loading...

ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ବିରୁଦ୍ଧରେ ସ୍ମାରକପତ୍ର

ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ବିରୁଦ୍ଧରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର

ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ବିରୁଦ୍ଧରେ ସ୍ମାରକପତ୍ର

ଭୁବନେଶ୍ୱର,୧୯୧୭ ମସିହାରେ ସାବରମତୀ ନଦୀ କୂଳରେ ଅହମଦାବାଦ୍‌ ସହରଠାରୁ ଅନତି ଦୂରରେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମ ସ୍ଥାପନ କରି ସେହିଠାରେ ବସବାସ କରିବାକୁ ଲାଗିଲେ । ଏହି ଆଶ୍ରମ ପରିସରରୁ ଦେଶର ଐତିହାସିକ ସ୍ଵାଧୀନତା ସଂଗ୍ରାମକୁ ପରିଚାଳନା କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ବହୁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀ ଓ ତ୍ୟାଗୀ ମହାପୁରୁଷଙ୍କ ଅମ୍ବାନ ସୃତିରେ ସାବରମତୀର ପ୍ରତିଟି ଧୂଳିକଣା ମୂକସାକ୍ଷୀ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ମୌଳବାଦୀ ଶକ୍ତି ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କଲେ । 

ଆଜି ପୁନଶ୍ଚ ଏହି ମୌଳବାଦୀ ଶକ୍ତିମାନେ ଗାନ୍ଧିଜୀଙ୍କୁ ଦ୍ବିତୀୟଥର ହତ୍ୟା କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସେଥିପାଇଁ ଗାନ୍ଧିଜୀଙ୍କ ପଦଚିହ୍ନ ଥିବା ସମସ୍ତ ଐତିହାସିକ ସ୍ଥଳୀକୁ ପର୍ଯ୍ୟାୟକ୍ରମେ ଜନମାନସରୁ ଦୂରେଇ ଦେଇ ନିଜର ଗୌରବଗାଥାକୁ ଉପସ୍ଥାପିତ କରିବା ପାଇଁ ସେମାନେ ତତ୍ପର ହୋଇଉଠିଛନ୍ତି । ଗାନ୍ଧିଜୀଙ୍କର ୧୫୦ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ଅରଟ’ ମଧ୍ୟରୁ ଗାନ୍ଧିଜୀଙ୍କ ଫଟୋକୁ ହଟାଇ ମୌଳବାଦୀ ଶକ୍ତିମାନଙ୍କର ପ୍ରତିନିଧ କରୁଥିବା ବ୍ୟକ୍ତିବିଶେଷଙ୍କ ଫଟୋକୁ ଏଥିରୁ ଉପସ୍ଥାପିତ କରିବାର ସାହସ ସେମାନେ କରିଛନ୍ତି । ଏହାର ପରିଣାମ ସ୍ବରୂପ କେନ୍ଦ୍ର ସରକାର ସାବରମତୀ ପ୍ରକଳ୍ପ ପାଇଁ ସ୍ଵତନ୍ତ୍ର ଭାବରେ ୧୨୪୬ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି, ଯାହାକୁ ଗୁଜୁରାଟ ସରକାର କାର୍ଯ୍ୟକାରୀ କରିବେ । 

ଏହି ଅର୍ଥ ମାଧ୍ୟମରେ ସାବରମତୀ ଆଶ୍ରମକୁ ଆଧୁନିକ ଜ୍ଞାନ କୌଶଳରେ ଏକ ୭ ତାରକା ଆଶ୍ରୟସୁଳୀର ମାନ୍ୟତା ଦିଆଯିବ । ସେଠାରେ ମଲ, ଫୁଡ୍ କୋଟ, ପାର୍କି ଓ ସମସ୍ତ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ । ସରକାରଙ୍କର ଏହି ଅପରିଣାମଦର୍ଶୀ ଗାନ୍ଧୀ ବିରୋଧ ପ୍ରକଳ୍ପ ବିରୁଦ୍ଧରେ ବିଶ୍ଵ ଓ ଦେଶର ଗାନ୍ଧିବାଦୀମାନେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ସେଥିପାଇଁ ମହାରାଷ୍ଟ୍ରର ସେବା ଗ୍ରାମରୁ ଏକ ପଦଯାତ୍ରା ବାହାରି ସାବରମତୀ ଆଶ୍ରମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦେଶ ବିଦେଶର ବହୁ ଗାନ୍ଧିବାଦୀ, ରାଜନୈତିକ ନେତୃବୃନ୍ଦ, ଦଳୀୟ କର୍ମକର୍ତ୍ତା, ଛାତ୍ର, ଯୁବକ ଓ ଗାନ୍ଧିଜୀଙ୍କ ଆଦର୍ଶ ଏବଂ ବିଚାରଧାରାକୁ ଭଲ ପାଉଥିବା ଶକ୍ତି ସମ୍ରହମାନଙ୍କର ପ୍ରତିନିଧୁମାନେ ସାମିଲ୍ ହୋଇ ଏହାର ପ୍ରତିବାଦ କରିବା କରିବା ପାଇଁ ଆଗେଇ ଆସିଛନ୍ତି । ଓଡ଼ିଶାରେ ମଧ୍ୟ ପ୍ରତିବାଦର ସ୍ବର ଏହି ପ୍ରକଳ୍ପ ବିରୁଦ୍ଧରେ ସଂଗଠିତ ହେବାରେ ଲାଗିଛି । 

ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରଧାରାରେ ବିଶ୍ବାସ କରୁଥିବା ବ୍ୟକ୍ତିବିଶେଷ, ଗଣସଂଗଠନ ଓ ବୁଦ୍ଧିଜୀବୀମାନେ ଏକାଠି ହୋଇ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ସୁରକ୍ଷା ଦେବାପାଇଁ ଆଗଭର ହୋଇଛନ୍ତି । ବର୍ଷିଆନ୍ ବୁଦ୍ଧିଜୀବୀ ପ୍ରଫେସର ଭଗବାନ ପ୍ରକାଶଙ୍କ ନେତୃତ୍ବରେ ଓଡ଼ିଶା ସର୍ବସେବା ସଂଘ ସାଧାରଣ ସମ୍ପାଦକ ଗୌରାଙ୍ଗ ମହାପାତ୍ର ଓ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ସେମାନେ ସାବରମତୀ ଆଶ୍ରମ ନବନିର୍ମାଣ ପ୍ରକଳ୍ପକୁ ବିରୋଧ କରିବା ସହିତ ସେହି ଟଙ୍କାରେ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମଜୟନ୍ତୀ ସୃତିରେ ୧୫୦ଟି ଶାନ୍ତି, ଅହିଂସା ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । 

ଏହା ବ୍ୟତୀତ ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଟଙ୍କାକୁ ବିନିଯୋଗ କରିବାପାଇଁ ସରକାରଙ୍କୁ ପରାମର୍ଶ ଦେବାକୁ ସେମାନେ ମାନ୍ୟବର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ଏହିସବୁ କାର୍ଯ୍ୟକୁ ତଦାରଖ କରିବା ପାଇଁ ମାନ୍ୟବର ରାଷ୍ଟ୍ରପତି ହସ୍ତକ୍ଷେପ କରିବା ସହିତ ଜାତୀୟ ସ୍ତରରେ ବିଶିଷ୍ଟ ବୁଦ୍ଧିଜୀବୀ ଓ ଗାନ୍ଧୀବାଦୀ ଓ ରାଜନେତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସେମାନେ ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରତିନିଧ ମଣ୍ଡଳୀଠାରୁ ସ୍ମାରକପତ୍ରଟିକୁ ଗ୍ରହଣ କରି ତୁରନ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହାକୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରେରଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget