ଭୁବନେଶ୍ୱର ; ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଶ୍ରୀ ସୁଦର୍ଶନ ଦାସ ଲୋକାୟୁକ୍ତରେ ଯେଉଁ ପିଟିସନ ଦାଖଲ କରିଥିଲେ ତା’ର ଆଜି ଶୁଣାଣି ହୋଇଥିଲା । ଏହି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ମେଡିକାଲ କର୍ପୋରେସନର ଏମ୍.ଡି. ଶ୍ରୀମତୀ ଯାମିନୀ ଷଡଙ୍ଗୀ ଉପସ୍ଥିତ ଥିଲେ । ଆଜି ମଧ୍ୟ ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏକ ଉତର ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛନ୍ତି ।
କରୋନା ମୁକାବିଲା ପାଇଁ ଗଠିତ ପର୍ଚେଜିଂ କମିଟି ବାରମ୍ବାର କାହିଁକି ପରିବର୍ତନ ହେଲା ଏବଂ ସ୍ବାସ୍ଥ୍ୟ ସଚିବଙ୍କ ପରିବର୍ତ୍ତେ ଶିଳ୍ପ ସଚିବ କାହିଁକି ପର୍ଚେଜିଂ କମିଟିର ଅଧ୍ୟକ୍ଷ ହେଲେ ଏବଂ ପରେ ସେଥିରୁ ବିଦା ହେଲେ ଏହାକୁ ନେଇ ମାନ୍ୟବର ଲୋକାୟୁକ୍ତ ଗୁଡେଇ ତୁଡେଇ ଅଧୁକାରୀ ଦ୍ବୟଙ୍କୁ ପ୍ରଶ୍ନ କରିଥିଲେ । ଉତରରେ ଅଧୁକାରୀ ଦ୍ବୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ତାହା ପରିବର୍ତନ ହୋଇଛି ବୋଲି କହିବା ପରେ ମାନ୍ୟବର ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ତାଙ୍କ ପାଖରୁ ଏହାର ଉତର ଜାଣିବା ପାଇଁ ଚାହିଁବା ସହିତ ଚଳିତ ନଭେମ୍ବର ୨୩ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଉତର ପାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀ ଶ୍ରୀ ଦାସ ପ୍ରତିପକ୍ଷଙ୍କ ପାଖରୁ ଯେଉଁ ଉତର ଦାଖଲ ହୋଇଛି ତା ଉପରେ ନିଜର ପ୍ରତିକ୍ରିୟା ରଖି କହିଲେ ଯେ ଅନ୍ୟ ରାଜ୍ୟମାନେ ଯେଉଁ ସମୟରେ ୨ ଟଙ୍କାରୁ ୮ ଟଙ୍କା ଭିତରେ ମାସ୍କ କିଣିଛନ୍ତି ସେହି ସମୟରେ ଓଡିଶା ମେଡିକାଲ କର୍ପୋରେସନ ୧୬ ଟଙ୍କାରେ କାହିଁକି ମାସ୍କ କିଣିଲେ ତା’ର ଉତର ସରକାର ଦେଇନାହାନ୍ତି ।
ମାନ୍ୟବର ଲୋକାୟୁକ୍ତ ପ୍ରତିପକ୍ଷର ସମସ୍ତ ଉତର ପାଇସାରିଲା ପରେ ସେ ସବୁକୁ ଅନୁଧ୍ୟାନ କରି ଆବେଦନକାରୀ ଶ୍ରୀ ଦାସଙ୍କୁ ପ୍ରତ୍ୟୁତର ରଖୁବା ପାଇଁ ନିର୍ଦ୍ଦେଶ ଦେବା ସହିତ ଚୂଡାନ୍ତ ଶୁଣାଣି କରିବେ ବୋଲି ପ୍ରକାଶ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି । ଆଜିର ଶୁଣାଣି ଲୋକାୟୁକ୍ତର ଅଧକ୍ଷ ନ୍ୟାୟମୂର୍ତ୍ତି ଅଜିତ୍ ସିଂ ଓ ସଦସ୍ୟ ନ୍ୟାୟମୂର୍ତି ବିଜୟ କୁମାର ନାୟକଙ୍କ ଖଣ୍ଡପୀଠରେ ଅନୁଷ୍ଠିତ ହୋଇଥିଲା । ଆବେଦନକାରୀ ଶ୍ରୀ ସୁଦର୍ଶନ ଦାସଙ୍କ ସହିତ ଶ୍ରୀ ବିଜୟ ପ୍ରଧାନ ଶୁଣାଣି ସମୟରେ ଉପସ୍ଥିତ ରହି ନିଜ ପକ୍ଷ ରଖୁଥିଲେ ।
Post a Comment