ଭୂବନେଶ୍ୱର, ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ପରିଚାଳନା କରିବା ଉଚିତ୍ । ଏ ପାଇଁ ଶାସକ ଦଳ ନିର୍ବାଚନ ଅଧୁକାରୀଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବା ଆବଶ୍ୟକ । କିନ୍ତୁ ପିପିଲି ଉପନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତି ଉର୍ମିଳା ମହାପାତ୍ର କହିଛନ୍ତି । ଚଳିତ ପିପିଲି ଉପନିର୍ବାଚନରେ ଶାସକ ବିଜେଡି ତରଫରୁ ସାଧାରଣ ଭୋଟରଙ୍କୁ ଜୋର ଜବରଦସ୍ତ ପ୍ରଭାବିତ କରି ଭୋଟ ହାତେଇବାର ପ୍ରଚେଷ୍ଟା ଜାରୀ ରହିଛି ।
ଡେଲାଙ୍ଗ ବ୍ଲକରେ ୪୭ଟି, ପିପିଲି ବ୍ଲକରେ ୩୮ଟି ଏବଂ ପିପିଲି ଏନଏସିରେ ୧୨ଟି ସହିତ ସର୍ବମୋଟ ୯୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ସେହି ବୁଥ ଗୁଡିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ଏକ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ନିବେଦନ କରିଛୁ ବୋଲି ଶ୍ରୀମତୀ ମହାପାତ୍ର ସୁଚନା ଦେଇଛନ୍ତି ।
ପିପିଲି ଏନଏସି କର୍ମଚାରୀଙ୍କୁ ଶାସକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାର ତଥ୍ୟ ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ଅବଗତ କରାଯାଇଛି । ଏଥୁ ସହ ସମସ୍ତ ୯୭ଟି ସମ୍ବେଦନଶୀଳ ବୁଥ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ପ୍ରଦାନ କରାଯାଇଛି ।
ନିର୍ବାଚନକୁ ସଠିକ୍ ଓ ନିରପେକ୍ଷ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ଅଧୁକାରୀଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି । ଏହି ଅବସରରେ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment