେଶରେ ଦେଖାଦେଇଥିବା ଅପ୍ରତ୍ୟାଶିତ ମହାମାରୀ ମୁକାବିଲା କରୁଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏକ ମୋବାଇଲ ଷ୍ଟ୍ରୋକ ୟୁନିଟର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପରେ ଲୋକମାନେ ପ୍ରାଣ ହରାଇବା ଦୁର୍ଭାଗ୍ୟଜନକ। ସଠିକ ସମୟରେ ଚିକିତ୍ସା ମୃତ୍ୟୁହାର ରୋକିପାରିବ ଏବଂ ଅକ୍ଷମତା ଦୂର କରିପାରିବ। ଆସାମରେ ଅଧିକ ସଂଖ୍ୟକ ଷ୍ଟ୍ରୋକ ରୋଗୀ ଏବଂ ଉପଯୁକ୍ତ ଚିକିତ୍ସା ଅଭାବ ଭଳି ସମସ୍ୟାକୁ ଏକ ପ୍ରୟାସ ମାଧ୍ୟମରେ ସମାଧାନ କରାଯାଇପାରିବ। ଏହି ମୋବାଇଲ ୟୁନିଟ, ଟେଲି-ପରାମର୍ଶ ମାଧ୍ୟମରେ ସଠିକ ସମୟରେ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଇପାରିବ। କୋଭିଡ କାରଣରୁ ସମ୍ବଳର ଅଭାବ ଥିଲେ ମଧ୍ୟ ସମର୍ପିତ ଭାବେ ଜନସାଧାରଣଙ୍କ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏକ ଟୀକା ପୋର୍ଟାଲ ଓ କୋଭିଡ କ୍ଲିନିକାଲ ରେଜିଷ୍ଟ୍ରି ପୋର୍ଟାଲର ଶୁଭାରମ୍ଭ କରିଥିଲେ। ସେ ଟୀକା ବିକାଶର ସ୍ଥିତି ସମ୍ପର୍କରେ ବିସ୍ତୃତ ଓ ପାରଦର୍ଶୀ ସୂଚନା ପ୍ରଦାନ କରାଯିବା ଉପରେ ଜୋର ଦେଇଥିଲେ।
ସେ କହିଥିଲେ ଯେ ଏହି ପୋର୍ଟାଲ ମାଧ୍ୟମରେ ଟୀକା ବିକାଶ, କ୍ଲିନିକାଲ ପରୀକ୍ଷଣ ଏବଂ ଦେଶ ତଥା ବିଦେଶରେ ଏ ଦିଗରେ ହେଉଥିବା ଅଗ୍ରଗତି ସମ୍ପର୍କରେ ଜରୁରି ଏବଂ ଗୁରୁତ୍ବପୂର୍ଣ୍ଣ ସୂଚନା ନିୟମିତ ବ୍ୟବଧାନରେ ଉପଲବ୍ଧ ହୋଇପାରିବ। ଆଜି କୋଭିଡ ସମୟରେ ଟୀକା ବିକାଶ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ଦେଶରେ ଟୀକା ବିକାଶର ସ୍ଥିତି ସମ୍ପର୍କରେ ସୂଚନା ଦେବା ଜରୁରି ହୋଇ ପଡ଼ିଛି। ଭାରତର କୋଭିଡ-19 ମୁକାବିଲା ସମ୍ପର୍କରେ ସୂଚନା ଦେଇ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଦେଶରେ ଲଗାତାର ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବା କୋଭିଭ19 କୁ ପ୍ରତିହତ କରିବାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ଗ୍ରହଣ କରିଥିବା ରଣନୀତିର ସଫଳତାକୁ ପ୍ରମାଣିତ କରିଛି। ଆଜି ଦେଶରେ ପରୀକ୍ଷାଗାର ସଂଖ୍ୟା 1ରୁ 1800ରେ ପହଞ୍ଚିଛି, ଆମେ ଆମର ସାମର୍ଥ୍ୟ ବିକାଶରେ ଦୀର୍ଘ ପଥ ଅତିକ୍ରମ କରିଆସିଛୁ।
ଆମେ ଆମର ପରୀକ୍ଷା ସାମର୍ଥ୍ୟକୁ ବଢ଼ାଇ ଦେଇଛୁ ଯାହା ଆଜି ଦୈନିକ 15 ଲକ୍ଷରେ ପହଞ୍ଚିଛି। ଉପଯୁକ୍ତ କୋଭିଡ ସତର୍କତା ଅବଲମ୍ବନ କରିବା ଲାଗି ଡ. ହର୍ଷ ବର୍ଦ୍ଧନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସର୍ବସାଧାରଣ ସ୍ଥାନରେ ମାସ୍କ/ଫେସ କଭର ପିନ୍ଧିବା, ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଶ୍ବାସକ୍ରିୟାଜନିତ ବ୍ୟାୟାମ କରିବା ଏବଂ ସାମାଜିକ ଦୂରତା ବା ଦୁଇ ଗଜ ଦୂରତା ବଜାୟ ରଖିବା ଆଦି ସାମାଜିକ ଟୀକାର ପ୍ରୟୋଗ ଉପରେ ସେ ଜୋର ଦେଇଥିଲେ।
Post a Comment