ଭୁବନେଶ୍ୱର, ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିକୁ ଅଡିସନ୍ ମାଧ୍ୟମରେ ଚୟନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସଂସ୍କୃତି ଭବନ, ଲୋକକଳା ମ୍ୟୁଜିୟମ ଏବଂ ବିଭିନ୍ନ ପ୍ରାଚୀନ ମନ୍ଦିରରେ ଉନ୍ନତି କରଣ, ବିଶିଷ୍ଟ ବ୍ୟକ୍ତି ବିଶେଷ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ଲୋକକଳା ସଂଘ ଓ କଳାକାରଙ୍କର ସୁଦୃଢ଼ୀକରଣ, ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷଣ ନିମନ୍ତେ ସୁବିଧା ସୃଷ୍ଟି କରିବା, ଜିଲ୍ଲା କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ, ଭାଗବତ ଟୁଙ୍ଗି ସମ୍ପୂର୍ଣ୍ଣ କରିବା ଆଦି ଜିଲ୍ଲା ସଂସ୍କୃତି ଅଧୁକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଏ ସମ୍ପର୍କରେ ସେ ମଂଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଜିଲ୍ଲା ଲୋକକଳା ଗ୍ରାମରେ ଝୋଟି, ମୁରୁଜ, ହୁଳହୁଳି, ଲକ୍ଷ୍ମୀ ପୁରାଣ ପାଠ ଆଦି ପ୍ରତିଯୋଗିତା କରାଯିବା ସହିତ ଗ୍ରାମରେ ଥିବା ଘର ଗୁଡିକୁ ପାରମ୍ପାରିକ ଝୋଟି ଚିତା ଦେଇ ସଜାଇବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ଦାସ ସଂସ୍କୃତି ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକଙ୍କ ସହିତ ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ, ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ବରିଷ୍ଠ କଳାକାରମାନେ ସ୍ବାଗତ ଜଣାଇଥିଲେ ।
Post a Comment