
ନୂଆଦିଲ୍ଲୀ/ ଭୁବନେଶ୍ବର ; ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ସମ୍ମାନିତ ରାଜନେତା, ଅପାର ଜ୍ଞାନର ବ୍ୟକ୍ତି ଥିଲେ । ପ୍ରଣବ ଦା’ ପାଞ୍ଚ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ ବୋଲି ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଣବ ଦା’ ଭାରତର ଜଣେ ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ଠାରୁ ଭାରତର ୧୩ତମ ରାଷ୍ଟ୍ରପତି ହୋଇ ପାରିଥିଲେ ଏବଂ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ରାଜନୈତିକ ଆଭିମୁଖ୍ୟ ପାଇଁ ସେ ସର୍ବଦା ମୂଲ୍ୟବାନ ଥିଲେ । ସଂସଦୀୟ କାର୍ଯ୍ୟ ଏବଂ ଦଳୀୟ ରେଖା ଆଧାରରେ ସହମତି ସୃଷ୍ଟି କରିବାର କ୍ଷମତା ପାଇଁ ତାଙ୍କୁ ସର୍ବଦା ସମ୍ମାନ କରାଯାଉଥିଲା ।
ଶ୍ରୀ ପ୍ରଧାନ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ ୨୦୧୭ ମସିହାରେ ଜାନଗିପୁର ପରିଦର୍ଶନରେ ଥିବା ବେଳେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରଣବ ଦା’ଙ୍କୁ ସାକ୍ଷାତ୍ କରିଥିଲେ । ଏହି ଅବସରରେ ପ୍ରଣବ ମୁଖାର୍ଜୀ ନିଜର ପୂର୍ବତନ ଲୋକସଭା ନିର୍ବାଚନ ମଣ୍ଡଳିରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୨.୫ କୋଟିତମ ଏଲପିଜି ସଂଯୋଗ ପ୍ରଦାନ କରିଥିଲେ । ଏହା ତାଙ୍କ ପାଇଁ ଭାବପ୍ରବଣୀୟ ମୁହୁର୍ତ ଥିଲା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ସେହିପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉତ୍ସବର ବର୍ଷବ୍ୟାପୀ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ରାଷ୍ଟ୍ରପତି ଭବନ ଯାଇ ପ୍ରଣବ ମୁଖାର୍ଜୀଙ୍କୁ ଏହି ଉତ୍ସବକୁ ଉଦ୍ଘାଟନ କରିବାକୁ ଅନୁରୋଧ କରିଥିଲେ ।
ଏହି ନିମନ୍ତ୍ରଣକୁ ଗ୍ରହଣ କରି ସେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପ୍ରଭାବଶାଳୀ ବ୍ୟକ୍ତିତ୍ବ, ଭାରତୀୟ ରାଜନୀତିର ପ୍ରମୁଖ ଚେହେରା ପ୍ରଣବ ଦା’ଙ୍କ ବିୟୋଗ ନିଜ ପାଇଁ ବ୍ୟକ୍ତିଗତ କ୍ଷତି। ଭାରତୀୟ ରାଜନୀତିରେ ତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment