ଭୁବନେଶ୍ୱର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ କ୍ୟାପିଟାଲ୍ ହସ୍ପିଟାଲ୍ର କାର୍ଡିଓଲୋଜି ବିଭାଗର କାର୍ଯ୍ୟକାରିତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ଅନୁଯାୟୀ କ୍ୟାପିଟାଲ୍ ହସ୍ପିଟାଲ୍ର କାର୍ଡିଓଲୋଜିର ବହିର୍ବିଭାଗରେ ୨୦୧୯ରେ ୧୫ ହଜାରରୁ ଉର୍ଦ୍ଧ ହୃଦରୋଗୀ ପଞ୍ଜିକୃତ ହୋଇଥିବାବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ହୋଇଛି ପ୍ରାୟ ୧୬ ହଜାର ।
ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭାଗର ପରିସର ବୃଦ୍ଧି ପାଇଁ ବର୍ତ୍ତମାନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏଠାରେ ବର୍ତ୍ତମାନ ବହିର୍ବିଭାଗ ସହ କାର୍ଡିଓଲୋଜିକାଲ୍ ଇନ୍ଭେଷ୍ଟିଗେସନ୍ ଯଥା-ଇସିଜି, ଗୁଡିଇକୋ, ଟିଏମ୍ଟି ସେବା ସହ ୧୬ଟି ଶଯ୍ୟା ରହିଛି ଓ ସେହିପରି କ୍ୟାଥଲ୍ୟାବ୍ ସର୍ଭିସ୍ରେ ଆଞ୍ଜିଓଗ୍ରାମ୍ ଓ ଆଞ୍ଜି ଓପ୍ଲାଷ୍ଟ ଭଳି ନିଦାନ ବ୍ୟବସ୍ଥା ଚାଲୁ ରହିଛି । କ୍ୟାପିଟାଲ୍ ହସ୍ପିଟାଲ୍ର କାର୍ଡିଓଲୋଜି ବିଭାଗରେ ପ୍ରଫେସର ପି.କେ. ଦାସ ନିର୍ଦ୍ଦେଶକ ଭାବେ ଯୋଗଦେବା ପରେ ବିଭାଗର ନବକଳେବର ଆରମ୍ଭ ହୋଇଛି ଓ ଏବେ ସ୍ଵୟଂକିୟ ତଥା ଚଳଚଞ୍ଚଳ ହୋଇଉଠିଛି । ବିଭାଗର ସଂପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ଏହା ସହିତ ଆଇସିୟୁ ଓ ଗ୍ୟାସ୍ ପାଇପ୍ ଲାଇନ୍ କାର୍ଯ୍ୟ ମଧ୍ୟ ଚାଲିଛି । କାର୍ଡିଓଲୋଜି ବିଭାଗ ସୁପର ସ୍ପେସିଆଲିଟି ବ୍ରାଞ୍ଚ ହୋଇଥିବାବେଳେ ଏଥି ପାଇଁ ଇସିଜି, କ୍ୟାଥୁଲାବ, ଓଟି, ଆଇସିୟୁ ଓ ଇକୋ ଟେକ୍ନିସିଆନ୍ ଭଳି ପଦବୀର ବହୁଳ ଆବଶ୍ୟକତା ଥିବାରୁ ପଦବୀ ସବୁ ଖୁବ୍ଶୀଘ୍ର ପୂରଣ ହେବ । ଏହା ସହିତ ନୂଆକରି ଏକ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍ କିଣିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ଅତ୍ୟାଧୁନିକ ମେସିନ କିଣିବା ଦ୍ଵାରା ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇପାରିବ ।
ଅନ୍ୟପକ୍ଷରେ କ୍ୟାଥଲାବ ପାଇଁ ବାର୍ଷିକ ହାରାହାରି ୧୫ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହେବ ବୋଲି ବୈଠକରେ ହୋଇଥିବା ନିଷ୍ପତ୍ତିରୁ ଜଣାପଡ଼େ । ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ଡିଏମ୍ଇଟି ପ୍ରଫେସର ସି.ବି.କେ. ମହାନ୍ତି, କ୍ୟାପିଟାଲ୍ ହସ୍ପିଟାଲ୍ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ପ୍ରଫେସର ପି.କେ. ଦାସ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
Post a Comment