ଭୁବନେଶ୍ୱର, ଜଣେ ଯୁବକଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଏକ ବଡ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଅନ୍ୟ ଏକ ହସ୍ପିଟାଲରେ ଅପରେସନ୍ କରିବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଏବଂ ମୁଣ୍ଡରେ ଗୋଟିଏ ଅଂଶ ଫୁଲି ବାହାରକୁ ବାହାରିଥିବାରୁ ଯୁବକ ଜଣକ ନିକଟରେ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ରୋଗୀଙ୍କର ଏମଆରଆଇ ସ୍କାନ୍ କରାଯିବା ପରେ ତାଙ୍କ ମୁଣ୍ଡରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା ଯାହାକି ଖପୁରୀ ହାଡ ବାହାରକୁ ବାହାରି ଆସିବା ସହ ମସ୍ତିଷ୍କରେ ଏକ ବଡ ଯାଗା ମାଡିବସିଥିଲା ।
ଏହା ଛଡା ମସ୍ତିଷ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ । ଧମନୀ ଚାରିପଟେ ଏହି ଟ୍ୟୁମର ବେଡି ରହିଥିଲା । ଏହା ଏକ କଷ୍ଟକର ପରିସ୍ଥିତି ଥିଲା ଏବଂ ଅସ୍ତ୍ରୋପଚାର ନିଷ୍ପତି ମଧ୍ୟ ସର୍ଜିକାଲ୍ ଟିମ୍ ପାଇଁ ଖୁବ୍ ଆହ୍ବାନପୂର୍ଣ୍ଣ ଥିଲା । କାରଣ ଏହାଦ୍ଵାରା ପ୍ରଚୁର ରକ୍ତସ୍ରାବ ଅଥବା ଶରୀରର କୌଣସି ଅଂଶ ପକ୍ଷାଘାତ ହେବାର ମଧ୍ୟ ସମ୍ଭାବନା ରହିଥିଲା । ତେବେ ସମ ହସ୍ପିଟାଲର ସିନିୟର ନ୍ୟୁରୋସର୍ଜନ୍ ଓ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇ ସମସ୍ତ ଯୋଜନା କରିଥିଲେ । ଯଦିଓ ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା ତେବେ ସମ୍ପୂର୍ଣ୍ଣ ୫୦୦ ଗ୍ରାମର ଟ୍ୟୁମର ଏବଂ କ୍ଷତିଗ୍ରସ୍ତ ହୋଇଥିବା ମସ୍ତିଷ୍କର ଧମନୀଟିକୁ ବାହାର କରାଯାଇଥିଲା । ସାଧାରଣତଃ ଜଣେ ବୟସ୍କ ବ୍ୟକ୍ତିଙ୍କର ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ରହିଥାଏ ।
ପ୍ରଫେସର ଡାକ୍ତର ପାଣିଗ୍ରାହୀ ଆନେଥେସିଷ୍ଟ ଡାକ୍ତର ସୁଦୀପ୍ତ ମହାପାତ୍ର ଏବଂ ଡାକ୍ତର ସୁନୀତା ସାଇଁଙ୍କ ସହଯୋଗରେ ବିନା କୌଣସି ସମସ୍ୟାରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିଥିଲେ । ରୋଗୀ ଜଣଙ୍କ ସାହ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଥିବା ବେଳେ ଅସ୍ତ୍ରୋପଚାର ପରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥିଲା । ନ୍ୟୁରୋ ଇ ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା । ସୁସ୍ଥ ହେବା ପରେ ରୋଗୀଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି ।
Post a Comment