ଭୁବନେଶ୍ୱର, ଗତ ଅଗଷ୍ଟ ମାସରେ ଆମ ରାଜ୍ୟର ସାଂସଦମାନେ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଓ ଜାତିଗତ ଜନଗଣନା ଦାବି କରି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ତା’ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଫଳରେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଜନସାଧାରଣ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହରୁ ବଞ୍ଚିତ ହେବାକୁ ଲାଗିଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂଖ୍ୟା ଯଥେଷ୍ଟ ଭାବରେ କମିଯିବ ।
ଫଳରେ ୱାର୍ଡମେମ୍ବରଠାରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଆସନ ହରେଇବେ ପଛୁଆବର୍ଗର ଲୋକ ପ୍ରତିନିଧୁମାନେ । କାରଣ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା ୩୮.୭୫ ଭାଗ । କୋର୍ଟ କଚେରୀର ରାୟ ଫଳରେ ୫୦ ଭାଗରୁ ସଂରକ୍ଷଣ ଅଧୁକ ହେବନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେଣୁ ରାଜ୍ୟର ପଛୁଆବର୍ଗ ୮୫୩ଟି ଜିଲ୍ଲା ପରିଷଦରୁ ୨୩୫ ପାଇବା ଯାଗାରେ ମାତ୍ର ୧୪୫ଟି ସ୍ଥାନ ସଂରକ୍ଷଣ ଜରିଆରେ ପାଇପାରିବେ । ତେଣୁ ସେମାନଙ୍କୁ ୯୧ଟି ସ୍ଥାନ ହରାଇବାକୁ ପଡ଼ିବ । ସେହିଭଳି ୩୧୪ଟି ବ୍ଳକରୁ ୫୮ଟି ଅଧ୍ୟକ୍ଷ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ଥିଲାବେଳେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଏହି ସଂରକ୍ଷଣ ସଂସ୍ଥା ୨୪କୁ ଖସି ଆସିଛି । ଫଳରେ ୩୪ଟି ବ୍ଲକ ଅଧ୍ୟକ୍ଷ ପଦ ପଛୁଆବର୍ଗ ପ୍ରାର୍ଥୀମାନେ ହରାଇବାକୁ ଯାଉଛନ୍ତି ।
ସେହିଭଳି ୯୩ ହଜାର ୱାର୍ଡମେମ୍ବରରୁ ଏହି ବର୍ଗ ହାରାହାରି ୧୨ ହଜାର ପଦବୀ ହରାଇବେ । ଯଦି ସମ୍ବିଧାନ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତେ, ତା’ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପଛୁଆବର୍ଗ ୨୭ ଭାଗ ସଂରକ୍ଷଣ ପାଇପାରନ୍ତେ । ସେହିଭଳି ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୩୧ ହଜାର ସରକାରୀ ଚାକିରୀ ଖାଲି ପଡ଼ିଛି । ୨୭ ଭାଗ ସଂରକ୍ଷଣ ଯଦି ଦିଆଯାଆନ୍ତା, ତାହେଲେ ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ଅନ୍ତତଃ ପକ୍ଷେ ୩୫ ହଜାର ପାଖାପା ସଂରକ୍ଷିତ ପଦବୀ ପାଇପାରନ୍ତେ । ମାତ୍ର ପ୍ରଚଳିତ ୧୧.୨୫ ହାରରେ ସଂରକ୍ଷଣ ଦିଆଯାଉଥିବା ଯୋଗୁଁ ସେମାନେ ମାତ୍ର ୧୩ ହଜାର ପଦବୀ ପାଇବାକୁ ଯାଉଛନ୍ତି । ଯାହାଫଳରେ ରାଜ୍ୟର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ୨୨ ହଜାର ଚାକିରୀ ହରେଇବେ ।
ତେଣୁ ନିଜର ସାମ୍ବିଧାନିକ ହକ୍ ପାଇଁ ଓ ଅଧୁକାର ପାଇଁ ପଛୁଆବର୍ଗ ସଂରକ୍ଷଣକୁ ସମ୍ବିଧାନ ସଂଶୋଧନ କରି ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟି ପକ୍ଷରୁ ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପଛୁଆବର୍ଗ ଗଣକଭେସନରେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ୨୭ଭାଗ ପଛୁଆବର୍ଗ ସଂରକ୍ଷଣକୁ ନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ବିଷୟରେ ତାଙ୍କ ଦଳର ସାଂସଦମାନଙ୍କୁ ପାର୍ଲାମେଣ୍ଟରେ ଏକଥା ଉପସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ବିଜେପି ଓ କଂଗ୍ରେସ ସାଂସଦମାନେ ରାଜ୍ୟର ପଛୁଆବର୍ଗଙ୍କ ସ୍ବାର୍ଥ ଦୃଷ୍ଟିରୁ ଦଳମତ ଉଦ୍ଧକୁ ଯାଇ ଆସନ୍ତା ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧବେଶନ ସମୟରେ ପଛୁଆବର୍ଗ ସଂରକ୍ଷଣକୁ ସଂସଦରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଜାତିଗତ ଜନଗଣନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।
ଏଠାରେ ପ୍ରକାଶଥାଉକି, ଗତ ମଇ ୧ ତାରିଖଠାରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଜାତିଗତ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଏହା ସ୍ଥଗିତ ରହିଛି । ଆଜି ଯେତେବେଳେ ସ୍କୁଲ କଲେଜ ସବୁ ଖୋଲି ଗଲାଣି, ବଜାର ଘାଟକୁ କଟକଣା ଉଠିଗଲାଣି, ତେଣୁ ସରକାର ତୁରନ୍ତ ଜାତିଗତ ଜନଗଣନା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହି ଗଣକଭେନ୍ସରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଦାନ ଭିଭିପତ୍ର ଉପସ୍ଥାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରରୁ ଅସୀମ ସାହୁ, ବରଗଡ଼ରୁ ଅଧାପିକା କ୍ଷୀରୋଦିନୀ ବେହେରା, କଟକରୁ ବିଜୟ ବେହେରା, ଖୋର୍ଦ୍ଧାରୁ ବଂଶୀଧର ଭୋଇ, ନୂଆପଡ଼ାରୁ ଗଙ୍ଗାଧର ବଛୋର, ବେଣୁଧର ଗହୀର, କଳାହାଣ୍ଡିରୁ ଉମେଶ ସାହୁ, ବଲାଙ୍ଗୀରରୁ ରାଜେନ୍ଦ୍ର ମେହେର, ବାଲେଶ୍ବରରୁ ପଞ୍ଚାନନ ପରିଡ଼ା, ବୌଦ୍ଧରୁ ଶମ୍ଭୁନାଥ ବେହେରା, କେନ୍ଦ୍ରାପଡ଼ାରୁ ଅନାଦି ସାହୁ, ଜଗତ୍ସିଂହପୁରରୁ ଦେବାଶିଷମହାପାତ୍ର, ଖୋର୍ଦ୍ଧାରୁ ଦୀପଦାସ ଯାଦବ, ଯାଦବ ମହାସଭା ପକ୍ଷରୁ ପ୍ରଫୁଲ୍ଲ ଦାସ, ଓଡ଼ିଶା ବାରିକ ସମାଜ ପକ୍ଷରୁ କେଦାର ଦାସ, ତେଲି ସମାଜ ପକ୍ଷରୁ ବିଜୟ ସାହୁ ପ୍ରମୁଖ ବକ୍ତବ୍ୟ ରଖୁ ୨୭ ଭାଗ ପଛୁଆବର୍ଗ ସଂରକ୍ଷଣ ପାଇଁ ରାଜନୀତିର ଊଦ୍ଧିକୁ ଯାଇ ସବୁ ପଛୁଆ ବର୍ଗ ଏକ ହୋଇ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ସ୍ତରରେ ପଛୁଆବର୍ଗ କନଭେନ୍ସନ୍ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ତ୍ବରାନ୍ବିତ କରାଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେବାପାଇଁ ଏହି କଭେନ୍ସନରେ ସ୍ଥିର କରାଗଲା ଓ ସେଥିପାଇଁ ପାର୍ଟିର ସଭାପତି ରବି ବେହେରାଙ୍କୁ ଦାୟୀତ୍ୱ ଅର୍ପଣ କରାଗଲା । ଶେଷରେ ଦେଶପ୍ରିୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସାମାଜିକ ନ୍ୟାୟର ପ୍ରମୁଖ ପ୍ରବକ୍ତା ତଥା ସମାଜବାଦୀ ଚିନ୍ତକ ଡକ୍ଟର ରାମ ମନୋହର ଲୋହିଆଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।
Post a Comment