ଭୁବନେଶ୍ୱର, ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ଵଚ୍ଛତା ଓ ସ୍ଵାସ୍ଥ୍ୟରକ୍ଷା ଦିଗରେ ସାନିଟାରୀ ନାପକିନ୍ ବଣ୍ଟନ ପାଇଁ ସରକାର ‘ଖୁସି’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୯ ମସିହା ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍ ଓ ୫ଟି ମୁନିସିପାଲ୍ କର୍ପୋରେସନ୍ ଅଧୀନରେ ଥୁବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି ।
ଆଜି ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ‘ଖୁସି’ ସଫ୍ଟୱେୟାରକୁ ଉନ୍ମୋଚନ କରିଥିଲେ । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଏହି ସଫ୍ଟୱେୟାର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧୁକାରୀଙ୍କ ନିକଟରେ ପହଞ୍ଚି ପାରିବ । ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନାପକିନ୍ ଯୋଗାଣକାରୀମାନେ ଠିକ୍ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍ର ନୋଡାଲ୍ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚି ପାରିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି । ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି । ସାନିଟାରୀ ନାପକିନ୍ ଯୋଗାଣ ପାଇଁ ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି । ଏଥି ପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ୍ ଓ ରାଜ୍ୟ ଇନ୍ଫରମେଟିକ୍ସ ଅଫିସର ଶ୍ରୀମତୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ଶ୍ରୀମତୀ ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ । ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ ।
Post a Comment