ଭୁବନେଶ୍ୱର; କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତ୍ୱ ପ୍ରଦାନ କରି ଦୀର୍ଘ ୯ ମାସ ଧରି ବିଭିନ୍ନ ମନ୍ଦିର ଓ ଧାର୍ମିକ ପୀଠ ବନ୍ଦ ରହିଛି । ବର୍ତ୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଳ ମନ୍ଦିର ଖୋଲିଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । କଟକଣା ମାନି ଯଦି ଲୋକମାନଙ୍କୁ ହାଟ ବଜାରକୁ ଯିବା ପାଇଁ ଅନୁମତି ଦିଆଯାଉଛି ତେବେ ପୂଜା ପୀଠଗୁଡିକୁ ଯିବାରେ କୌଣସି ଅସ୍ବାଭାବିକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁର ମା' ତାରିଣୀ ମନ୍ଦିର ଖୋଲିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଆଜି ପତ୍ର ଲେଖୁ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲା ଘଟଗାଁର ମା'ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ଵାରା ପୂଜା ପାଉଥିଲେ ମ ପରବର୍ତ୍ତୀ ସମୟରେ ଏହା ସମଗ୍ର ହିନ୍ଦୁ ଜାତିର ଏକ ପ୍ରସିଦ୍ଧ ପୀଠର ମାନ୍ୟତା ପାଇଛି । ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବସରେ ମା'ତାରିଣୀଙ୍କ ପାଖକୁ ପ୍ରତିଦିନ ନଡ଼ିଆ ପଠାଇଥାନ୍ତି । ଯାହା ଫଳରେ ସମଗ୍ର ଓଡ଼ିଶାକୁ ମା’ ଗୋଟିଏ ସୂତ୍ରରେ ବାନ୍ଧି ରଖୁଥାନ୍ତି । ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ଆଳରେ ଏହି ମନ୍ଦିରକୁ ବନ୍ଦ କରାଯାଇଛି ।
ଯାହା ଫଳରେ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟକୁ ନଡିଆ ପଠାଇ ପାରୁ ନାହାନ୍ତି ବା ମା'ଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଫଳରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବା ସହ ମନ୍ଦିର ସହ ସଂପୃକ୍ତ ସେବକ ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି । ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛନ୍ତି ସେହିଭଳି ଘଟଗାଁ ମା ତାରିଣୀଙ୍କ ମନ୍ଦିର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖୁଛନ୍ତି ।
Post a Comment