ଭୁବନେଶ୍ୱର, ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଲ୍ଲୀ ଚାରିପାଖ ସତ୍ୟାଗ୍ରହ ସ୍ଥଳରେ କୃଷକ ସହିଦ ସ୍ତମ୍ଭ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରାଯାଉଛି ମାଟି ସତ୍ୟାଗ୍ରହ ଯାତ୍ରା ଜରିଆରେ। ଗତ ମାର୍ଚ୍ଚ ୩୦ ତାରିଖରୁ ମହାତ୍ମାଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ସ୍ଥାନ ଗୁଜରାଟର ଦାଣ୍ଡିର ଗାନ୍ଧୀ - ପ୍ରାର୍ଥନା ସ୍ଥାନରୁ ମାଟି ସଂଗ୍ରହ କରାଯାଇ ଯାତ୍ରା ଆରମ୍ଭ କରିଛନ୍ତି ଲୋକ ଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟର ନେତା ଡ. ସୁନୀଲମ, ଆମେ ଭାରତବାସୀ ତଥା ମହାରାଷ୍ଟ୍ରର ଡ. ଫିରୋଜ୍ଜ୍, ଗୁଜରାଟର ପରିବେଶ ସୁରକ୍ଷା ଆନ୍ଦୋଳନର କର୍ମୀ କୃଷ୍ଣକାନ୍ତ, ଦିଲ୍ଲୀର ସାମାଜିକ କର୍ମକର୍ତ୍ତା ସବନମ ହାସ୍ମି, ଯୁବ ସମାଜବାଦୀ ନେତ୍ରୀ ଗୁଡ଼ି, ଅଧ୍ୟାପିକା ଡ. ଲତା ମଧୂର୍କର ଏପରି ଭାବେ ୨୫ ଜଣ ବରଦୋଲି, କିମି, ଭରୁଚ, ଗାନ୍ଧୀଙ୍କ ଦ୍ଵାରା ପ୍ରତିଷ୍ଠିତ ସେବାଶ୍ରମ, ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ ଦେଇ ଅହମ୍ମଦାବାଦରେ ଆଜି ପହଞ୍ଚିଛନ୍ତି।
ବିଭିନ୍ନ ସ୍ଥାନରେ କୃଷକମାନେ ଗୁଜରାଟ ଖେଡୁ ସମାଜର ନେତୃତ୍ୱରେ ମାଟି ସଂଗ୍ରହ କରି ଅଭିଯାତ୍ରୀ ଦଳଙ୍କୁ ଦେଉଛନ୍ତି। ଗୁଜରାଟର ଚାଷୀଙ୍କୁ ଧୋକା କରି ଆଦାନୀ ଆମ୍ବାନୀ ପାଇଁ ସରକାର ସବୁ କିଛି କରୁଛନ୍ତି ବୋଲି ଚାଷୀ ଅସନ୍ତୁଷ୍ଟ । ମାଟି ବଞ୍ଚାଅ ଦେଶ ବଞ୍ଚାଅ ଡାକରା ଦେଇ କୃଷକ ବିରୋଧୀ କଳା କୃଷି ଆଇନ୍ ପ୍ରତ୍ୟାହାର କରି ଫସଲର ଉଚିତ୍ ଦାମ ପାଇଁ ଆଇନ୍ କରିବାକୁ ଯାତ୍ରାର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମନ୍ତରା କହିଛନ୍ତି । ଓଡ଼ିଶାରୁ କୃଷକ ଅଧିକାର ଯାତ୍ରା ବେଳେ ସଂଗୃହିତ ମାଟି ଧରି ଶ୍ରୀ ସାମନ୍ତରା ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରା ଏପ୍ରିଲ ୫ ରେ ଦିଲ୍ଲୀ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚିବ। ମଧ୍ୟପ୍ରଦେଶ ବଡ଼ୱାନିରୁ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର ମାଟି ସତ୍ୟାଗ୍ରହ ଯାତ୍ରା ଆରମ୍ଭ କରିଛନ୍ତି।
Post a Comment