ଭୁବନେଶ୍ୱର, ମୋଦି ସରକାର ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ବଦ୍ଧ ପରିକର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା କେନ୍ଦ୍ର ସରକାର ଦେଉଥିବାବେଳେ ରାଜ୍ୟ ସରକାର କଟନୀ ଛଟନୀ ଆଳରେ ୬ ରୁ ୭ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି । ବିଜେପି ପକ୍ଷରୁ ଗତ ଡିସେମ୍ବର ୧୫ ତାରିଖରୁ ମଣ୍ଡି ଚାଲ ଅଭିଯାନ ଚାଲିଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପଶ୍ଚିମ ଓଡିଶା ଏବଂ ଉତର ଓଡିଶା ପରେ ଆଜି ଦକ୍ଷିଣ ଓଡିଶାର ଗ୍ୟଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ବୁଲି ଦେଖୁବା ସହ ଚାଷୀଙ୍କ ସମସ୍ୟା ବୁଝିଛନ୍ତି ।
ଖଲ୍ଲିକୋଟ ବ୍ଲକ ବି ଏନ ପୁର ଧାନମଣ୍ଡିରେ ଶ୍ରୀ ମହାନ୍ତି ପହଂଚି ଶହ ଶହ କିଂଟାଲ ଧାନ ପଡି ରହିଥିବା ଦେଖୁ ପ୍ୟାକ୍ସ ସଂପାଦକଙ୍କୁ ଫୋନ ଯୋଗେ ଧାନ ନଉଠାଯିବାର କାରଣ ବୁଝିଥିଲେ ।
ଚାଷୀଙ୍କ ଧାନକୁ ତୁରନ୍ତ ଉଠାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ମହାନ୍ତି ପ୍ୟାକ୍ସ ସଂପାଦକଙ୍କୁ ନିବେଦନ କରିଛନ୍ତି । ବିଧାନସଭାରେ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଚାଷୀଙ୍କ ସମସ୍ୟାକୁ ବିଧାନସଭା ଗୃହରେ ଉଠାଇବା ପରେ ମନ୍ତ୍ରୀ ଚାଷୀଙ୍କ ଧାନ ଉଠିବ ଏବଂ ଦଲାଲଙ୍କ ଧାନ ଉଠାଯିବନି ବୋଲି କହିଥିଲେ । କିନ୍ତୁ ବିଜେଡି ସଦସ୍ୟ ଯାହାର ଜମି ନାହିଁ ତାଙ୍କର ୭୦୦ କୁଇଣ୍ଟାଲ ଧାନ ସରକାର କିଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦଲାଲଠୁ ଧାନ କିଣାଯାଇଛି ଏବଂ ପ୍ରକୃତ ଚାଷୀର ଧାନ ମଣ୍ଡିରେ ପଡିରହିଛି । ରାଜ୍ୟ ସରକାର ପ୍ରକୃତ ଚାଷୀଙ୍କୁ ଅଣଦେଖା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କୁ ଶୋଷଣ କରାଯାଉଛି ।
ତୁରନ୍ତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ତି ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ କରି ମଣ୍ଡିରେ ପଡି ରହିଥିବା ଧାନକୁ ଉଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ । ମହାନ୍ତି ଦାବି କରିଛନ୍ତି । ଶ୍ରୀ ମହାନ୍ତି ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରକୁ ଯାଇ ମନ୍ଦିରର ପୂଜକ ଓ ସେବାୟତମାନଙ୍କ ସହ ଆଲୋଚନା କରିବା ସହ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଖଲ୍ଲିକୋଟ ଏକ ଐତିହ୍ୟ ସଂପନ୍ନ ସହର କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିର ସୁରକ୍ଷିତ ନାହିଁ । ଜଗନ୍ନାଥ ମନ୍ଦିରକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ଏହାଦ୍ବାରା ସ୍ଥାନୀୟ ଲୋକ ରୋଜଗାରକ୍ଷମ ହେବେ ।
ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରକୁ ବିଶିଷ୍ଟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନୀତା ପ୍ରିୟଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ଶିଶିର ମିଶ୍ରଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment