ଭୁବନେଶ୍ୱର, ରାଜ୍ୟ ଔଷଧ ନିଗମ କୋଭିଜ୍-୧୯ର ମୁକାବିଲା ଲାଗି ଉଦ୍ଦିଷ୍ଟ ସାମଗ୍ରୀ ପିପିଇ କିଟ୍, ସାନିଟାଇଜର ଓ ମାସ୍କ କିଣାରେ ବ୍ୟାପକ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଗତ ଜୁନ୍ ୮ ତାରିଖରେ ସର୍ବପ୍ରଥମେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଯେଉଁ ମାମଲା ଦାୟର କରାଯାଇଥିଲା ସେଥିରେ ବିଭିନ୍ନ ବିଭାଗ ସଚିବଙ୍କ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯାହାର କେସ୍ ନମ୍ବର LY-583/2020 । ପୂର୍ବରୁ ବରିଷ୍ଠ ପ୍ରଶାସନିକ ଅଧୁକାରୀମାନେ ବିଭିନ୍ନ ସମୟରେ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ ।
ଗତ ତା ୭.୧୨.୨୦୨୦ରିଖରେ ମାନ୍ୟବର ଲୋକାୟୁକ୍ତଙ୍କ ସ୍ପେଶାଲ ବେଞ୍ଚରେ ଶୁଣାଣୀ ଦୀର୍ଘ ସମୟ ଧରି ଚାଲିଥିଲା । ଉଭୟ ଆବେଦନକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଭିଜିଲାନ୍ତିକୁ ଏହାର ପ୍ରାଥମିକ ତଦନ୍ତ କରି ଦୁଇମାସ ମଧ୍ୟରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ତା ୧୬.୦୩.୨୦୨୧ ରିଖରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ପ୍ରଥମେ ମାନ୍ୟବର ଲୋକାୟୁକ୍ତ ଆମକୁ ଏହି ରିପୋର୍ଟ ଅନୁଧ୍ୟାନ କରିବାକୁ ଦିଆଯିବ ବୋଲି କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆମେ ଏହା ପାଇବାରେ ବିଫଳ ହୋଇଥିଲୁ ।
ଆଜି ନିର୍ଦ୍ଧାରିତ ଦିବା ୧୧ ଘଟିକା ସମୟରେ ମାନ୍ୟବର ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠ (ମାନ୍ୟବର ଲୋକାୟୁକ୍ତ, ଜଷ୍ଟିସ ବି.କେ ନାୟକ, ଜଷ୍ଟିସ ଦେବବ୍ରତ ସ୍ବାଇଁ) ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଥିଲେ । ଭିଜିଲାନ୍ସର ରିପୋର୍ଟ ଆଧାରରେ କୌଣସି ଦୁର୍ନୀତି ହୋଇନଥିବା କହିଥିଲେ । ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏକପାଖୁଆ ନିଷ୍ପତ୍ତି ଗଣତାନ୍ତ୍ରିକ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଆମକୁ କୌଣସି ସୁଯୋଗ ଦିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ମାନ୍ୟବର ଲୋକାୟୁକ୍ତଙ୍କ ତଦନ୍ତ “ବହୁ ଆଡ଼ମ୍ବରରେ ଲଘୁକ୍ରିୟା” ପରିଣତ ହୋଇଛି । ପରବର୍ତ୍ତୀ ସମୟରେ ନ୍ୟାୟିକ ଲଢେଇ ଜାରି ରହିବ ଏବଂ ଏହି ସଂଗଠିତ ମହାଦୁର୍ନୀତିର ପର୍ଦାଫାଶ ହେବ ବୋଲି ଆମର ଆଶା ଓ ବିଶ୍ୱାସ । ଶେଷରୁ ପୁଣି ଆରମ୍ଭ ହେବ ।
Post a Comment