ଭୁବନେଶ୍ୱର, ଚକ୍ଷୁ ହେଉଛି ଅମୂଲ୍ୟ ସଂପଦ । ନିୟମିତ ଭାବେ ଏହାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ସରକାର ‘ସୁନେତ୍ର’ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁର ଯତ୍ନ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ଚକ୍ଷୁ ରୋଗର ନିରାକରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ଅନୁଯାୟୀ ସୁନେତ୍ର ଯୋଜନାରେ ମୋବାଇଲ୍ ଭିଜନ୍ ସେଣ୍ଟର, ନିର୍ଦ୍ଧାରିତ ଭିଜନ୍ ସେଣ୍ଟର ଓ ମଡ୍ୟୁଲାର ଓଟି ମାଧ୍ୟମରେ ଚକ୍ଷୁର ଚିକିତ୍ସା ହେଉଥିବାବେଳେ ଏଥିରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି ।
ଏଥିରେ ୨୦୧୮-୧୯ ମସିହାରେ ଚକ୍ଷୁ ପରୀକ୍ଷା କରାଯାଇ ୧୧ ହଜାରରୁ ଉର୍ଦ୍ଧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୦୧୯-୨୦ରେ ୫୧ ଲକ୍ଷରୁ ଉର୍ଦ୍ଧ ଚକ୍ଷୁ ପରୀକ୍ଷା କରାଯାଇ ୪୪ ହଜାରରୁ ଉର୍ଦ୍ଧ ଚଷମା ବଣ୍ଟନ କରାଯାଇଥିଲା । ୨୦୨୦-୨୧ରେ କୋଭିଡ୍ କଟକଣା ଯୋଗୁଁ ଓ ସ୍କୁଲ ବନ୍ଦ ଥିବାରୁ ଚକ୍ଷୁ ପରୀକ୍ଷା କରାଯାଇ ପାରିନାହିଁ । ସେହିପରି ୨୦୨୦ ଡିସେମ୍ବର ମାସ ସୁଦ୍ଧା ୨୦ଟି ମୋବାଇଲ୍ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ ହୋଇଥିବାବେଳେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଏହା ଅନୁଗୋଳ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାକୁ ସଂପ୍ରସାରିତ ହେବ ।
୨୦୨୧-୨୨ରେ ୭ଟି ଜିଲ୍ଲା, ବାଲେଶ୍ବର, ବୌଦ୍ଧ, କଟକ, ପୁରୀ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋବାଇଲ୍ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରିବ । ୨୦୧୯-୨୦ରେ ଏହା ମାଧ୍ୟମରେ ୨୯ ହଜାରରୁ ଉର୍ଦ୍ଧ ଚକ୍ଷୁ ଚିକିତ୍ସା ହୋଇଥିବାବେଳେ ୨୦୨୦-୨୧ ଡିସେମ୍ବର ସୁଦ୍ଧା ୩ ହଜାରରୁ ଉର୍ଦ୍ଧ ଚକ୍ଷୁ ଚିକିତ୍ସା ସମ୍ଭବ ହୋଇପାରିଛି । କେଭିଡ୍ କଟକଣା ଯୋଗୁଁ ଚିକିତ୍ସା ହାର ହ୍ରାସ ପାଇଛି ।
୨୦୧୮-୧୯ରେ ୫୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଦ୍ଧାରିତ ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିବାବେଳେ, ୨୦୧୯-୨୦ରେ ୫୦ଟି, ୨୦୨୦-୨୧ରେ ୫୦ଟି ଓ ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିବାବେଳେ ୨୦୨୧-୨୨ରେ ରାଜ୍ୟର ୧୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୫୩ଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିବାବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୦୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୨୦୨୧ ସୁଦ୍ଧା ଅଧ୍ବକ ୧୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସମସ୍ତ ଯନ୍ତ୍ରପାତି ଯୋଗାଇ ଦିଆଯିବ ।
ଫଣ୍ଡସ୍ କ୍ୟାମେରା ମାଧ୍ୟମରେ ସମସ୍ତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ୨୦୧୯-୨୦ ସୁଦ୍ଧା ୩ ଲକ୍ଷରୁ ଉର୍ଦ୍ଧ, ୨୦୨୦-୨୧ରେ ୨ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ ଚକ୍ଷୁ ପରୀକ୍ଷା ହୋଇଛି ବୋଲି ଆୟୋଜିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି । ଏହି ଅବସରରେ ଓଡିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ଡିଏମୂଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡ. ଅଜିତ ମହାନ୍ତି ଏବଂ ବିଭାଗୀୟ ଉଚ୍ଚପଦସ୍ଥ ଅଧୁକାରୀମାନେ ଉପସ୍ଥିତ ଥିଲେ ।
Post a Comment