ବାଲିଅନ୍ତା, ଜାତିର ପିତା ମହାତ୍ମା ଗାନ୍ଧୀ ଓଡ଼ିଶାରେ ହରିଜନ ପଦଯାତ୍ରା କରିବା ସମୟରେ ୧୯୩୪ ମସିହା ମଇ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମର୍ଥକମାନଙ୍କ ସହିତ ବାଲିଅନ୍ତା କୁଆଖାଇ ଓ କୁଶଭଦ୍ରା ନଦୀ ତଟର ହାଟ ପଡ଼ିଆରେ ତିନି ଦିନ ଅବସ୍ଥାନ କରି ଅସ୍ପୃଶ୍ୟତା ନିରାକରଣ, ନିଶା ନିବାରଣ, ସ୍ୱଚ୍ଛତା ଓ ଜାତୀୟତାବାଦୀ ଆନ୍ଦୋଳନର ବାର୍ତ୍ତା ପ୍ରଦାନ ସହ ତାଙ୍କ ନେତୃତ୍ବରେ ଦଳିତମାନେ ସ୍ଥାନୀୟ ନିକୁଞ୍ଜ ବିହାରୀ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନାର ସୁଯୋଗ ଦେଇ ସାମୁହିକ ପଂକ୍ତି ଭୋଜନ କରିଥିଲେ । ଆଧାମ୍ଭିକତା ଓ ଦେଶପ୍ରେମର ଗୌରବ ବହନ କରିଥିବା ନିକୁଞ୍ଜ ବିହାରୀ ମନ୍ଦିର ପରିସରସ୍ଥ ଗାନ୍ଧୀ ପୀଠରେ ପବିତ୍ର ଜନ୍ମାଷ୍ଟମୀରେ ଆଜି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଯାଦବ ସଂଘ, ମନ୍ଦିର ଟ୍ରଷ୍ଟ ବୋର୍ଡ ଆନୁକୁଲ୍ୟରେ ଭାରତ ବର୍ଷର ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ “ ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ନିଜ ବକ୍ତବ୍ୟରେ ଡଃ ଜାଲି ଜାତିର ପିତାଙ୍କ ଓଡ଼ିଶାରେ ପଦଯାତ୍ରା ବିଶେଷକରି ଜୟଦେବ ନିର୍ବାଚନ ମଣ୍ଡଳୀର ବାଳକାଟି ଓ ବାଲିଅନ୍ତାରେ ଅବସ୍ଥାନର ଐତିହାସିକ ପୃଷ୍ଠଭୂମି । ଉପରେ ଆଲୋକପାତ କରିବା ସହ ଗାନ୍ଧୀଙ୍କ ପଦ ସ୍ପର୍ଶରେ ଜୟଦେବ ମାଟି ଧନ୍ୟ ହୋଇଛି ବୋଲି ବର୍ଣ୍ଣନା କରିଥିଲେ । ଗାନ୍ଧୀ ଦର୍ଶନ ଓ ବିଚାରଧାରା ହିଁ ଆତଙ୍କବାଦର ମୂଳୋତ୍ପାଟନ କରି ବିଶ୍ବ ଶାନ୍ତି ଓ ବିଶ୍ୱ ଭାତୃଭାବ ପ୍ରତିଷ୍ଠା କରିପାରିବ। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ରୀଧର ଦାଶ ସ୍ବାଗତ ଜଣେଇବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଦିଲ୍ଲୀପ କୁମାର ସାହୁ, ସଭ୍ୟ ବୈକୁଣ୍ଡ ରାଉତରାୟ, ଯାଦବ ସଂଘ ସଭାପତି ଧନେଶ୍ୱର ବେହେରା, ସମ୍ପାଦକ କୃଷକେଶବ ଆପଟ, ଉପସଭାପତି ନିଲୁ ବେହେରା, କୋଷାଧକ୍ଷ ସୁରେଶ ବେହେରାଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । କୋଭିଡ୍ ଗାଇଡ୍ ଲାଇନ୍କୁ ଅନୁପାଳନ ପୂର୍ବକ ଗହଳି ଏଡ଼ାଇ ପ୍ରତୀକାତ୍ମକ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment