ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ୨୦୨୦ କ୍ୟାଲେଣ୍ଡର ବର୍ଷ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏ ଆର୍ ସିରିଜ୍ର ପ୍ରଚଳନ କରାଯାଇଛି । ନିରୀହ ଜନସାଧାରଣଙ୍କୁ ବିଭିନ୍ନ ସନ୍ଦିଗ୍ଧ ଅଣବ୍ୟାଙ୍କିଙ୍ଗ୍ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର ମିଥ୍ୟ ପ୍ରଲୋଭନ ଓ ଠକାମିଠାରୁ ଦୂରେଇ ରଖୁବାକୁ ସ୍ଵଳ୍ପସଞ୍ଚୟ ପ୍ରୋତ୍ସାହନ ଯୋଜନା ଅନେକାଂଶରେ ସଫଳ ହୋଇଛି । କରୋନା ମହାମାରୀଜନିତ ପରିସ୍ଥିତି ପାଇଁ ‘ଏ ଆର୍’ ସିରିଜ୍ର କୁପନ ବିତରଣ ପ୍ରକ୍ରିୟା ଆରମ୍ଭ କରିବା ବିଳମ୍ବିତ ହୋଇଛି । କୁପନ ସଂଗ୍ରହ କରିବା ସମୟରେ ଜମାକାରୀମାନେ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ତରଫରୁ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକାକୁ ଅନୁପାଳନ କରିବା ପାଇଁ ଅନୁରୋଧ କରାଯାଇଛି ।
ଏହି ଯୋଜନା ମାଧ୍ୟମରେ ସ୍ବଳ୍ପ ସଂଚୟ ଜମାକାରୀମାନଙ୍କୁ ୱେବ୍ ଉତ୍ପନ୍ନ ମାଗଣା ପ୍ରୋତ୍ସାହନ କୁପନର ବିତରଣ ପ୍ରକ୍ରିୟା ୨୨ ଜାନୁଆରୀ ୨୦୨୧ଠାରୁ ଆରମ୍ଭ ହୋଇଛି ଏବଂ ଏହା ୩୧ ମଇ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେଉଁ ଜମାକାରୀମାନେ ଓଡ଼ିଶାସ୍ଥିତ ଯେ କୌଣସି ଡାକଘର ବା ବ୍ୟାଙ୍କମାନଙ୍କରେ ସ୍ୱଳ୍ପ ସଞ୍ଚୟ ଯୋଜନା ଅନ୍ତର୍ଗତ କିଷାନ ବିକାଶ ପତ୍ର, ସୁକନ୍ୟା ସମୃଦ୍ଧି ଯୋଜନା, ସ୍ୱଳ୍ପ ସଞ୍ଚୟ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ଅଷ୍ଟମ ଇସ୍ୟୁ, ପବ୍ଲକ ପ୍ରେଭିଡେଣ୍ଟ ଫଣ୍ଡ, ଡାକଘର ମାସିକ ଆୟ ଯୋଜନା, ଜାତୀୟ ସଞ୍ଚୟ ମାସିକ ଆୟ ଯୋଜନା, ଡାକଘର ପୌନଃପୁନିକ ଜମା/ଜାତୀୟ ସଞ୍ଚୟ ପୌନଃପୁନିକ ଜମା ଏବଂ ପାଞ୍ଚ ବର୍ଷିଆ ଡାକଘର ଅବଧି ଜମା/ପାଞ୍ଚ ବର୍ଷିଆ ଜାତୀୟ ସଞ୍ଚୟ ଅବଧେ ଜମା ଆଦି ଯୋଜନାମାନଙ୍କରେ ଅନ୍ୟୁନ ୨ ହଜାର ଟଙ୍କା ୨୦୨୦ ମସିହା ଜାନୁଆରୀ ୧ ତାରିଖଠାରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଜମା କରିବେ, ସେମାନେ ଚାହିଁଲେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବେ ।
ଏଥିରେ ପ୍ରତ୍ୟେକ ୨ ହଜାର ଟଙ୍କା ଜମା ରାଶି ପିଛି ଗୋଟିଏ ମାଗଣା କୁପନ ଆବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି । ଏହି କୁପନ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ୍ ଉନ୍ନୟନ ଅଧୁକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ । ଏହି ଯୋଜନାର ଏକ ରାଜ୍ୟସ୍ତରୀୟ ଉଠାଣ ୨୦୨୧ ମସିହା ଜୁଲାଇ ୧୮ ତାରିଖରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏହି ଯୋଜନାରେ ଅଂଶଗ୍ରହଣ କରିବା ସଂପୂର୍ଣ୍ଣ ଦେୟମୁକ୍ତ ଅଟେ । ଏଥିରେ ସମୁଦାୟ ସାତଟି ବର୍ଗରେ ୭୪ ଲକ୍ଷ ଟଙ୍କା ମୂଲ୍ୟର ୨୪୨୮ଟି ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରଥମ ପୁରସ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ସପ୍ତମ ପୁରସ୍କାରର ମୂଲ୍ୟ ୨ ହଜାର ଟଙ୍କା ରଖାଯାଇଛି । ଏହି ଯୋଜନାଟି ଜନସାଧାରଣଙ୍କ ମଧ୍ୟରେ ବିଶେଷ ଆଦୃତ ହେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବର୍ଷ କ୍ରମାଗତ ଭାବେ ଏହାର ଲୋକପ୍ରିୟତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ।
Post a Comment