ଭୁବନେଶ୍ବର, ଜାତୀୟ ସ୍ୱାସ୍ଥ୍ୟ ପ୍ରାକରଣ ବା NHA ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ’ ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ତ୍ବରାନ୍ବିତ କରିବ ଏବଂ ଦେଶବାସୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏକତ୍ରିତ ହୋଇ ରହିବା ସହ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ ।
କିନ୍ତୁ, ଓଡିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନଥିବାରୁ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେବେ ଓଡିଶାବାସୀ । ତେଣୁ ରାଜ୍ୟ ସରକାର ତୁରନ୍ତ ‘ଆୟୁଷ୍ଠାନ ଭାରତ ଯୋଜନା’କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସହିତ ‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ରେ ମିଳିବାକୁ ଥିବା ସୁବିଧା ସୁଯୋଗକୁ ରାଜ୍ୟବାସୀଙ୍କୁ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି । ଗତ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲାଲକିଲ୍ଲାରୁ ଅଯୁଷ୍ଠାନ ଭାରତ ଡିକଜିଟାଲ ମିଶନ ପାଇଲଟ ପ୍ରୋଜେକ୍ସ ବିଷୟରେ ଘୋଷଣା କରି ପ୍ରାଥମିକ ପର୍ଯ୍ୟାୟରେ ଛ’ଟି କେନ୍ଦ୍ରଶାସସିତ ଅଂଚଳରେ କାର୍ଯ୍ୟକାରି କରିଥିଲେ ।
ଜନଧନ, ଆଧାର ଓ ମୋବାଇଲ (ଜାମ୍) ଅଧୀନରେ ଏହା ଏକ ନୂଆ ପ୍ରୟାସ । ଦେଶବାସୀ ନିଜ ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୁଚନା ଓ ଅନ୍ୟ ସମସ୍ତ ତଥ୍ୟ ପ୍ରଦାନ କରିବେ, ଯାହାର ନିରାପତା ଓ ଗୋପନୀୟତାକୁ ସୁନିଶ୍ଚିତ କରାଯିବାର ବ୍ୟବସ୍ଥା ହୋଇଛି । ଏଥିରେ ଚିକିତ୍ସକ, ହସ୍ପିଟାଲ, ଚିକିତ୍ସାସେବା ଯୋଗାଣ ସଂକ୍ରାନ୍ତ ସବୁ ତଥ୍ୟ ରହିବ ଏବଂ ହିତାଧୁକାରୀଙ୍କୁ ପ୍ରଦାନ କରାଯାଇଥିବା ଆଇଡି ଓ ସେମାନଙ୍କ ଅନୁମତିକ୍ରମେ ଏହା ବ୍ୟବହାର ହୋଇପାରିବ । ଏହା ସାହାଯ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଅଧୁକ ବ୍ୟାପକ ତଥା ସଫଳ ହୋଇପାରିବ ବୋଲି ଶ୍ରୀ ମହାନ୍ତି ଦୃଢତାର ସହ କହିଛନ୍ତି ।
ଦେଶର ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଗତ ୭ ବର୍ଷ ଧରି ଜାରୀ ରହିଥିବା ଅଭିଯାନ ଆଜି ଏକ ନୂତନ ପର୍ଯ୍ୟାୟରେ ପହଂଚିଛି । ଦେଶର ଗ୍ରାମାଂଚଳବାସୀ ଏବଂ ଗାଁ ଓ ଭଉଣୀମାନେ ଏଥିରୁ ବିଶେଷ ଭାବେ ଉପକୃତ ହୋଇପାରିବେ । ଏଥୁ ସହ ଘରୋଇ କ୍ଷେତ୍ର ସମେତ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିବା ସହ ଏହି ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡିଶା ରାଜ୍ୟ ଆଜି ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ । କାମଧନ୍ଦା ନପାଇ ବହୁ ଓଡିଆ ଆଜି ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଚାକିରୀ ହରାଇ ବହୁ ଓଡିଆ ବହୁ କଷ୍ଟରେ ଜୀବନ ଅତିବାହିତ କରିଥିବାର ଚିତ୍ର ଆଜି ମଧ୍ୟ ମନ ଭିତରୁ ଯାଇନାହିଁ ।
ଅର୍ଥ ଅଭାବରୁ ସ୍ବାସ୍ଥ୍ୟ ସେବା ନପାଇ ବହୁ ଓଡିଆ ପ୍ରାଣ ମଧ୍ୟ ହରାଇଛନ୍ତି । ଦାରିଦ୍ର୍ୟର ଅନ୍ଧକାର ଭିତରେ ରହି ଗରୀବ ଓଡିଆ ଆଜି ସ୍ଵାସ୍ଥ୍ୟ ସମସ୍ୟା ଘେରରେ ନାନଦି ସମସ୍ୟାର ସମ୍ମୁଖୀନ ହେବା ସହିତ ଶେଷରେ ଜୀବନ ମଧ୍ୟ ହରାଉଛନ୍ତି । ଗୋଟିଏ ପଟେ ମୋଦି ସରକାର ଗରୀବଙ୍କ ସ୍ବାସ୍ଥ୍ୟ ପାଇଁ ଗୋଟିଏ ପରେ ଗୋଟିଏ କଲ୍ୟାଣମୁଳକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅନ୍ୟ ପଟେ ଅସହିଷ୍ଣୁତା କାରଣରୁ ଓଡିଶାରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କୁ ସେମାନଙ୍କ ମୌଳିକ ସ୍ବାସ୍ଥ୍ୟ ସେବା ଅକାରରୁ ବଂଚିତ ରଖୁଛନ୍ତି । ଏଭଳି ମାନସିକତାରୁ କ୍ଷାନ୍ତ ରହି ରାଜ୍ୟ ସରକାର ତୁରନ୍ତ ସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରି କରିବାକୁ ଶ୍ରୀ ମହାନ୍ତି ପୁଣି ଥରେ ଅନୁରୋଧ କରିଛନ୍ତି ।
Post a Comment