ଭୁବନେଶ୍ୱର, ଭୁବନେଶ୍ୱରରର ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଆଜି ଚତୁର୍ଥ ଦିବସରେ ହସ୍ତଶିଳ୍ପ କ୍ରୟ ପାଇଁ ଲୋକମାନଙ୍କର ଆଗ୍ରହ ବଢ଼ିଥିବା ପରିଲକ୍ଷିତ ହେଉଛି । ଏହି ପ୍ରଦର୍ଶନୀରେ ବିଶେଷ ଭାବରେ ଆୟୋଜିତ ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପ ଗ୍ୟାଲେରୀ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜାତୀୟ ଓ ରାଜ୍ୟସ୍ତରରେ ପୁରସ୍କୃତ ହସ୍ତଶିଳ୍ପ କାରିଗରମାନେ ୧୦ଟି ସ୍ଵତନ୍ତ୍ର ଷ୍ଟଲରେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି ।
ଏତଦ୍ବ୍ୟତୀତ ଓଡ଼ିଶାରୁ ଲୁପ୍ତପ୍ରାୟ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ୧୧ଟି ସ୍ଵତନ୍ତ୍ର ଷ୍ଟଲମାନଙ୍କରେ ସ୍ଥାନ ପାଇଛି । ଯେହେତୁ ଏହି ପ୍ରଦର୍ଶନୀରେ ରାଜ୍ୟର ୧୯ଟି ଜିଲ୍ଲାରୁ ହସ୍ତଶିଳ୍ପ କାରିଗରମାନେ ଅଂଶଗ୍ରହଣ କରୁଛନ୍ତି ଓ ହସ୍ତଶିଳ୍ପ ଅନ୍ତର୍ଗତ ୨୬ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶିତ ତଥା ବିକ୍ରୟ ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ଦର୍ଶକମାନଙ୍କର ଆଗ୍ରହ ବୃଦ୍ଧି ପାଇଛି । ପ୍ରଦର୍ଶନୀରେ ନଡ଼ାରେ ତିଆରି ବିଭିନ୍ନ ଘର ସଜେଇବା ସାମଗ୍ରୀ, ନଡ଼ାର ଆକର୍ଷଣୀୟ କୃତିକୁ ଫଟୋ ପ୍ରେମ ମଧ୍ୟରେ ବିଭିନ୍ନ ଦେବଦେବୀ, ସୁନ୍ଦର ବୃକ୍ଷ, ହାତୀ, ଫୁଲ ଇତ୍ୟାଦି ଷ୍ଟଲ୍ରେ ବିକ୍ରୟ ହେଉଛି ।
ସେହିପରି ପିପିଲି ଚାନ୍ଦୁଆ କାମର ବ୍ୟାଗ, ଘର ସଜେଇବା ଜିନିଷ, ଡୋକ୍ରା କାଷ୍ଟିର ଦୀପରୂଖା, ପଶୁପକ୍ଷୀ, କଇଁଚ, ମହମବତୀ ଷ୍ଟାଣ୍ଡ, ଦେବଦେବୀଙ୍କର ମୂର୍ତ୍ତି ଇତ୍ୟାଦି ଖୁବ୍ ମନଲୋଭା ହୋଇଛି । ଫୁଲଦାନୀ, ବେଲଣାପିଢ଼ା, ଅଳଙ୍କାର ବାକ୍ସ, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଦି କାଠଶିଳ୍ପର ବିଭିନ୍ନ ସାମଗ୍ରୀ ସହ ଶିଙ୍ଗ ତିଆରି ପାନିଆ, ବଗ, ପେନ୍ଷ୍ଟାଣ୍ଡ, ମହମବତୀ ଷ୍ଟାଣ୍ଡ ଆଦି ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି । ଧାନ ଓ ନଡ଼ାରେ ତିଆରି ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ବେଶ୍ ଆଦୃତ ହେଉଛି ।
ଟେରାକୋଟା ଓ କଂସା ବାସନ ସାମଗ୍ରୀଗୁଡ଼ିକ ମଧ୍ୟ ଖୁବ୍ ବିକ୍ରି ହେଉଛି । ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ୨୪ ତାରିଖ ଦିନ ଉଦ୍ଘାଟିତ ହୋଇଛି ଓ ଏଥିରେ ୧୧୧ଟି ଷ୍ଟଲ ନିର୍ମାଣ କରାଯାଇଛି । ପ୍ରଦର୍ଶନୀରେ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
Post a Comment