ଭୁବନେଶ୍ୱର : କୃଷକମାନଙ୍କ ବିରୋଧ ସତ୍ତେ କେନ୍ଦ୍ର ସରକାର କୃଷି ଓ କୃଷକ ବିରୋଧ ବିଲ୍ ପାରିତ କରିବା, ବିଶେଷକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିୟନ୍ତ୍ରଣ ଆଇନ୍ ପ୍ରତ୍ୟାହାର ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ହୁ ହୁ ହୋଇ ବଢିବା ଓ ଏହି କୃଷି ବିରୋଧୀ ଆଇନ୍ ପ୍ରତ୍ୟାହାର ପାଇଁ ସାରା ଭାରତବର୍ଷର କୃଷକ ସଂଗଠନମାନେ ନଭେମ୍ବର ୫ ତାରିଖରେ ଦେଶବ୍ୟାପୀ ଚକାବନ୍ଦର ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନ ଅନୁସାରେ ଓଡ଼ିଶାର ପ୍ରମୁଖ କୃଷକ ସଂଗଠନ ‘ନବନିର୍ମାଣ କୃଷକ ସଂଗଠନ’ ଏହି ଚକାବନ୍ଦକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ କରିବ ।
ବନ୍ୟା, ବାତ୍ୟା ଓ ମରୁଡିରେ କ୍ଷତିଗ୍ରସ୍ତ ଋଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା କ୍ଷତିପୂରଣ ଦାବିକୁ ଏହି ଚକାବନ୍ଦରେ ଜୋର ଦିଆଯିବ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଓ ୨୦୨୨ ସୁଦ୍ଧା ଋଷୀଙ୍କ ଆୟ ଦ୍ବିଗୁଣିତ କରିବା ପ୍ରତିଶ୍ରୁତି ଧୂଆଁବାଣରେ ପରିଣତ ହୋଇଛି । ନରେନ୍ଦ୍ର ମୋଦି କୃଷକମାନଙ୍କୁ ଭଣ୍ଡେଇବା ସହ ସେମାନଙ୍କୁ ଋଷ ଜମିରୁ ଉଚ୍ଛେଦ କରିବା ପାଇଁ କମ୍ପାନୀ ସପକ୍ଷରେ ବିଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି । ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଯେଉଁ ହାରରେ ବୃଦ୍ଧି ପାଉଛି, ଆଗକୁ ଦେଶରେ ଅନାହାର ମୃତ୍ୟୁ ଘଟିବ ।
ଏହି କଥାକୁ ବ୍ୟାପକ ଭାବରେ ପ୍ରସ୍ତର କରିବା ସହ ଏହି ତିନୋଟି କୃଷି ବିରୋଧ ବିଲ୍କୁ ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ଗୃପ ପକାଇବା ପାଇଁ ଏହି ଚକାବନ୍ଦ ଆନ୍ଦୋଳନ ଡ଼ାକରା ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ସେହିଭଳି ଆଳୁ ମିଶନ, ପିଆଜ ମିଶନ ରାଜ୍ୟରେ ଫେଲ୍ ହେଲା ପରେ ରାଜ୍ୟ ସରକାର ନୈତିକ ଦାୟିତ୍ଵ ମୁଣ୍ଡାଇ ଲୋକଙ୍କୁ ଆଳୁ, ପିଆଜ ରିହାତି ଦରରେ ଯୋଗାଇ ଦେବାକୁ ସଂଗଠନ ତରଫରୁ ଦାବି କରାଯାଉଛି । ଏହି ବନ୍ଦ ପାଳନରେ ସାଧାରଣ ଖାଉଟି ଓ ଋଷୀମାନେ ବହୁ ସଂଖ୍ୟାରେ ସାମିଲ୍ ହୋଇ ଚକାବନ୍ଦକୁ ସଫଳ କରିବାକୁ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ବାନ ଦେଇଛନ୍ତି । ଆସନ୍ତା କାଲି ଆନ୍ଦୋଳନରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଉପସ୍ଥିତ ରହିବେ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।
Post a Comment