loading...

ଶକ୍ତି ଉତ୍ପାଦନ ଓ ବିତରଣ ଉପରେ ବୈଠକ, ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ

ଶକ୍ତି ଉତ୍ପାଦନ ଓ ବିତରଣ ଉପରେ ଗୃହ କମିଟି ବୈଠକ, ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ

ଶକ୍ତି ଉତ୍ପାଦନ ଓ ବିତରଣ ଉପରେ ବୈଠକ, ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ଆଜି ଶକ୍ତି ଉତ୍ପାଦନ ଓ ବିତରଣ ସମ୍ପର୍କିତ ଗୃହ କମିଟି ବୈଠକ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବିତରଣ ଉପରେ ଓଡ଼ିଶାର ସାମଗ୍ରିକ ସ୍ଥିତି ଉପରେ ବିଶଦ ଆଲୋଚନା ହୋଇଥିଲା । ଉନ୍ନତମାନର ବିଦ୍ୟୁତ୍ ଶକ୍ତି ଯୋଗାଣ ସହ ଉପଭୋକ୍ତାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ଡ଼ଃ. ପାତ୍ର ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ବିଦ୍ୟୁତ୍ କ୍ଷେତ୍ରରେ ରାଜ୍ୟର ସାମଗ୍ରିକ ସ୍ଥିତି ନେଇ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଟାଟା ପାୱାରର ଓଡ଼ିଶା ମୁଖ୍ୟ ସଞ୍ଜୟ ବାଙ୍ଗା ତଥ୍ୟ ଉପସ୍ଥାପନ କରିଥିଲେ । 

ଶକ୍ତି ସଚିବ ଧଳ ପ୍ରକାଶ କରିଥିଲେ ଯେ ରାଜ୍ୟରେ ୪୦୫୦ ମେଗାୱାଟ୍ ଶକ୍ତି ଉତ୍ପାଦନ ହେଉଥିବା ସ୍ଥଳେ ୨୯୫୦ ମେଗାୱାଟ୍ ଶକ୍ତି ବିନିଯୋଗ ହେଉଛି ଏବଂ ଅବଶିଷ୍ଟ ଶକ୍ତି ନଷ୍ଟ ହେଉଛି । ଫଳତଃ ଏ ଦିଗରେ କ୍ଷତି ସହିବାକୁ ପଡୁଛି । କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିକାଶ ଉପରେ ଗୁରୁତ୍ୱ ଦେବା ସହ ଶକ୍ତି ଉତ୍ପାଦନର ଶତକଡା ୧୯ ଭାଗ ୨୦୨୧ ମସିହା ସୁଦ୍ଧା ଏବଂ ୨୦୨୨ ମସିହା ସୁଦ୍ଧା ଶତକଡା ୨୨ ଭାଗ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ମଧ୍ୟ ସେ ସୂଚନା ଦେଇଥିଲେ । ଏଥି ଯୋଗୁଁ ଶକ୍ତି କ୍ଷେତ୍ରରେ ଆମ ରାଜ୍ୟ କ୍ଷତି ସହିବା ନିଶ୍ଚିତ । ତେବେ ପରିବେଶ ପ୍ରଦୂଷଣଜନିତ ସମସ୍ୟା ରୋକିବା ଏବଂ ଜାତୀୟ ସ୍ତରରେ ଅନୁସୃତ ହେଉଥିବା ନୀତି ଅନୁଯାୟୀ ଅକ୍ଷୟ ଶକ୍ତିର ମଧ୍ୟ ବିକାଶ ହେବା ଆବଶ୍ୟକ ବୋଲି ବିଧାୟକ ଅମର ପ୍ରସାଦ ଶତପଥୀ ମତ ରଖିଥିଲେ । 

ରାଜ୍ୟରେ ସଠିକ୍ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ନିୟମ ନିର୍ଦ୍ଧାରଣ କରି କ୍ଷତି ରୋକିବା ଉପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମତ ଦେଇଥିଲେ । ଚିପିଲିମା ଓ ବୁର୍ଲାର ୪ଟି ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ଦୀର୍ଘ ୬ ବର୍ଷ ହେଲା ବନ୍ଦ ହୋଇ ପଡିଥିବାରୁ ବିଧାୟକ କିଶୋର ମହାନ୍ତି ଉଦବେଗ ପ୍ରକାଶ କରିଥିଲେ । ନିରନ୍ତର ଉତ୍କର୍ଷମାନର ବିଦ୍ୟୁତ୍ ସେବା ଯୋଗାଇବା ଟାଟା ପାୱାରର ଆଭିମୁଖ୍ୟ ବୋଲି ସମ୍ପୃକ୍ତ ଓଡ଼ିଶା ମୁଖ୍ୟ ପ୍ରକାଶ କରିଥିଲେ । ବ୍ୟବସ୍ଥାରେ ଉନ୍ନତି, ବିଦ୍ୟୁତ୍ ବକେୟା ଶୁଳ୍କ ଆଦାୟ ଏବଂ ସାମାଜିକ ଦାୟିତ୍ୱବୋଧ ସହ ଟାଟା ପାୱାର କାର୍ଯ୍ୟ କରିବ ଏବଂ ଚୁକ୍ତି ମତାବକ ଆଗାମୀ ୨୦୨୩ ମସିହା ସୁଦ୍ଧା ଶତକଡା ୩ ଭାଗ କ୍ଷତି କମାଇବ, ସଚେତ୍ ଶତକଡା ୧ ପ୍ରତି ୩୦ କୋଟି ଟଙ୍କା କ୍ଷତିପୂରଣ ସମ୍ପୃକ୍ତ କମ୍ପାନୀ ତରଫରୁ ବହନ କରାଯିବ ।

ଏହି ବୈଠକରେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏନ୍.ଟି.ପିସି ଏବଂ ପି.ଟି.ସି.ଏଲ୍ ତରଫରୁ ରାଜ୍ୟର ୧୫ଟି ଲେଖାଏଁ ଜିଲ୍ଲାରେ ବିଦ୍ୟୁତ୍ କରଣ ଯୋଜନା କାର୍ଯ୍ୟକାରୀ ହେଉଛି । ବାସ୍ତବ ସ୍ଥିତି ସମ୍ପର୍କରେ ଗ୍ରାମୱାରୀ ଏବଂ ପରିବାରୱାରୀ ତଥ୍ୟ ରଖିବାକୁ ବାଚସ୍ପତି ଡ଼ଃ. ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଶକ୍ତି ସଂକ୍ରାନ୍ତୀୟ ସବ୍-କମିଟି ତୁରନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଉପରେ ଜର୍ଜମା କରିବେ । 

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କିଶୋର କୁମାର ମହାନ୍ତି, ଅମର ପ୍ରସାଦ ଶତପଥୀ, ସନ୍ତୋଷ ସିଂ ସାଲୁଜା, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସୁକାନ୍ତ କୁମାର ନାୟକ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଶକ୍ତି ବିଭାଗ ଓ ବିତରଣ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget