ଭୁବନେଶ୍ୱର, ରାଜ୍ୟର ୧୪ ହଜାରରୁ ଉର୍ଦ୍ଧ ସ୍କୁଲ୍ ଓ ୧୪ଟି ସରକାରୀ ବି.ଇଡି କଲେଜ ବନ୍ଦ ବିରୁଦ୍ଧରେ ଏ.ଆଇ.ଡି.ଏସ୍.ଓ. ଭୁବନେଶ୍ବର ସିଟି କମିଟି ତରଫରୁ ଭୁବନେଶ୍ବର ବି.ଇ.ଓ. ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜାତୀୟ ଶିକ୍ଷାନୀତି ୨୦ ୨୦ ଲାଗୁ କରିବାକୁ ଯାଇ ତଥା ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣକୁ ତ୍ବରାନ୍ବିତ କରିବା ପାଇଁ ସରକାରୀ ସ୍କୁଲ୍ ଏବଂ ବି.ଇଡି. କଲେଜ ବନ୍ଦ କରାଯାଉଛି ବୋଲି ଏ.ଆଇ.ଡ଼ି.ଏସ୍.ଓ. ତରଫରୁ କୁହାଯାଇଛି । ବହୁ ଉପାନ୍ତ ଅଞ୍ଚଳରେ ଗମନାଗମନ ତଥା ପରିବହନ ବ୍ୟବସ୍ଥା ଦୁର୍ବଳ ଥିବାରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ସ୍କୁଲ୍ ବନ୍ଦ ଫଳରେ ଶିକ୍ଷାଲାଭରୁ ବଞ୍ଚିତ ହେବେ ।
ସେହିଭଳି ଅନ୍ୟ ରାଜ୍ୟକୁ ଲକ୍ଷାଧୁକ ଛାତ୍ରଛାତ୍ରୀ ପ୍ରତିବର୍ଷ ବି.ଏଡ ପରୀକ୍ଷା ଦେବାକୁ ଯାଉଥିବା ବେଳେ ସେଲ୍ଫ ଫାଇନାନ୍ସି, ବି.ଏଡକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ବି.ଏଡ଼ କଲେଜ ବନ୍ଦ କରାଯାଉଛି ବୋଲି ଏ.ଆଇ.ଡ଼ି.ଏସ୍.ଓ ତରଫରୁ କୁହାଯାଇଛି । ରାଜ୍ୟରେ ନୂତନ ସରକାରୀ ସ୍କୁଲ୍ ଖୋଲିବାକୁ ଦାବି କରାଯାଉଥିବା ବେଳେ ୧୪ ହଜାର ପ୍ରାଇମେରୀ ସ୍କୁଲ ବନ୍ଦ ଅତ୍ୟନ୍ତ ନିନ୍ଦନୀୟ ଓ ଶିକ୍ଷାବିରୋଧୀ ବାଲି ଏ.ଆଇ.ଡି.ଏସ୍.ଓ. ତରଫରୁ କୁହାଯାଇଛି ।
ସରକାର ଏହି ନିଷ୍ପତ୍ତିରୁ ତୁରନ୍ତ କ୍ଷାନ୍ତ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ତରଫରୁ କୁହାଯାଇଛି । ଏ.ଆଇ.ଡି.ଏସ୍.ଓ. ଭୁବନେଶ୍ବର ସିଟି କମିଟି ସମ୍ପାଦିକା ସୃଷ୍ଠୀ ସଙ୍ଗୀତା ଦଳାଇ, ଏବଂ ଉପସଭାପତି ସପ୍ତର୍ଷିନୀ ରାଉଳ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ । ଏହି ବିକ୍ଷୋଭରେ ମୁଖ୍ୟ ବକ୍ତା ଭାବେ ଡ଼ି.ଏସ୍.ଓ. ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁଙ୍କ ସମେତ ସଂଗଠନର ରୁପାଲି ଦିଗାଲ, ଅର୍ପିତା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।
Post a Comment