ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ନମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ନବୀନ ନିବାସ ଘେରାଉ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ଶତାଧୁକ ଯୁବ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଟିନ ଛକରୁ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇଥିଲେ । ବାଟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାବେଳେ ଯୁବ କଂଗ୍ରେସ କର୍ମୀଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଶତାଧୁକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ।
ଏ ସମ୍ପର୍କରେ ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଞ୍ଜନ ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଫଳ ହୋଇଛନ୍ତି । ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଦ୍ୟାବଧୁ ତାଙ୍କୁ ବହିଷ୍କାର କରିନାହାନ୍ତି । ଘଟଣାକୁ ଦୀର୍ଘଦିନ ବିତିଥିଲେ ମଧ୍ୟ ପୋଲିସ ଏହାର ପର୍ଦାଫାସ କରୁନାହିଁ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଅଭିଯୁକ୍ତକୁ ପୋଲିସ ପ୍ରଥମେ ଜାଣି ଶୁଣି ଖସାଇ ଦେଇଥିଲା । ଫଳରେ ଅଭିଯୁକ୍ତ ଘଟଣାର ଅନେକ ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଛି ।
ଏ ଭିତରେ ହତ୍ୟା ମାମଲାର ଅନେକ ସାକ୍ଷୀଙ୍କୁ ପ୍ରଭାବିତ କରାଯିବା ସହିତ ମମିତାଙ୍କ ପରିବାର ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ସବୁ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ପରେ ଏବେ ଘଟଣାର ୨୧ ଦିନ ପରେ ମନ୍ତ୍ରୀ ଦିବ୍ୟଶଙ୍କର ମୁହଁ ଖୋଲୁଛନ୍ତି, ଯାହାର କୌଣସି ମାନେ ନାହିଁ ବୋଲି ଡ. ଲେଙ୍କା କହିଛନ୍ତି । ଯଦି ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରି ଗିରଫ କରାନଯାଏ ତେବେ ମମିତାଙ୍କ ପରିବାର ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡ. ଲେଙ୍କା କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ଗିରଫ ନ ହେଲେ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ଯଦି ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ଭଉଣୀ ମମିତା ମେହେର ପରେ ଆଉ କେଉଁ ନିରୀହ ଜୀବନର ପାଳି ପଡ଼ିବ ଓ ସରକାର ଏମିତି ନୀରବ ଦ୍ରଷ୍ଟା ସାଜିବେ ତାହା ସ୍ପଷ୍ଟ କରନ୍ତୁ ।
ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ଓ ଫଚାୟତସ୍ତରରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି । ଆଜି ନବୀନ ନିବାସ ଘେରାଉରେ କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ସତ୍ୟାନନ୍ଦ ରାଉତ, ସୁନିତା ବାଗ, ମହମ୍ମଦ ଅଲିମ, ସତ୍ୟପ୍ରିୟ ସାମଲ, ଆର୍ଯ୍ୟବୀର ଲେଙ୍କା, ବିଶ୍ୱରଞ୍ଜନ ଦାସ, ଅମ୍ରତା ଦାସ, ଆକ୍ୟୁବ ଖାନ, ମହେଶ ପ୍ରସାଦ, ରଞ୍ଜିତ ପାତ୍ର, ସ୍ଵାଗତ କର, ବୀରେନ କୁମାର ଦଳାଇ, ସାଉଲ ମଙ୍ଗରାଜ, ତ୍ରିଲୋଚନ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର ଦାସ, ସୁତିରଞ୍ଜନ ମନ୍ତ୍ରୀ, । ଆଶୁତୋଷ ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ପ୍ଲାବନ ବହିଦାର ଓ ପ୍ରଶାନ୍ତ ମଲିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
Post a Comment