ଭୁବନେଶ୍ୱର ; ବିଜୁ ଛାତ୍ର ଜନତାର ନୂତନ ରାଜ୍ୟ ସଭାପତି ଏବଂ କର୍ମକର୍ତ୍ତାଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସର ନେତା ଶ୍ରୀ ୟାସିର୍ ନୱାଜ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଶ୍ରୀ ନୱାଜ କହିଛନ୍ତି ଯେ ଏହି ସଂଗଠନ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ପାଇଁ କେବଳ କାର୍ଯ୍ୟ ନକରି ଓଡିଶାର ସ୍ୱାର୍ଥ ପାଇଁ ସଂଗ୍ରାମ କରିବା ଉଚିତ୍ । ଦୁଃଖର ବିଷୟ ଏହିକି ଯେ ଆଜକୁ ୨୨ ବର୍ଷ ହେଲା ବିଜୁ ଛାତ୍ର ଜନତା ଗଠିତ ହେଲେ ବି ଏହି ସଂଗଠନ କେବେ ରାଜ୍ୟ ସ୍ୱାର୍ଥ ପାଇଁ ସଂଗ୍ରାମ କରିନାହିଁ । ଶ୍ରୀ ନୱାଜ ବିଜୁ ଛାତ୍ର ଜନତା ଦଳକୁ ପ୍ରଶ୍ନ କରିଛନ୍ତି ଯେ ଓଡିଶାରେ ବିଜୁ ଜନତା ଦଳ ଅମଳରେ ହୋଇଥିବା ୪ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୧୨ ଶହ କୋଟିର ଡାଲି ଦୁର୍ନୀତି, ଚିଟ୍ଫଣ୍ଡ ଦୁର୍ନୀତି, ଜଳସଂପଦ ଦୁର୍ନୀତି, ଜମି ଦୁର୍ନୀତି, ପିଡିଏସ୍ ଦୁର୍ନୀତି, ବ୍ରହ୍ମ ବିଭ୍ରାଟ, ଅମୃତମଣି ଜମି ଦୁର୍ନୀତି ପ୍ରଭୃତି ବିଜେଡି ସରକାରର ନଖ ଠାରୁ ଶିଖ ପର୍ଯ୍ୟନ୍ତ ଦୁର୍ନୀତିରେ ଭରପୁର ହୋଇଥିବା ବେଳେ ବିଜୁ ଛାତ୍ର ଜନତା ଦଳ ଏ ସଂପର୍କରେ ବିଦ୍ରୋହ ତ କରିବା ଛାଡ ମୁଖ୍ୟମନ୍ତ୍ରୀଙ୍କୁ ଏପରି କାର୍ଯ୍ୟ ବିରୁଦ୍ଧରେ ପତ୍ରଟିଏ ବି ଲେଖୁନାହାନ୍ତି ।
ଆଜିର କରୋନା ବିପତିରେ ସ୍ଵାସ୍ଥ୍ୟ ବିଭାଗ ଦୁର୍ନୀତିର ଚରମ ସୀମାରେ ପହଂଚିଛି । ମାସ୍କ କିଣା ଠାରୁ ଆରମ୍ଭ କରି ସମସ୍ତ କରୋନା ସଂପର୍କିତ ଉପକରଣରେ ଯେଉଁ ଦୁର୍ନୀତି ହୋଇଛି ତାହା ନବୀନ ସରକାରଙ୍କ ଅସଲ ମୁଖାକୁ ଖୋଲି ଦେଇଛି । ଆଜିର ନବନିଯୁକ୍ତ ବିଜୁ ଛାତ୍ର ଜନତା ସଂଗଠନ ଏ ସଂପର୍କରେ ମୁହଁ ଖୋଲିବ କି ବୋଲି ୟାସିର ନୱାଜ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ବର୍ଷକୁ ୧ ଲକ୍ଷ ନିଯୁକ୍ତି ଦେବେ ବୋଲି କହି ନବୀନ ବାବୁ ୨୦ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଦେବା କଥା । ମାତ୍ର ୨୦ ବର୍ଷରେ ୧ ଲକ୍ଷ ନିଯୁକ୍ତି ଦେବାକୁ ମଧ୍ୟ ନବୀନ ସରକାର ଅକ୍ଷମ ହୋଇପଡିଛନ୍ତି ଏବଂ ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡିର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, କର୍ମୀ ଓ ନେତା ସମସ୍ତେ ସଂପୃକ୍ତ ଥୁବା ବେଳେ ଛାତ୍ର ବିଜୁ ଜନତା ଦଳ ନିଜ ଦଳର ସ୍ବଚ୍ଛତା ପାଇଁ ସ୍ୱର ଉତୋଳନ କରିବ କି ? ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବ କି ? ହୁହୁଡ, ଫନି ଓ ବନ୍ୟା ଭଳି ପ୍ରାକୃତିକ ବିପତି ସମୟରେ ଏହି ସଂଗଠନକୁ କେବେ ଦେଖୁବାକୁ ମିଳେନି । ରାଜ୍ୟରେ ଦିନକୁ ୬ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି ।
ପିପିଲିର ବେବିନା, ଟିକିରିର ଇତିଶ୍ରୀ, ବ୍ରହ୍ମଗିରିର ମାଧବୀଲତା, କୁନ୍ଦୁଲି ଛାତ୍ର, ଯାଜପୁରର ସ୍ମିତାରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ବିଜୁ ଛାତ୍ର ଜନତା ସ୍ୱର ଉତୋଳନ କରିଛି କି ? ରାଜ୍ୟର ୮ ହଜାର କୃଷକ ମୃତ୍ୟୁ ଏବଂ ଚାଷ ଓ ଚାଷୀ ପ୍ରତି ନବୀନ ସରକାରର ଉଦସୀନତା ବିରୁଦ୍ଧରେ କେବେବି ଏହି ସଂଗଠନ କହିଛି କି ? ସୁତରାଂ କେବଳ ଲୋକଦେଖାଣିଆ ପାଇଁ ବିଜୁ ଜନତା ଦଳର ଛାତ୍ର ସଂଗଠନ ଉଦ୍ଦିଷ୍ଟ ବୋଲି ୨୦ ବର୍ଷ ହେଲା ପ୍ରମାଣିତ ହୋଇ ଆସୁଛି । ବିଜୁ ଛାତ୍ର ଜନତା ଓଡିଶାର ସ୍ୱାର୍ଥ ପାଇଁ ସଂଗ୍ରାମ କରୁ ବୋଲି ଶ୍ରୀ ନୱାଜ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ପାଖରେ ମୁଣ୍ଡ ନ ନୁଆଁଇ ଓଡିଶାର ହକ୍ ପାଇଁ ଆନ୍ଦୋଳନ କରିବାକୁ ମଧ୍ୟ କହିଛନ୍ତି ।
Post a Comment