ଭୁବନେଶ୍ୱର, ଟୋକିଓ ଅଲିମ୍ପିକ୍ ପାଇଁ ଅସିଚାଳନାରେ କ୍ୟାଲିଫାଏ କରିଥିବା କିଟ୍ ଛାତ୍ରୀ ସିଏ ଭବାନୀ ଦେବୀଙ୍କୁ କିଟ୍ ଓ କିସ୍ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍ କାଲିଫାଏ କରିବାରେ ଭବାନୀ ହେଉଛନ୍ତି ପ୍ରଥମ ଭାରତୀୟ । ତାମିଲନାଡୁର ଝିଅ ଓ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭବାନୀ ଇଟାଲୀରୁ ଭାରତ ଫେରିବା ପରେ ଆଜି ସକାଳେ ସେ ଭୁବନେଶ୍ୱର ପହଞ୍ଚିଥିଲେ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମାଆ ଓ କୋଙ୍କ ସହ ଭବାନୀ ପହଞ୍ଚିବା ପରେ ତାଙ୍କୁ କିଟ୍ ଓ କିସ୍ ପକ୍ଷରୁ ସ୍ବାଗତ କରାଯାଇଥିଲା । କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଭବାନୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତୀୟ ଅସି ଚାଳନା ସଂଘର ମହାସଚିବ ବସିର ଏ ଖାନ୍, ଓଡ଼ିଶା ଅସି ଚାଳନା ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, ଗ୍ରୀନ୍ ମ୍ୟାନ୍ ଡ. ଅବଦୁଲ ଘନୀ, ଦୌଡ଼ ରାଣୀ ଦୂତି ଚାନ୍ଦ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଭବାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଭବାନୀ କହିଲେ, କିଟ୍ ବିଶ୍ୱବିଦ୍ୟାଳୟ ତାଙ୍କ ପାଇଁ ଭାଗ୍ୟବାନ୍ ପ୍ରମାଣିତ ହୋଇଛି । ସେ କିଟ୍ରେ ନାମ ଲେଖାଇବା ପରେ ଟୋକିଓ ଅଲିମ୍ପିକୁ କ୍ବାଲିଫାଏ କରିପାରିଛନ୍ତି । ସେ ପିଲାଟି ଦିନରୁ ଅଲିମ୍ପିକୁ ଯିବା ପାଇଁ ତାଙ୍କ ଲକ୍ଷ୍ୟ ରହିଥିଲା । ସେହି ଲକ୍ଷ୍ୟ ହାସଲ କରିବା ଲାଗି ବହୁ ସଂଘର୍ଷ ଓ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି ସେ କହିଥିଲେ ।
ଏଥିପାଇଁ ସେ ତାଙ୍କର ପିତାମାତା, ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରହି ଆସିଥିବା ତାଙ୍କ କୋମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅଲିମ୍ପିରେ ପହଞ୍ଚିବା ପଛରେ ଦୂତି ଚାନ୍ଦ ହେଉଛନ୍ତି ମୋ ପାଇଁ ପ୍ରେରଣା । ଦୁତି କେବଳ ମୋ ପାଇଁ ନୁହେଁ, ହଜାର ହଜାର କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ଭବାନୀ କହିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଭବାନୀଙ୍କୁ ଅଭିନନ୍ଦନ ଜଣାଇ କହିଲେ, କିଟ୍ ଓ କିସ୍ କେବଳ ଶିକ୍ଷା ନୁହେଁ, କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ଅଗ୍ରାଧିକାର ଦେଇ ଆସୁଛି। କିଟ୍ ଓ କିସ୍ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ସର୍ବାଧିକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି ।
ଏଠାରୁ ଏବେ ସୁଦ୍ଧା ୫ହଜାରରୁ ଊଦ୍ଧ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ବାହାରି ସାରିଲେଣି। ଅଲିମ୍ପିକରେ କିଟ୍ ଓ କିସ୍ରୁ ୪ରୁ ୫ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଭବାନୀ ଓ ଦୃତି ଟୋକିଓ ଅଲିମ୍ପିକରେ ନିଶ୍ଚିତ ପଦକ ଜିତିବେ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଭବାନୀଙ୍କ ମାଆ ସି ଏ ରମଣୀ, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସ୍ର ପଦାଧିକାରୀ ଉପସ୍ଥିତ ଥିଲେ।
Post a Comment