ଭୁବନେଶ୍ବର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନ କରି ଉଭୟ ମନ୍ଦିର ଉନ୍ନୟନ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ଟିମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ, ଜଳ ସଂପଦ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀ ଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଭିନିଲ୍ କ୍ରିଷ୍ଣା ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ଗ୍ରସ୍ତ କରିଥିଲେ ।
ଗସ୍ତ ପରେ ପରେ ସମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବିକାଶ ପାଇଁ ଖୁବ୍ ଶିଘ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ । ଏଥିପାଇଁ ଏକ ବିଶେଷଜ୍ଞ ସ୍ଥପତି ଦଳ ପଠାଯିବ । ପ୍ରକଳ୍ପ ପ୍ରସ୍ତୁତି ସମୟରେ ସେବାୟତ, ସ୍ଥାନୀୟ ନେତୃବୃନ୍ଦ ଓ ଜନ ସାଧାରଣଙ୍କ ସହ ଆଲୋଚନା କରାଯିବ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ମଧ୍ୟରେ ଥିବା "ଟ୍ରାକିଂ ରୁଟ୍" ର ବିକାଶ କରାଯିବ । ପର୍ଯ୍ୟଟକ ମାନଙ୍କ ନିମନ୍ତେ 'ରୁଟ୍ ପାର୍ଶ୍ବରେ ସୁବିଧା କେନ୍ଦ୍ର (ଆମେନିଟିଜ୍ ସେଣ୍ଟର) ମଧ୍ୟ ଖୋଲାଯିବ । ଏହି ଅବସରରେ ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏହି ଦୁଇଟି ମନ୍ଦିରକୁ ମଧ୍ୟ ପରିବେଶ ପର୍ଯ୍ୟଟନ(ଇକୋ-ଟୁରିଜିମ୍) କେନ୍ଦ୍ରଭାବେ ମଧ୍ୟ ବିକଶିତ କରାଯିବ । ପରେ ପରେ ଏହି ଉଚ୍ଚସ୍ତରୀୟ ଦଳ ସୁତେଲ ପ୍ରକଳ୍ପ ପରିଦର୍ଶନ କରି ଏହାର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ ।
Post a Comment