ଭୁବନେଶ୍ବର, କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇ), ଓଡ଼ିଶା ଆଞ୍ଚଳିକ ଶାଖାର ୮୦ତମ ଆଞ୍ଚଳିକ ପରିଷଦ ବୈଠକ ଜନପଥସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପଞ୍ଚଦୀପ ଭବନଠାରେ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୦୨୧ ସୁଦ୍ଧା ଓଡ଼ିଶାରେ ୭ ଲକ୍ଷ ୫୧ ହଜାର ଶ୍ରମିକ ବୀମାଭୁକ୍ତ ହୋଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ଏହି ବୈଠକରେ ସୂଚନା ଦେଇଛନ୍ତି । ଇଏସଆଇ ଯୋଜନା, ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହିତ ଅସୁସ୍ଥତା, ମୃତ୍ୟୁ, ଦୁର୍ଘଟଣା, ଅକ୍ଷମତା, ଇତ୍ୟାଦି ଘଟଣାରେ ଚିକିତ୍ସା ସୁବିଧା ତଥା ଆର୍ଥିକ ସୁବିଧା ପ୍ରଦାନ କରିଥାଏ ।
ଅନୁଗୋଳସ୍ଥିତ ଇଏସଆଇ ଡାକ୍ତରଖାନାରେ ଇଏସଆଇ ନିଗମ ଦ୍ଵାରା ତୁରନ୍ତ ଉପଯୁକ୍ତ ସଂଖ୍ୟକ ବିଶେଷଜ୍ଞ, ବୀମାଭୁକ୍ତ ମେଡିକାଲ୍ ଅଫିସର (ଆଇଏମ୍) ଏବଂ ପାରା ମେଡିକାଲଙ୍କୁ ନିୟୋଜିତ କରିବା ଉପରେ ମନ୍ତ୍ରୀ ଶ୍ରୀ ସିଂ ଗୁରୁତ୍ବାରୋପ କରିଛନ୍ତି । ଅତିରିକ୍ତ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଉପରେ ମଧ୍ୟ ସେ ପ୍ରାଧାନ୍ୟ ଦେଇଛନ୍ତି, ଫଳରେ ଇଏସଆଇ ପାଣ୍ଠିରେ ନିର୍ମିତ ଡାକ୍ତରଖାନା ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ । ଇଏସଆଇସି, ନୂଆଦିଲ୍ଲୀ ସ୍ତରରେ ପଡ଼ି ରହିଥିବା ଯାଜପୁର ଜିଲ୍ଲା ଡୁବୁରୀଠାରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ଡାକ୍ତରଖାନାର ଜମି ଅଧଗ୍ରହଣ ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ଇଏସଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ଶ୍ରମିକ ସଂଗଠନର ପ୍ରତିନିଧୁମାନେ ମଧ୍ୟ ଡ଼ୁବୁରୀରେ ଇଏସ୍ଆଇ ହସ୍ପିଟାଲର ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପ୍ରସଙ୍ଗ ଉଠାଇଥିଲେ । । ଝାରସୁଗୁଡା ଭଳି ଖଣିଜ ସଂପଦରେ ଭରପୂର ଅଞ୍ଚଳରେ ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ସ୍ଥାପନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରିଥିଲେ । ସମ୍ବଲପୁର ରେଙ୍ଗାଲୀ) ଏବଂ ବରଗଡ ଅଞ୍ଚଳର ଇଏସଆଇ ହିତାଧୁକାରୀଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ମଧ୍ୟ ଭାଗରେ ଏକ ଇଏସ୍ଆଇ ଡାକ୍ତରଖାନା ସ୍ଥାପନ କରିବାର ଆବଶ୍ୟକତା ଉପରେ ମଧ୍ୟ ମନ୍ତ୍ରୀ ଗୃଭୃତ୍ବାରୋପ କରିଛନ୍ତି ।
ଭୁବନେଶ୍ବରରେ ପ୍ରସ୍ତାବିତ ଇଏସଆଇସି ମ ସେସିଆଲିଟି ହସ୍ପିଟାଲର କାର୍ଯ୍ୟ ଆରମ୍ଭ କରିବାକୁ ଇଏସଆଇସି କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭୁବନେଶ୍ବରରେ ଇଏସଆଇସି ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବର ପୁନର୍ବିଚାର କରିବାକୁ ସେ ନୂଆଦିଲ୍ଲୀ ଇଏସଆଇସିକୁ ମଧ୍ୟ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ -୧୯ ମହାମାରୀକୁ ଦୃଷ୍ଟିରେ ରଖ୍ ଦୁଇଟି ଯୋଜନା ଆରମ୍ଭ କରାଯାଇଛି । କେଭିଡ୍ ରିଲିଫ୍ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରାଯାଇଛି ଏବଂ ଏଥିରେ ଆଜି ସୁଦ୍ଧା ବୀମାଭୁକ୍ତ ୭୩ ଜଣ କୋଭିଡ୍ ମୃତକଙ୍କ ପରିବାରକୁ ପେନସନ ପ୍ରଦାନ କରାଯାଇଛି । ଅଟଳ ବିମିତ ବ୍ୟକ୍ତି ଯୋଜନା ମାଧ୍ୟମରେ କୋଭିଡ କାରଣରୁ ଚାକିରି ହରାଇଥିବା ଶ୍ରମିକମାନଙ୍କୁ କିମ୍ବା ସେମାନେ ଅନ୍ୟ କୌଣସି ଚାକିରି ନ ପାଇବା ପର୍ଯ୍ୟନ୍ତ ତିନିମାସ ପାଇଁ ସେମାନଙ୍କ ବେତନର ୫୦% ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଥାଏ ।
ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ୩୨୫ ଜଣ । କର୍ମଚାରୀଙ୍କୁ ପ୍ରାୟ ୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ସିଂ ମଧ୍ୟ କୋଭିଡ କାରଣରୁ ଜୀବନ ହରାଇଥିବା ମୃତ ବୀମାଭୁକ୍ତ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ପେନସନ ହସ୍ତାନ୍ତର କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପାରାଦୀପରେ ୩୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ଅନୁମୋଦନ ମିଳିଛି ଏବଂ ବହୁସଂଖ୍ୟକ ନୂତନ ଡିସପେନସାରୀ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବିଚାର ଚାଲିଛି । ଏହି ବୈଠକରେ ରାଉରକେଲାର ଇଏସଆଇ ମଡେଲ ହସ୍ପିଟାଲର ଶଯ୍ୟ ସଂଖ୍ୟା ୨୦୦ ଶଯ୍ୟକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଡିସପେନସାରୀ ଏବଂ ଡାକ୍ତରଖାନାଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ଏବଂ ଔଷଧ କିଣି ଡିସପେନସାରି ଓ ଡାକ୍ତରଖାନାକୁ ଔଷଧ ସାମଗ୍ରୀ କ୍ରୟପୂର୍ବକ ଯୋଗାଣ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପଭି ନିଆଯାଇଛି । ଏହି ବୈଠକରେ ଶ୍ରମ ଏବଂ ଇଏସଆଇ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଆଞ୍ଚଳିକ ବୋର୍ଡର ଉପାଧ୍ୟକ୍ଷ ଚିତ୍ରା ଅରୁମୁଗମ, ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା, ଇଏସଆଇ ଯୋଜନା ନିର୍ଦ୍ଦେଶକ ଜ୍ୟୋତି ରଂଜନ ପ୍ରଧାନ, ନିଗମର ସଦସ୍ୟ ଗୋକୁଳାନନ୍ଦ ଜେନା, ସିପିଡବ୍ଲ୍ୟୁଡିର ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ଶ୍ରମ କମିଶନର, ଇଏସ୍ଆଇ ହସ୍ପିଟାଲ୍ ଭୁବନେଶ୍ୱର, ରାଉରକେଲା ଏବଂ ଅନୁଗୋଳର ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ସିଆଇଟିୟୁ, ଆଇଏନଟିୟୁସି, ବିଏମ୍ଏସ୍, ପିପିଏଲ, ଆରଏସପି ଓ ଗ୍ରୀଡ୍କୋର ଆଞ୍ଚଳିକ ବୋର୍ଡ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
Post a Comment