ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଚଳିତ ମାସ (ଅକ୍ଟୋବର) 31 ତାରିଖରେ ଗୁଜରାଟର କେୱାଡ଼ିଆଠାରେ ଅନୁଷ୍ଠିତ ଏକତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ । ଏହି ଅବସରରେ ଶ୍ରୀ ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାବ୍ୟତୀତ ସେଠାରେ ସମବେତ ଜନତାଙ୍କୁ ଏକତା ଶପଥ ପାଠ କରାଇବା ସହ ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଭାଗ ନେବେ। ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ କେୱାଡିଆରୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଉତ୍ତରାଖଣ୍ଡର ମସୌରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ । 2019ରେ ପ୍ରଥମକରି ପ୍ରଚଳିତ ହୋଇଥିବା ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ ‘ଆରମ୍ଭ’ର ଏହା ଏକ ଅଂଶବିଶେଷ ।
କେୱାଡିଆର ସମନ୍ୱିତ ବିକାଶ ଯୋଜନାର ଅଂଶସ୍ୱରୂପ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅକ୍ଟୋବର 30 ଓ 31 ତାରିଖ ଦୁଇଦିନ ଧରି ସଂପନ୍ନ ହେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେଥିମଧ୍ୟରେ ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ଯିବା ପାଇଁ ଏକତା କ୍ରୁଜ ସେବା ଅନ୍ୟତମ । ସେହିଭଳି ଏକତା ମଲ୍ ଓ ସେଠାରେ ନିର୍ମିତ ଶିଶୁ ପୁଷ୍ଟିସାଧନ ପାର୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ଏହା ବ୍ୟତୀତ ଷ୍ଟାଚ୍ୟୁ ଅଫ୍ ୟୁନିଟର ୱେବସାଇଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବ । ଏହି ୱେବସାଇଟରେ ଜାତିସଂଘ ଦ୍ୱାରା ମାନ୍ୟତାପ୍ରାପ୍ତ ସବୁ ସରକାରୀ ଭାଷା ସ୍ଥାନିତ ହୋଇଛି । ୟୁନିଟ ଗ୍ଲୋ ଗାର୍ଡେନରେ ମଧ୍ୟ ପ୍ରଧାନମନ୍ତ୍ରୀ କେୱାଡିଆ ଆପ୍କୁ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଏକ ସି ପ୍ଲେନ ସେବାର ଶୁଭାରମ୍ଭ ହେବ । ଏହି ସି ପ୍ଲେନ କେୱାଡିଆକୁ ଅହମ୍ମଦାବାଦର ସାବରମତୀ ରିଭର ଫ୍ରଣ୍ଟ ସହ ସଂଯୋଗ କରିବ ।
ଏକତା କୃଜ ସର୍ଭିସ-
ଏକତା କ୍ରୁଜ ସର୍ଭିସ ସହାୟତାରେ ଜଣେ ବ୍ୟକ୍ତି ଫେରିବୋଟରେ ବସି ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ଦେଖିବାର ଆନନ୍ଦ ନେଇପାରିବ । ଏହି ସେବା ଶ୍ରେଷ୍ଠ ଭାରତ ଭବନରୁ ଷ୍ଟାଚ୍ୟୁ ଅଫ୍ ୟୁନିଟ ପର୍ଯ୍ୟନ୍ତ 6 କିମି ଯାଏଁ ଉପଲବ୍ଧ । ଏହି ଦୂରତ୍ୱକୁ 40 ମିନିଟରେ ବୋଟ ଦ୍ୱାରା ଅତିକ୍ରମ କରିହେବ । ସଂପୃକ୍ତ ବୋଟରେ ଏକ ସମୟରେ 200 ଯାତ୍ରୀ ଯିବାର ବ୍ୟବସ୍ଥା ରହିଛି । ଏହି ଫେରିସେବା ପ୍ରଚଳନ ପାଇଁ ନୂଆ ଗୋରାବ୍ରିଜ ସ୍ୱତନ୍ତ୍ରଭାବେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟର ପରିଦର୍ଶନର ସୁଯୋଗ ଦେବା ନିମନ୍ତେ ସ୍ୱତନ୍ତ୍ର ବୋଟିଂ ଚାନେଲ ତିଆରି ହୋଇଛି ।
ଏକତା ମଲ୍-
ଏକତା ମଲ୍ରେ ସମଗ୍ର ଦେଶର ବିଭିନ୍ନ ପ୍ରକାରର ହସ୍ତତନ୍ତ ଉପକରଣ ଏବଂ ପାରମ୍ପରିକ ସାମଗ୍ରୀ ସ୍ଥାନ ପାଇଛି । ଏହିସବୁ ସାମଗ୍ରୀ ବିଭିନ୍ନତାରେ ଏକତାର ବାର୍ତ୍ତା ବହନ କରେ । ଏହି ମଲ୍ଟି 35 ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି । ଏଥିରେ 20ଟି ଏମ୍ପୋରିଆ ରହିଛି । ପ୍ରତ୍ୟେକ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟଭାବେ ଗୋଟିଏ ଗୋଟିଏ ଏମ୍ପୋରିଆ ନିର୍ମାଣ କରାଯାଇଛି । ମାତ୍ର 110 ଦିନରେ ଏହି ମଲ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ଶିଶୁ ପୁଷ୍ଟିସାଧନ ପାର୍କ-
କେୱାଡିଆ ନିକଟରେ ଯେଉଁ ଶିଶୁ ପୁଷ୍ଟିସାଧନ ପାର୍କ ନିର୍ମାଣ କରାଯାଇଛି ତାହା ଟେକ୍ନୋଲଜି ଦୃଷ୍ଟିରୁ ବିଶ୍ୱର ସର୍ବବୃହତ୍ ଏବଂ ପ୍ରଥମ । ଟେକ୍ନୋଲଜି ପରିଚାଳିତ ପୁଷ୍ଟିସାଧନ ପାର୍କ ଶିଶୁମାନଙ୍କ ପୋଷଣ ଆବଶ୍ୟକତା ପୂରଣ ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ଉଦ୍ଦିଷ୍ଟ । ଏହି ପାର୍କର ମୋଟ ପରିସୀମା ୩୫ ହଜାର ବର୍ଗଫୁଟ । ଏକ ନ୍ୟୁଟ୍ରି ଟ୍ରେନ ଏହି ପାର୍କରେ ଚଳାଚଳ କରିବାର ବ୍ୟବସ୍ଥା ହୋଇଛି । ଯେଉଁସବୁ ସ୍ଥାନରେ ଏହି ଟ୍ରେନ ରହିବ ସେସବୁ ଷ୍ଟେସନର ନାମକରଣ ବିଷୟବସ୍ତୁ ଆଧାରରେ କରାଯାଇଛି । ଏହି ଷ୍ଟେସନଗୁଡିକର ନାମ ହେଲା ଫଳଶକା ଗୃହମ୍, ପାୟୋନଗରୀ, ଅନ୍ନପୂର୍ଣ୍ଣା, ପୋଷଣ ପୂରଣ ଏବଂ ସ୍ୱାସ୍ଥ୍ୟ ଭାରତମ୍ । ଏହି ପାର୍କ ଶିଶୁ କୁପୋଷଣ ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ଏଥିରେ ମିର୍ର ମେଜ, ଫାଇଭ ଡି ଭର୍ଚୁଆଲ ରିଏଲିଟି ଥିଏଟର ଏବଂ ଅଗ୍ମେଣ୍ଟେଡ ରିଏଲିଟି ଗେମ୍ସ ଆଦି ବିଭିନ୍ନ ପ୍ରକାର ଶିକ୍ଷଣୀୟ ବିଷୟବସ୍ତୁ ରହିଛି ।
‘ଆରମ୍ଭ’ 2020-
ସର୍ବଭାରତୀୟ ସେବା, ଗ୍ରୁପ ଏ କେନ୍ଦ୍ରୀୟ ସେବା ଏବଂ ବିଦେଶ ସେବା ଆଦି ସବୁ ବିଭାଗର ଶିକ୍ଷାନବୀଶ ଅଧିକାରୀମାନଙ୍କୁ ମିଶାଇ ‘ଆରମ୍ଭ’ ନାମରେ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଏହିସବୁ ବର୍ଗର ଅଧିକାରୀମାନଙ୍କ ପାଇଁ ଏକ କମନ୍ ଫାଉଣ୍ଡେସନ କୋର୍ସ ବା ସାଧାରଣ ମୌଳିକ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ସର୍ବଭାରତୀୟ ସେବାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଓ ସମନ୍ୱୟ ପ୍ରତିଷ୍ଠା ପାଇଁ ଏହି ବ୍ୟବସ୍ଥା କରାଯାଇଛି ଏବଂ ବୃତ୍ତିଗତ ଜୀବନ ଆରମ୍ଭ ପୂର୍ବରୁ ସିଭିଲ ସେବାର ଅଧିକାରୀମାନେ ନିଜ ନିଜ ବିଭାଗର ସଂକୁଚିତ ପରିସର ବାହାରକୁ ଯାଇ କିପରି ଅନ୍ୟାନ୍ୟ ସେବାର ଅଧିକାରମାନଙ୍କ ସହ ଉତ୍ତମ ବୁଝାମଣା ଓ ସହଯୋଗଭାବ ସୃଷ୍ଟି କରିବେ ଏହା ତାହାର ଉଦ୍ଦେଶ୍ୟ । ‘ଆରମ୍ଭ’ର ଲକ୍ଷ୍ୟ ହେଉଛି ସିଭିଲ ସେବା ଅଧିକାରୀମାନଙ୍କୁ ପରିବର୍ତ୍ତନର ନେତୃତ୍ୱ ନେବାରେ ଦକ୍ଷ କରିବା ଏବଂ ବିଭାଗ ଓ କ୍ଷେତ୍ର ନିର୍ବିଶେଷରେ ସେମାନଙ୍କୁ ନିରନ୍ତରଭାବେ କାମ କରିବାର ସୁଯୋଗ ଯୋଗାଇ ଦେବା ।
2019ରେ ‘ଆରମ୍ଭ’ 94ତମ ଫାଉଣ୍ଡେସନ କୋର୍ସ ଭାବେ ଆରମ୍ଭ ହୋଇଥିଲା । ଏଥିରେ 20ଟି ସେବାର ତାଲିମ ନେଉଥିବା ଅଧିକାରୀମାନେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହା ଗୁଜରାଟର କେୱାଡିଆଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟ ନିକଟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଉଦ୍ବୋଧନ ପରେ ଏହି ପାଠ୍ୟକ୍ରମ ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀ ଏହି ଅବସରରେ ସଂପୃକ୍ତ ଶିକ୍ଷାନବୀଶ ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଚଳିତବର୍ଷ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ କେୱାଡିଆ ପରିବର୍ତ୍ତେ ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ଅକ୍ଟୋବର 14 ତାରିଖରୁ ଆରମ୍ଭ ହୋଇଛି । ଏହା ଅକ୍ଟୋବର 31ରେ ଉଦ୍ଯାପିତ ହେବ । ଏଥିରେ ଦେଶର 18ଟି ସର୍ବଭାରତୀୟ ସେବାର 428 ଜଣ ଶିକ୍ଷାନବୀଶ ଅଧିକାରୀ ଏବଂ ରୟାଲ ଭୁଟାନ ସର୍ଭିସର 3ଟି ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ।
ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ‘ଆରମ୍ଭ’ 2020 କାର୍ଯ୍ୟକ୍ରମକୁ ଭର୍ଚୁଆଲ ବ୍ୟବସ୍ଥାରେ କରାଯାଉଛି। ଚଳିତବର୍ଷ ଆରମ୍ଭର ଯେଉଁ ଥିମ୍ ପ୍ରସ୍ତୁତ ହୋଇଛି ତାହାର ନାମ ରଖାଯାଇଛି ‘ଗଭର୍ଣ୍ଣାସ୍ ଇନ୍ ଇଣ୍ଡିଆ ଆଟ୍ ଦି ରେଟ୍ 100 ।’ ଏହାର ଯେଉଁ ସବ୍ଥିମ୍ ରହିଛି ତାହା ହେଲା ‘ଏକ ଭାରତ ଶ୍ରେଷ୍ଠ ଭାରତ, ଆତ୍ମନିର୍ଭର ଭାରତ ଏବଂ ନବୀନ ଭାରତ’ । ଏହାଛଡା ଏହି କାର୍ଯ୍ୟକ୍ରମରେ ଭାରତରେ ସାଂସ୍କୃତିକ ବିବିଧତା ଓ ସମନ୍ୱୟ, ଆର୍ଥିକ ବିଷମତା ଓ ଏକକତ୍ତ୍ୱର ଶକ୍ତି, ଊର୍ଜ୍ଜା, ସ୍ୱାସ୍ଥ୍ୟ, ଅତି ବିରଳ ଅଘଟଣର ମୁକାବିଲା କରିବା ପାଇଁ ଏକ ଦୃଢ ଓ ବ୍ୟାପକ ବ୍ୟବସ୍ଥା ନିର୍ମାଣ, ଶିକ୍ଷା କ୍ଷେତ୍ରରେ ଗବେଷଣା ଓ ନବସୃଜନ ଏବଂ ଉଦ୍ୟୋଗ ଓ ପ୍ରଶାସନ ଆଦି ବିଷୟବସ୍ତୁ ଉପରେ ମଧ୍ୟ ଅଗ୍ରାଧିକାର ଦିଆଯାଇଛି ।
Post a Comment