ଭୁବନେଶ୍ୱର, ଏହି କରୋନା କାଳରେ ଚଳିତ ବର୍ଷ ରବିଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ । କରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା । ଧାନ ଅମଳ ବେଳକୁ ମାଡ଼ିଆସିଲା କାଳ ବୈଶାଖୀ । ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲାଚାଷୀ ।ତା ପରେ ପରେ ଆସିଲା ୟାସ ବାତ୍ୟା । ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖୁବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ । ମାତ୍ର ଏତକିରେ ସେମାନଙ୍କର ଦୁର୍ଦ୍ଦଶା ର ଅନ୍ତ ହେଲା ନାହିଁ । ଏବେ ଦୁର୍ଦ୍ଦଶା ହେଉଛି ଧାନ ବିକିବା ପାଇଁ । ଆଗରୁ ଦୁର୍ଦ୍ଦଶାର କାରଣ ଥିଲା ମହାମାରୀ କରୋନା ଏବଂ ପ୍ରକୃତି । ମାତ୍ର ସରକାରଙ୍କର ନୀତି ନିଷ୍ପତି ଏବେ ଚାଷୀଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ କରି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।
ସେ କହିଛନ୍ତି ଋଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ସରକାର ଅଭୁତ ନୀତି ଗ୍ରହଣ କରିଛନ୍ତି । ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ । କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆରଆଇ ମାନଙ୍କ ଦ୍ଵାରା ଏକ ଆକଳନ କରିଥିଲେ । ପଙ୍ଗା ଏବଂ ଜମିର କାଗଜ ପତ୍ର ମାଗିଲେ ରେଜିଷ୍ଟ୍ରେସନ ପାଇଁ । ସେଥୁପାଇଁ ଚାଷୀ ମଧ୍ୟ କମ ଧାଧପଡ଼ କରିନାହିଁ । କିନ୍ତୁ ସେସବୁ ଚୁଲିକି ଗଲା । ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ । ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ଚାଷୀଙ୍କୁ ନିଷ୍ପତି ଶୁଣାଇଲେ କିନ୍ତୁ କେତେ କିଣାଯିବ କହିଲେ ନାହିଁ । କହିଲେ ଚାଷୀଙ୍କ ପାଖରେ ଟୋକନ ପଂହଚିବ । ଟୋକନ ପହଁଚିଲା ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନ ର ଏକ ତୃତୀୟାଂଶ ମାତ୍ର ଦର୍ଶା ଯାଇଥିଲା । ହେଲେ ତା ମଧ୍ୟ କିଣା ଗଲା ନାହିଁ । ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ ବାଲା ଆସିଲା ନାହିଁ । ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମି ହୋଇଗଲା ।
ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପୈଚ । ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିଲା । ମାତ୍ର ଏବେ ତାକୁ ପନ୍ଦର ଦିନ ପରେ ଅକାମି କରିଦିଆ ଯାଉଛି । ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିଲା ନାହିଁ । ତାହାହିଁ ହେଉଛି ଅନେକ ଚାଷୀଙ୍କ କ୍ଷେତ୍ରରେ । ଏମିତି ବି ଚାଷୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଂଚି ନାହିଁକି ଟୋକନ ବି ପହଞ୍ଚିନି । ସେମାନେ ସମସ୍ତେ ଡହଳ ବିକଳ ହେଉଛନ୍ତି ଧାନ ବିକିବା ପାଇଁ । ଏହା ସାଙ୍ଗକୁ ମିଲର ମାନଙ୍କ ମନମାନି । କେବେ ଧାନ ସେମାନେ ମଣ୍ଡିରୁ ନେବେ ତାର କୌଣସି ଠିକ ଠିକଣା ନାହିଁ । ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ ମଣ୍ଡିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି । ଧାନ ବିକିଲା ବେଳେ ଚାଷୀଙ୍କ ଉପରେ ଜୁଲମ । ସେମାନେ କଟନୀ ଓ ଛଟନୀ ର ଶିକାର ହେଉଛନ୍ତି । ସେମାନଙ୍କ ଧାନର ଗୁଣବତା ନାହିଁ ଏବଂ ସେଥୁରେ ଆଦ୍ରତା ଅଛି ବୋଲି ଅଭିଯୋଗ କରି ଠାଏ ଠାଏ ୭/୮ କିଲୋ ଧାନ କଟା ଯାଉଛି ।
ସବୁ ଦୋଷ ଓ ବୋଝ ଚାଷୀଙ୍କ ଉପରେ ଲଦି ଦେଉଛନ୍ତି ସରକାର । ଧାନ କିଣିଲା ବେଳେ ଅଖା ମିଲ ମାଲିକ ଦେବା କଥା। ମାତ୍ର ତାହା ହେଉ ନାହିଁ । ଚାଷୀକୁ ଅଖା ସହ ଧାନ ଦେବାକୁ ପଡୁଛି । ଅଖା ପିଛା ୨୫ ଟଙ୍କା ଚାଷୀକୁ ଭରଣା କରିବାକୁ ପଡୁଛି । ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିବାରେ ଲାଗିଛନ୍ତି । ପ୍ରଦେଶ କଂଗ୍ରେସ ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ଅତ୍ୟନ୍ତ ଗୁରୁତ୍ଵର ସହିତ ନେଇଛି ଏବଂ ସରକାର ଯଦି ଏହାର ତୁରନ୍ତ ପ୍ରତିକାର ନ କରନ୍ତି, ତେବେ ରାଜ୍ୟର ସମସ୍ତ ମଣ୍ଡି ଓ ବ୍ଳକ ଅଫିସ ସାମ୍ନାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି ।
ଅକାମୀ ହୋଇଥିବା ଟୋକନ ଗୁଡ଼ିକୁ ସଚଳ କରିବା, ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉତ୍ପାଦନ କରିଛି ସେ ସମସ୍ତ ଧାନକୁ କିଣିବା, କଟନୀ ଛଟନୀ ବନ୍ଦ କରିବା, ଅଖାର ବୋଝ ଚାଷୀଙ୍କୁ ନ ଦେଇ ମିଲରକୁ ଭରଣା କରିବାକୁ ବାଧ୍ୟ କରିବା ଇତ୍ୟାଦି ଦାବି ଗୁଡ଼ିକ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ପୂରଣ କରିବାକୁ ଦାବି କରିଛନ୍ତି ଶ୍ରୀ ପଟ୍ଟନାୟକ । ଏବେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାକୁ ସରକାର କେନ୍ଦ୍ରିଭୁତ କରି ଭୁବନେଶ୍ୱରରୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ନାନା ପ୍ରକାର ଅବ୍ୟବସ୍ଥା ଦେଖା ଦେଇଛି । ତେଣୁ ପୂର୍ବଭଳି ବିକେନ୍ଦ୍ରିତ ଢ଼ାଚାରେ ଧାନ କିଣା ପ୍ରକ୍ରିୟାକୁ ଗଲୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
Post a Comment