ଭୁବନେଶ୍ୱର, ସତ୍ୟ, ଶାନ୍ତି ଓ ଅହିଂସାର ପ୍ରତୀକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୩ତମ ଶ୍ରାଦ୍ଧଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ସ୍ଥଳେ ସମ୍ମାନିତ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ, ପୋଲିସ କମିଶନର ଡ. ସୁଧ୍ୟଶୁ ଷଡଙ୍ଗୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ପୂର୍ବତନ ବିଧାୟକ ଅଜୟ ଜେନା ପ୍ରମୁଖ ଉକ୍ତ ପୁଷ୍ପ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ..' ଗାନ କରାଯାଇଥିବାବେଳେ ଦେଶର ଶହୀଦମାନଙ୍କୁ ରାଜ୍ୟ ପୋଲିସ ତରଫରୁ ତୋପ ସଲାମି ଦିଆଯାଇଥିଲା ଏବଂ ସେମାନଙ୍କ ସମ୍ମାନାର୍ଥେ ପୂର୍ବାହ୍ନ ୧୧ଟାବେଳେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପନିର୍ଦ୍ଦେଶକ କ୍ଷେତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ ସହଯୋଗ କରିଥିବା ସ୍ଥଳେ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Post a Comment