ଭୁବନେଶ୍ୱର, ପରିବେଶର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ । ପରିବେଶ ସୁରକ୍ଷିତ ରହିଲେ ମାନବ ସମାଜ ସୁରକ୍ଷିତ ରହିବ । ଏଥୁପାଇଁ ପରିବେଶକୁ ସବୁଜ ସୁନ୍ଦର ବଳୟ ମଧ୍ୟରେ ରଖିବା ଉଚିତ୍ । ଏହା ହୋଇପାରିଲେ ମାନବ ସମାଜର ଆହୁରି ଉନ୍ନତି କରିପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ସଙ୍କେତ ତରଫରୁ ‘ବିଶ୍ୱ ପରିବେଶ ଦିବସ’ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନସ୍ଥ କମଳ କୁମାର ପାତ୍ର (ଚନ୍ଦନ)ଙ୍କ ବଗିଚାରେ ଯୁବ ସମାଜସେବୀ କୈଳାସ ପାତ୍ର (ବୁଟୁ)ଙ୍କ ସହଯୋଗରେ ୫୦ ଗୋଟି ଆମ୍ବ ଚାରା ରୋପଣ କରାଯାଇଛି ।
ସଙ୍କେତ ଅନୁଷ୍ଠାନ ତରଫରୁ ବିଗତ ୨୦୦୯ ମସିହାଠାରୁ ବିଶ୍ୱ ପରିବେଶ ସୁରକ୍ଷା ନିମନ୍ତେ ବର୍ଷର ବିଭିନ୍ନ ସମୟରେ ଫଳନ୍ତି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ବିଶେଷ ଭାବେ ଯେଉଁ ବ୍ୟକ୍ତି ବିଶେଷ ବା ସଙ୍ଗଠନ ବୃକ୍ଷକୁ ସର୍ବନିମ୍ନ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ଦାୟିତ୍ବ ନେବାକୁ ଇଚ୍ଛୁକଙ୍କ ପାଇଁ ସଙ୍କେତ ତରଫରୁ ବୃକ୍ଷରୋପଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ସାଧାରଣ ସଂପାଦକ ବଦ୍ରୀ ନାରାୟଣ ମହାନ୍ତି ଏବଂ ସହଧର୍ମିଣୀ ଦୁର୍ଗଶ ନନ୍ଦିନୀ କାନୁନ୍ଗୋଙ୍କ ସମେତ ଗ୍ରାମର ଅନେକ ବୃକ୍ଷପ୍ରେମୀ ଯୋଗଦେଇ ଏହାକୁ ସଫଳ କରାଇଥିଲେ।
Post a Comment