ଭୁବନେଶ୍ୱର, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫେବୃଆରୀ ୧୭ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଅନ୍ତର୍ଗତ ଭେଡା ସାଲେପୁର ଗାଁରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡକୁ ୫ ଦିନ ବିତିଥିଲେ ବି ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ ନକରିବା ପୋଲିସର ପାରିବାପଣିଆ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧୀ ଦଳ ଭେଡା ସାଲେପୁର ଗାଁ କୁ ଯାଇ ଘଟଣା ସ୍ଥଳରେ ପଂହଚି ହତ୍ୟାକାଣ୍ଡ ଘଟଣାର ସରଜମିନ ତଦନ୍ତ କରି ଫେରିଛି । ପ୍ରତିନିଧୀ ଦଳ ମୃତା ମହିଳାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ଥାନୀୟ ଥାନା ଅଧୁକାରୀଙ୍କ ସହ ହତ୍ୟାକାଣ୍ଡ ସଂପର୍କରେ ଆଲୋଚନା କରି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଗତ ୨ ମାସ ଭିତରେ କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ହତ୍ୟାକାଣ୍ଡ ଗୋଟେ ସାଧାରଣ ଘଟଣା ପାଲଟିଛି । ଜାନୁଆରୀ ମାସରେ ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳକୁ ରାଜନୈତିକ ହତ୍ୟା କରାଯାଇଥିଲା ।
ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିଲା । ଏବେ ପୁଣି ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣା ମହାଙ୍ଗା ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତି କିପରି ଅଛି ତାହା ସ୍ପଷ୍ଟ କରୁଛି ବୋଲି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର ଆକ୍ଷେପ କରି କହିଛନ୍ତି । ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକଙ୍କ ଠାରୁ ପ୍ରତିନିଧୀ ଦଳ ଜାଣିବାକୁ ପାଇଲା ଯେ, ସ୍ଥାନୀୟ ଅଂଚଳର କିଛି ଦୁବୁର୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ।
ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ଚପେଇଦେବା ପାଇଁ ଅପପ୍ରୟାସ କରିଥିଲା । ପୋଲିସ କାହିଁକି ପ୍ରଥମରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କଲା ନାହିଁ ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, କୋଷାଧ୍ୟକ୍ଷା ସୁବାସିନୀ ବଳ, ମହିଳା ମୋର୍ଚ୍ଚା ସଦର ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖ ସାମିଲ ଥିଲେ ।
Post a Comment