ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ବରରେ ଏବଂ ରାଜ୍ୟବ୍ୟାପି ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଏବଂ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ କ୍ରମାଗତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିଆସୁଛି । ମୁଖ୍ୟମନ୍ତ୍ରୀ ପୋଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବାପାଇଁ ଅପଚେଷ୍ଟା କରିଆସୁଛନ୍ତି । ମାତ୍ର ନବୀନ ପଟ୍ଟନାୟକଙ୍କର ଏହି ଅଗଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଭୂକ୍ଷେପ କରିନାହିଁ ବରଂ ଜେଲ ଯିବାକୁ ପସନ୍ଦ କରିଛି ।
ଅନେକ ସ୍ଥାନରେ ପୋଲିସ୍ ଉପସ୍ଥିତିରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କୁ ବିଜେଡ଼ି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ପୋଲିସ ନିରବ ରହିଛି । ପୋଲିସ ବିଜେଡ଼ି ଦଳର କର୍ମକର୍ତା ଭାବରେ ନିଜ ପରିଚୟ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀ ମମିତା ମେହେର ପ୍ରସଙ୍ଗରେ ନୀରବ ରହି ଘରେ ଶୋଇଥିଲେ । ବିଧାନସଭା ବାହାରେ ଏବଂ ବିଧାନସଭାରେ ପ୍ରବଳ ପ୍ରତିବାଦ ହେବାପରେ ଏକ ବିବୃତି ଦେଇ ମମିତା ମେହେର ପ୍ରସଙ୍ଗକୁ ଚପେଇଦେବା ପାଇଁ ହୀନ ଉଦ୍ୟମ କରିଛନ୍ତି । ଅନେକଥର ମୁଖ୍ୟମନ୍ତ୍ରୀ କହନ୍ତି ଆଇନ ତା ବାଟରେ ଯାଉ । ମାତ୍ର ୨୧ ବର୍ଷ ଭିତରେ ବେବିନା, ଇତିଶ୍ରୀ ଠାରୁ ଆରମ୍ଭ କରି ମମିତା ପର୍ଯ୍ୟନ୍ତ ସମସ୍ତ ତଦନ୍ତରେ ମୁଖ୍ୟମନ୍ତ୍ରୀ ଆଇନକୁ ତା ବାଟରେ ଯିବାକୁ ଦେଇ ନାହାନ୍ତି ବରଂ ଆଇନର ପଥ ଅବରୋଧ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବାପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ପଦାକୁ ବାହାରି ବିବୃତି ରଖୁଛନ୍ତି ।
ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପାଖରେ ବସାଇବା ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୁହାଇଲା ଭଳି ଯେଉଁ ବିବୃତି ରଖୁଛନ୍ତି ତାହା ପ୍ରମାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ ହତ୍ୟାକାରୀ ଦିବ୍ୟଶଙ୍କରଙ୍କୁ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି । ୨୧ ବର୍ଷଧରି ବେବିନା ହତ୍ୟାକାରୀ, ମାଧବୀଲତା ହତ୍ୟାକାରୀ, ଟିକିରୀ ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟାକାରୀ, କୁନ୍ଦୁଲି ଛାତ୍ରୀ ହତ୍ୟାକାରୀ, ସ୍ମିତାରାଣୀ ହତ୍ୟାକାରୀଙ୍କୁ ନବୀନ ପଟ୍ଟନାୟକ ଖୋଜୁଛନ୍ତି ହେଲେ ଅପରାଧୁ କିଏ ସେ ପାଉନାହାନ୍ତି । କାରଣ ତାଙ୍କରି ଦଳର ବିଧାୟକ, ମନ୍ତ୍ରୀ ଓ ନେତା ଏଥିରେ ସଂପୃକ୍ତ । ଅପରାଧର ପ୍ରମାଣ ନଷ୍ଟକରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାହିର । ଏସବୁ ଅପରାଧର ଅପରାଧୁ କିଏ ମୁଖ୍ୟମନ୍ତ୍ରୀ ଜାଣନ୍ତି ଜାଣି ମଧ୍ୟ ୨୧ ବର୍ଷ ହେଲା ଖୋଜୁଛନ୍ତି । ଅନ୍ୟପ୍ରସଙ୍ଗରେ ବିଧାନ ସଭାରେ ମମିତା ମେହେର ଆଲୋଚନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଡରୁଛନ୍ତି ।
ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ନାହିଁ ତେବେ ଏହାର ଉପରେ ବିଧାନସଭାରେ ଆଲୋଚନା କଲେ କ୍ଷତି କ’ଣ ? ମାମଲାର ଅପରାଧୁକ ଷଡ଼ଯନ୍ତ୍ରର କୌଣସି ତଦନ୍ତ ପୋଲିସ କରୁନାହିଁ । କଲେଜରେ ଯୌନ କେଳେଙ୍କାରୀ ବାବଦରେ ତଦନ୍ତ ହେଉନାହିଁ । ମୁଖ୍ୟ ଅଭିଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇବା ପାଇଁ ଗୃହ ବିଭାଗ କାର୍ଯ୍ୟରେ ଲାଗିଛି । ବିରୋଧ ଦଳଙ୍କୁ ପ୍ରମାଣ ଯୋଗାଡ଼ କରିବାପାଇଁ କୁହାଯାଉଛି । ତେବେ ସରକାରଙ୍କ ପୋଲିସ ବିଭାଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଅଛି କାହିଁକି ? ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିରୋଧ ଦଳକୁ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି । ବିରୋଧ ଦଳ ମମିତାକୁ ନ୍ୟାୟ ଦେବାପାଇଁ ରାଜନୀତି କରୁଛି ।
ଛାତ୍ର କଂଗ୍ରେସର ଦାବି :
ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ମାଧ୍ୟମରେ ଏସଆଇଟି ଏହାର ତଦନ୍ତ କରୁ । ହତ୍ୟାକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ କରାଯାଉ । ମୁଖ୍ୟମନ୍ତ୍ରୀ ବିରୋଧ ଦଳ ଉପରେ ଲଗାଇଥିବା ଆରୋପ ପାଇଁ କ୍ଷମା ମାଗନ୍ତୁ । ଏହି ପ୍ରସଙ୍ଗରେ ଆସନ୍ତା ୧୦ ତାରିଖ ଦିନ ୧୧ ଇଂଟା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ସାରା ରାଜ୍ୟରେ ଛାତ୍ର ସମାଜ ଏହି କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିବାକୁ ନିବେଦନ । ଏହି ସାମ୍ବାଦିକ ସମ୍ପିଳନୀରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ରଜତ ଚୌଧୁରୀ ଅଂଶଗ୍ରହଣ କରିଥିଲେ ଯେ ଅପରାଧର ତଦନ୍ତ ପାଇଁ ୨୧ ବର୍ଷର ଶାସନ କାଳରେ ନୀବନ ବାବୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଫଳଶୂନ୍ୟ ।
ପୂର୍ବତନ ମେୟର ତଥା ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ବିକ୍ରମ ଆରୁଖ ପ୍ରମୁଖଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥାଇ ବର୍ଷ ବର୍ଷ ଧରି ତଦନ୍ତ ଚାଲୁଛି । ମାତ୍ର ଏ ତଦନ୍ତ ମୂଲ୍ୟହୀନ କାରଣ ତୃତୀୟ ମହଲା ଏହି ତଦନ୍ତକୁ ନିୟନ୍ତ୍ରଣ କରୁଛି । ସୁତରା ମନ୍ତ୍ରୀ ଦିବ୍ୟଶଙ୍କର ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ବାଟବଣା ରହିବ ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ, ବିଶ୍ବଭୂଷଣ ଦାସ ଅଂଶଗ୍ରହଣ କରିଥିଲେ ।
Post a Comment