ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଛନ୍ତି । ଗତ କିଛିଦିନ ଧରି ରାଜଧାନୀର ରେ ବିଭିନ୍ନ ଦାବି ନେଇ ଏଏନଏମ କର୍ମୀମାନେ ପ୍ରତିବାଦ କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଏ ବିଷୟରେ ଅବଗତ ନାହାଁନ୍ତି କି ? ମହିଳାଙ୍କୁ ଗୁରୁତ୍ବ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରତିବାଦ କରୁଥିବା ଏଏନଏମ ମହିଳାଙ୍କ କଥା କାହିଁକି ବୁଝୁନାହାଁନ୍ତି ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
କୋଭିଡ ସମୟରେ ନିଜ ପରିବାର ଲୋକ ମୁହଁ ଫେରାଉଥିବାବେଳେ ଏଏନଏମ କର୍ମୀମାନେ କରୋନା ଯୋଦ୍ଧା ହୋଇ ରୋଗୀଙ୍କୁ ସେବା ସାହାଯ୍ୟ ଯୋଗାଇଥିଲେ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସେମାନଙ୍କର ବକେୟା ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀ କଣ ବ୍ୟବସ୍ଥା କରିଛନ୍ତି ? ସେହିପରି ଲୋକସଭା ଭବନ ଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ଫଚାୟତ ସ୍ତରରେ କାର୍ଯ୍ୟରତ ଥିବା ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି କାହିଁକି ଦିଆଯାଉନାହିଁ । ଠିକା କର୍ମଚାରୀ ଭାବେ କାମ କରୁଥିବା ମହିଳାଙ୍କୁ ରାଜ୍ୟସରକାର ସେମାନଙ୍କୁ ସରକାରୀ ବ୍ୟବସ୍ଥାରେ ଦରମା ଦେବା ପାଇଁ କାହିଁକି ବ୍ୟବସ୍ଥା କରୁନାହାଁନ୍ତି ? ମୁଖ୍ୟମନ୍ତ୍ରୀ ମହିଳା ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇପାରିବେ କି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି
ସରକାରୀ ବ୍ୟବସ୍ଥାରେ ପ୍ରସବ ଜନିତ ଛୁଟି ମିଳେ କିନ୍ତୁ ଦୁର୍ଭାଗ୍ୟର କଥା ଠିକା ମହିଳା କର୍ମଚାରୀମାନେ ଏହି ସୁବିଧାରୁ ବଂଚିତ ରହୁଛନ୍ତି । ଗତ ୫ ବର୍ଷରେ ପରୀ ସମେତ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ଏ ଦିଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ରହିଛନ୍ତି ? ଏବେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ ଦୁହାଇ ଦେଇ ଓଡିଶାର ଲୋକଙ୍କୁ ଦୁଃସ୍ୱପ୍ନ ଦେଖାଉଛନ୍ତି । ଗତ ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ବିଜେପି ସରକାର ମହିଳାଙ୍କ ପାଇଁ କାଗଜରେ ନୁହେଁ ବାସ୍ତବରେ କାମ କରିଆସୁଛି । ମୋଦି ସରକାର ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଇଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି ।
ମୋଦି ସରକାର ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉଦ୍ଧ ହିତାଧୁକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ରାଜ୍ୟର ୮୫, ୨୦ ଲକ୍ଷ ଜନଧନ ଆକାଇଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଇଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦, ୨୭ ଲକ୍ଷ ହିତାଧିକାରୀଙ୍କୁ ୨୦ ୨୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉର୍ଦ୍ଧ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୯.୪୮ ଲକ୍ଷ ଆକାଇଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment