ଭୁବନେଶ୍ୱର, ଦେଶର ୨୮ଟି ବିଧାନସଭା ଏବଂ ୮ଟି ବିଧାନ ପରିଷଦର କାର୍ଯ୍ୟ ସମ୍ପାଦନରେ କମ୍ପୁଟର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ନେଇ ନିଷ୍ପତ୍ତି ନିଆଯାଇଥିବା ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପାର୍ଲିଆମେଣ୍ଟ ହାଉସ୍ ଠାରେ ପ୍ରିଜାଇଡିଂ ଅଫିସରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାର ତୃତୀୟ କମିଟି ବୈଠକ ଆସାମ ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର, ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ସମେତ ତେଲେଙ୍ଗାନା, ପଣ୍ଡିଚେରୀ ବିଧାନସଭା ସଚିବ ଯୋଗ ଦେଇଥିଲେ ।
ଓଡ଼ିଶା ବିଧାନସଭା ତରଫରୁ ପୂର୍ବରୁ ଇ-ବିଧାନସଭା ଉପରେ ପ୍ରଦତ୍ତ ରିପୋର୍ଟ ଉପରେ ଏହି ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭାରେ ପ୍ରଥମେ କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ହୋଇ ପ୍ରଥମ ଇ-ବିଧାନସଭାର ମାନ୍ୟତା ଲାଭ କରିଥିବା ସ୍ଥଳେ ସମ୍ପ୍ରତି ଓଡ଼ିଶା ବିଧାନସଭା ତରଫରୁ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଇ-ବିଧାନସଭା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଗ୍ରହଣ କରିଥିବା କାର୍ଯ୍ୟ ସମ୍ପର୍କରେ ବାଚସ୍ପତି ଡ଼ଃ. ପାତ୍ର ଭିଡିଓ ମାଧ୍ୟମରେ ତଥ୍ୟ ରଖିଥିଲେ । ମିଶନ୍ ମୋଡ୍ ପ୍ରୋଜେକ୍ଟରେ କାର୍ଯ୍ୟକାରୀ ହେଉଥିବା ଇ-ବିଧାନସଭା ଜନସାଧାରଣଙ୍କ ଆଶା, ଆକାଂକ୍ଷାକୁ ଯଥାର୍ଥ ରୂପେ ପ୍ରତିପାଳିତ କରିବା ସହ ସାଧାରଣ ଜନତାଙ୍କୁ ବିଧାନସଭା ସହ
ଯୋଡିପାରିବ ବୋଲି ଦର୍ଶାଇଥିଲେ ।
ଏଥିପାଇଁ ୧୨ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ସ୍ଥଳେ ୮ କୋଟି ୫୬ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ଏବଂ ପ୍ରଥମ କିସ୍ତିରେ ସଂସଦୀୟ ବ୍ୟାପାର ବିଭାଗ
ତରଫରୁ ୧ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ବାଚସ୍ପତିଙ୍କ ତତ୍ତ୍ୱାବଧାନରେ ଲ୍ୟାନ୍, ୱାଇ-ଫାଇ ଏବଂ ଭିଡିଓ କନଫେରେନସିଂ ବ୍ୟବସ୍ଥା ଗ୍ରହଣ କରାଯାଇସାରିଛି ଏବଂ ବିଧାନସଭା କର୍ମଚାରୀଙ୍କ ପାଇଁ ୧୫୦ଟି ଡେସ୍କଟପ୍ ସିଷ୍ଟମ୍ ଯୋଗାଇଦିଆଯାଇଛି । ନେଭା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ୧୦ ଜଣ ପ୍ରୋଗାମରମାନଙ୍କୁ ବିନିଯୋଗ କରାଯାଇଛି ଏବଂ ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ପବ୍ଲିକ୍ ପୋର୍ଟାଲରେ ନିୟମିତ ଭାବେ ଅପ୍-ଡେଟ୍ କରାଯାଉଛି । ବିଧାନସଭାର ପ୍ରରମ୍ଭିକ ଅଧିବେଶନରେ ୧୮ ଫେବୃୟାରୀ ଦିନ ରାଜ୍ୟପାଳଙ୍କ ପ୍ରଦତ୍ତ ଅଭିଭାଷଣ ନେଭା ମାଧ୍ୟମରେ ପ୍ରଥମେ ବିଦାନସଭା ସଭ୍ୟ ଏବଂ ପରେ ପରେ ସମସ୍ତ ଜନସାଧାରଣଙ୍କୁ ନେଭା ମୋବାଇଲ୍ ଆପ୍ ଜରିଆରେ ଯୋଗାଇ ଦିଆଯାଇଛି ।
୨୨ ଫେବୃୟାରୀରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ ମଧ୍ୟ ନେଭାର ମୋବାଇଲ୍ ଆପ୍ ରେ ବିନା କାଗଜରେ ଆଗତ କରାଯାଇଥିଲା । ସି.ପି.ଏମ୍.ୟୁ, ନେଭା ଏବଂ ଏନ୍.ଆଇ.ସି. ପାର୍ଲିଆମେଣ୍ଟ ଡିଭିଜନ୍ ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କୁ ଏଦିଗରେ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାକୁ ବ୍ୟବସ୍ଥା ଗ୍ରହଣ କରୁଛି । ବିଧାନସଭା ସଚ୍ଚିବାଳୟ ପାଇଁ ୬୬ଟି ଡେସ୍କଟପ୍ କିଣା ବାବଦରେ ୪୬ ଲକ୍ଷ ୫୭ ହଜାର ୩୧୩ ଟଙ୍କା, ଲାନ୍, ୱାଇ-ଫାଇ ଏବଂ ଭିଡିଓ କନଫରେନସିଂ ବ୍ୟବସ୍ଥା ୧ କୋଟି ୩୬ ଲକ୍ଷ ୬୫ ହଜାର ୨୪୬ ଟଙ୍କା,
ବିଧାନସଭା ଗୃହ ମଧ୍ୟରେ ଭିଡିଓ କନଫରେନସିଂ ବ୍ୟବସ୍ତା ଗ୍ରହଣ ବାବଦରେ ୧୦ ଲକ୍ଷ ୫୭ ହଜାର ୫୭୦ ଟଙ୍କା ଏ ପର୍ଯ୍ୟନ୍ତ ବ୍ୟୟ କରାଯାଇଛି ।
ଇ-ବିଧାନସଭା କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭାର କାର୍ଯ୍ୟକୁ ବୈଠକରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରକାଶୟୋଗ୍ୟ ଯେ ଓଡ଼ିଶା ବିଧାନସଭା ତରଫରୁ ପ୍ରଦତ୍ତ ଇ-ବିଧାନସଭା ସମ୍ପର୍କିତ ପ୍ରକଳ୍ପକୁ ମଡେଲ ପ୍ରକଳ୍ପ ରୂପେ ସମଗ୍ର ଦେଶରେ ଗ୍ରହଣ କରାଯାଇଛି ।
Post a Comment