ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମ । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ ପୋଗ୍ରାମରେ ନୋମିନି କଲଚର ପରିବର୍ତନ ହେବା କଥା ନୁହେଁ । ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ । ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗସିପ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନୁୟନ ବଦଳାଯାଇପାରିବ ନାହିଁ । କିନ୍ତୁ ଓଡିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ବାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତନ କରି ଅପରାଧ କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡଃ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ, ଅଯୋଗ୍ୟ ଲୋକଙ୍କୁ ଦଳୀୟ ଭିତିରେ ପକ୍କା ଘର ବଂଟନ, ବେନିୟମ ଭାବେ ବିଜୁ ପକ୍କା ଘର ଲୋଗୋ ଲଗାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଚକତାପୂର୍ଣ୍ଣ ଚିଠି ବିରୁଦ୍ଧରେ ଦୃଢ ପ୍ରତିବାଦ କରିଥିଲା । ଗତକାଲି ଭାରତ ସରକାରଙ୍କ ଗ୍ରାମୀଣ ବିକାଶର ପ୍ରମୁଖ ସଚିବ ଓଡିଶା ସରକାରଙ୍କୁ ଚିଠି ଲେଖ୍ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ରାଜ୍ୟ ସରକାର ଏହାକୁ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘଦିନ ଧରି ନିଜର ରାଜନୈତିକ ଅଭିସନ୍ଧି ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରି ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କରିଛନ୍ତି । ଏହି ଦୁର୍ନୀତିର ପର୍ଦାଫାଶ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ପ୍ରଥମେ ଆସିବା ପରେ ପ୍ରତିହିଂସା ପରାୟଣ ହୋଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ବିଜେପି ନେତା ବିକାଶ ଜେନା, କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଫନି ଏବଂ ଅମ୍ମାନ ମହାବାତ୍ୟା ସମୟରେ କେନ୍ଦ୍ରରୁ ମିଳିଥିବା କୋଟି କୋଟି ଟଙ୍କା ଅର୍ଥକୁ ଶାସକ ଦଳର ନେତା ଓ କର୍ମୀମାନେ ହଡପ କରିଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଗରିବ ଲୋକଙ୍କ ପାଖରେ ପକ୍କାଘର ପହଂଚାଇବାରେ ଶାସକ ବିଜେଡି ବାଧକ ସାଜିଛି । ଗରିବ ଲୋକଙ୍କୁ ପକ୍କା ଘର ମିଳିଲେ ବିଜେଡିର ଭୋଟବ୍ୟାଙ୍କ ରାଜନୀତି ବନ୍ଦ ହୋଇଯିବା ଭୟ ଘାରିଛି ।
ମୋଦି ନାଁ ନେଇଯିବା ଭୟରେ ବିଜେଡି ପ୍ରବକ୍ତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା କହି ନୂଆ ନୂଆ ଗପ ଶୁଣାଉଛନ୍ତି । ରାଜ୍ୟ ସରକାର ଏହା ପୂର୍ବରୁ ୧୦୮ ଆମ୍ବୁଲାନ୍ସ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡ କରିଥିଲେ । ସତ୍ୟକୁ ସ୍ବୀକାର କରିବା ପାଇଁ ରାଜ୍ୟ ସରକାର କାହିଁକି ଭୟଭୀତ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗସିପ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନୁୟନ କରୁନାହାଁନ୍ତି ।
ରାଜ୍ୟର ବିକାଶ ହେଲେ ସର୍ବପ୍ରଥମେ ରାଜ୍ୟବାସୀ ଉପକୃତ ହେବେ । ଶାସକ ବିଜେଡି ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥ ପ୍ରାଥମିକତା ହୋଇପଡିଛି । ରାଜ୍ୟ ସରକାରଙ୍କ ମିଛ ଧରାପଡିବା ପରେ ବିଜେଡି ପ୍ରବକ୍ତାମାନେ ପୁଣିଥରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା କାମରେ ପାଇଁ ଲାଗିପଡିଛନ୍ତି । । ଗଣମାଧ୍ୟମରେ ବୟାନବାଜି ବନ୍ଦ କରି ବିକାଶରେ ବାଧକ ନସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ଗରିବ ଲୋକଙ୍କ ପାଖରେ ପହଂଚାଇବା କାମ କରନ୍ତୁ ବୋଲି ଡ. ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।
Post a Comment