ଭୁବନେଶ୍ୱର, ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଆଜି ଅର୍ଥାତ୍ ୨୯/୦୯/୨୦୨୧ ଅପରାହ୍ନ ୫.୩୦ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ଶାସନ ସଚିବ, ଯୁଗ୍ଧ ଶାସନ ସଚିବ ଏବଂ ଓଜେଇଇର ଅଧ୍ୟକ୍ଷ ଏବଂ ସଚିବଙ୍କ ଉପସ୍ଥିତିରେ ଓଜେଇଇ-୨୦୨୧ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାଟିକୁ ଉନ୍ମୋଚନ କରିଛନ୍ତି । କେଭିଡ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁପ୍ରକାର ସତର୍କତାମୂଳକ ବ୍ୟବସ୍ଥା ମଧ୍ୟରେ ଏ ବର୍ଷ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ସେପ୍ଟେମ୍ବର ୬–୧୮ ତାରିଖରେ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା ।
୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B. Tech, LE-Tech. (Dip), LE-Tech. (B.Sc), B. Pharm., MBA, MCA, Int. MBA, LE-Pharm., M. Pharm., M. Arch, M. Plan and M.Tech ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
ଏ ବର୍ଷ ସମୁଦାୟ ୬୫,୭୬୩ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିବାବେଳେ ୪୯,୩୬୦ ପରୀକ୍ଷାର୍ଥୀ (୭୫ ଶତକଡ଼ା) ପରୀକ୍ଷାରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୪୯,୨୭୯ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ(ବ୍ୟାଙ୍କ) ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନାଙ୍କିତ ପରୀକ୍ଷାର୍ଥୀମାନଙ୍କର ତାଲିକା ସଂଲଗ୍ନ ‘କ’ରେ ଦିଆଯାଇଛି । ପରୀକ୍ଷାର୍ଥୀମାନେ ଓଜେଇଇର ୱେବ୍ସାଇଟ୍ www.ojee.nic.inରୁ ନିଜ ନିଜର ବ୍ୟାଙ୍କ କାର୍ଡ ପାଇପାରିବେ । ଉପରୋକ୍ତ ସମସ୍ତ ସ୍ଥାନାଙ୍କିତ ପରୀକ୍ଷାର୍ଥୀମାନେ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଓଜେଇଇ କାଉନ୍ସେଲିଂରେ ଅଂଶଗ୍ରହଣ କରିପାରିବେ ।
Post a Comment