ଭୁବନେଶ୍ୱର, ଗତକାଲି ଏକ ତୋଫାନୀ ଗସ୍ତରେ ହେଲିକପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଗଦ୍ଧମାର୍ଦ୍ଦନ ପାହାଡର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ । ଏହି ଗସ୍ତରେ କଣ ଗୁପ୍ତ ଏଜେଣ୍ଡା ରହିଛି ତାହା ରାଜ୍ୟ ସରକାର ରାଜ୍ୟ ସ୍ପଷ୍ଟ କରନ୍ତୁ ବୋଲି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଗତ ୧୧ ବର୍ଷ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ମୃସିଂହନାଥ ମନ୍ଦିର ପରିଦର୍ଶନ କରିବାକୁ ଆସି ଏହି ପର୍ଯ୍ୟଟନ ସ୍ଥଳୀର ସମସ୍ତ ପ୍ରକାରର ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି ଘୋଷଣା କରି ଯାଇଥିଲେ ।
ରାଜ୍ୟ ସରକାର ପଶ୍ଚିମ ଓଡିଶାର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଓ ହରିଶଙ୍କର ର କୌଣସି ପ୍ରକାରର ବିକାଶ କଲେ ନାହିଁ । ଏବେ ୧୧ ବର୍ଷ ପରେ ରାଜ୍ୟ ସରକାର ଏହି ଦୁଇ ପର୍ଯ୍ୟଟନସ୍ଥଳୀକୁ ମନେ ପକାଇଥିବାରୁ ଶ୍ରୀ ପୁରୋହିତ ଏହାକୁ ସ୍ବାଗତ କରିଛନ୍ତି । ଗନ୍ଧମାର୍ଦ୍ଦନ ପାହାଡର ପ୍ରାକୃତିକ ଶୋଭାରେ ଭରପୂର ଏହି ଦୁଇ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଶ୍ରୀ ପୁରୋହିତ ସ୍ବାଗତ କରିବା ସହ ଏକଦା ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନ ଦ୍ବାରା ଗନ୍ଧମାର୍ଦ୍ଦନ ପାହାଡରେ ପ୍ରତିଷ୍ଠିତ ବୌଦ୍ଧ ବିଶ୍ବବିଦ୍ୟାଳୟକୁ ଚିହ୍ନଟ ଓ ତାର ସୁରକ୍ଷା, ନୃସିଂହନାଥ ରୁ ହରିଶଙ୍କର ଭିତରେ ଯାତ୍ରୀମାନଙ୍କ ପାଇଁ ରୋପୱେ ନିର୍ମାଣ,ଯାତ୍ରାମାନଙ୍କ ପାଇଁ ରହିବାର ପର୍ଯ୍ୟାପ୍ତ ବ୍ୟବସ୍ଥା, ନୃସିଂହନାଥ ଓ ହରିଶଙ୍କରକୁ କେନ୍ଦ୍ରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଏବଂ ସର୍ବୋପରି ଗନ୍ଧମାର୍ଦ୍ଦନ ପାହଡରେ ଉପଲବ୍ଧ ୨୨ ଶହ ପ୍ରକାରର ଦୁର୍ଲଭ ବନୌଷଧୁର ସୁରକ୍ଷା ସହ ଏକ ଔଷଧୀୟ ପ୍ରକଳ୍ପ ସ୍ଥାପନା କଲେ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବା ସହ ସ୍ଥାନୀୟ ଯୁବକମାନଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଯଦି ଏହି ଦୁଇଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଚଳିତ ବଜେଟ ଅଧିବେଶନରେ ରାଜ୍ୟ ସରକାର ପାଣ୍ଠିର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି । ବେଦାନ୍ତ କଂପାନୀକୁ ବକ୍ସାଇଟ ଯୋଗାଇ ଦେବା ପାଇଁ ଗନ୍ଧମାର୍ଦ୍ଦନକୁ ସଚିବମାନଙ୍କର ଗୁପ୍ତ ଏଜେଣ୍ଡା ଅଛି ତେବେ ରାଜ୍ୟ ସରକାର ଏହାକୁ ପ୍ରକାଶ କରନ୍ତୁ । ଯଦି ଗଦ୍ଧମାର୍ଦ୍ଦନରେ ଖଣିଖଣନନ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଅଛି ତେବେ ଏହାକୁ ପଶ୍ଚିମ ଓଡିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପୁରୋହିତ ଚେତବାନୀ ଦେଇଛନ୍ତି ।
Post a Comment