loading...

ଦ୍ଵାଦଶ ଦିନରେ ଆଦିବାସୀ ମେଳା ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିଛି

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ସାଧାରଣତନ୍ତ୍ର ଦିବସରୁ ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ

ଦ୍ଵାଦଶ ଦିନରେ ଆଦିବାସୀ ମେଳା ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିଛି

ଭୁବନେଶ୍ୱର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ସାଧାରଣତନ୍ତ୍ର ଦିବସରୁ ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ଦ୍ଵାଦଶ ଦିନରେ ପହଁଚିଛି । ଏହି ମେଳାରେ ରାଜ୍ୟର ୬୨ ବର୍ଗର ଜନଜାତିଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ବାସ୍ତବ ଚିତ୍ରକୁ ଆକର୍ଷଣୀୟ ଭାବରେ ପ୍ରତିଫଳିତ କରାଯାଇଛି । ଆଦିବାସୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କଳା, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀକୁ ରାଜଧାନୀବାସୀ ଦେଖୁବା ଓ କିଣିବା ପାଇଁ ଏହି ମେଳା ଜରିଆରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । 

ଏଥିରେ ସମୁଦାୟ ୯୦ଟି ଷ୍ଟଲ ବା ମଣ୍ଡପ ଖୋଲିଥିବା ବେଳେ ଏ ସବୁରେ ଜନଜାତି ବର୍ଗର ଜୀବନଶୈଳୀ, କଳାକୁଶଳତା ଓ ଜୀବିକା ନିର୍ବାହ ପ୍ରଣାଳୀ ସମ୍ପର୍କରେ ଦର୍ଶକମାନେ ବହୁ ତଥ୍ୟ ଜାଣି ପାରୁଛନ୍ତି । ବର୍ତମାନ ଜନଜାତି ବର୍ଗଦ୍ବାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହର ଅଂଚଳରେ ଏହି ସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ବର୍ଷକର ବ୍ୟବଧାନ ପରେ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ବିରଳ ସୁଯୋଗ ଆଣି ଦେଇଛି । ଆଦିବାସୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍ ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧୁକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ । 

ଗ୍ରାହକମାନଙ୍କର ଭିଡ଼ ଯୋଗୁଁ କିଛି ସମୟ ଚଳଚଂଚଳ ହୋଇ ଉଠୁଛି ମେଳା ପରିସରର ବିଭିନ୍ନ ମଣ୍ଡପ । ଚଳିତ ବର୍ଷର ଆଦିବାସୀ ମେଳାର ଏକ ବଡ଼ ବିଶେଷତ୍ୱ ହେଉଛି, ରାଜ୍ୟର ପୁରପଲ୍ଲୀରେ ପରିବ୍ୟାପ୍ତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ । ବିଭିନ୍ନ ଜିଲ୍ଲାର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ) ସହାୟତାରେ ସେମାନେ ମେଳା ପରିସରକୁ ଆସି ବେପାର ବାଣିଜ୍ୟର ପସରା ମେଲାଇ ଦେଇଛନ୍ତି । 

ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟସଶ୍ୟ ଯଥା- ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ବାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡ଼ୁ ଆଦି କିଣିବା ପାଇଁ ଆଜି ଛୁଟିଦିନ ଥିବାରୁ ଅପରାହ୍ନରେ ଦର୍ଶକଙ୍କ ବିଶେଷ ଗହଳି ଦେଖବାକୁ ମିଳିଥିଲା । ଗୃହିଣୀମାନେ ଆଉ ଯାହା କିଣନ୍ତୁ ବା ନ କିଣନ୍ତୁ, କିନ୍ତୁ ହାତରେ ଗୋଟିଏ ଫୁଲଝାଡୁ କିମ୍ବା ହଳଦୀଗୁଣ୍ଡ ଓ କେନ୍ଦୁଝର ବଡ଼ି ପ୍ୟାକେଟ୍ ଧରି ଫେରୁଥିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget