loading...

ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ଆମ୍ବେଦକର ଲୋହିଆ ବିଚାରମଞ୍ଚ ପକ୍ଷରୁ ଦାବୀ

ଦେଶର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦ ୨୨- ୨୩ ସଂସଦରେ ଆଗତ କରିଛନ୍ତି । ଏହି ବଜେଟ ଦେଶର ପ୍ରାୟ ୩୫ କୋଟି ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ

ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ଆମ୍ବେଦକର ଲୋହିଆ ବିଚାରମଞ୍ଚ ପକ୍ଷରୁ ଦାବୀ

ଭୁବନେଶ୍ୱର,ଗତ ଫେବୃୟାରୀ ୧ ତାରିଖ ଦିନ ଦେଶର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦ ୨୨- ୨୩ ସଂସଦରେ ଆଗତ କରିଛନ୍ତି । ଏହି ବଜେଟ ଦେଶର ପ୍ରାୟ ୩୫ କୋଟି ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ ଓ ଏହି ବର୍ଗ ପାଇଁ ଉଦ୍ଦିଷ୍ଟ ବିକାଶ ନୀତିର ପରିପନ୍ଥୀ ଏବଂ ସେଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଶ୍ଚରମଞ୍ଚ ପକ୍ଷରୁ କୁହାଯାଇଛି । ସଂସଦରେ ଆଲୋଚନା କାଳରେ ଏଥିରେ ଯଥାଯଥ ସଂଶୋଧନ କରିବାକୁ ୯ ଦଫା ପ୍ରସ୍ତାବ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଏସିଡ଼ିଏଆର ଓ ଦଳିତ ଆର୍ଥିକ ଅଧିକାର ଆନ୍ଦୋଳନ ପକ୍ଷରୁ କରାଯାଇଥିବା ଦଳିତ ଆଦିବାସୀ ବଜେଟ ବିଶ୍ଳେଷଣ ରିପୋର୍ଟ- ୨୦୨ ୨’କୁ ଲୋକାର୍ପଣ କରାଯାଇ ଚଳିତବର୍ଷ ବଜେଟରେ ରହିଥିବା ଅସଙ୍ଗତିଗୁଡ଼ିକ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । 

ପ୍ରାଥମିକସ୍ତରରେ ମୋଟ ସରକାରୀ ଖର୍ଚ ୩୯.୪୪ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଥିଲା ବେଳେ ବିଭିନ୍ନ ପର୍ବିକ ଏଣ୍ଟରପ୍ରାଇଜରେ ୪.୬୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଦଳିତ ଓ ଆଦିବାସୀବର୍ଗଙ୍କ ତ୍ବରିତ ବିକାଶ ପାଇଁ ଅଭିପ୍ରେତ ଅନୁସୂଚିତ ଜାତି ମଙ୍ଗଳ ଆବଣ୍ଟନ ଓ ଅନୁସୂଚିତ ଜନଜାତି ମଙ୍ଗଳ ଆବଣ୍ଟନ ଯଥାକ୍ରମେ ୧,୪୨,୩୪୨ କୋଟି ଓ ୮୯, ୨୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଏହି ବଜେଟରେ ଆଗତ କରାଯାଇଛି । ସାମଗ୍ରିକ ଭାବରେ ଦଳିତ ଆଦିବାସୀ ବଜେଟ ଗତବର୍ଷ ତୁଳନାରେ ମୋଟ ୨୫,୪୦୬ କୋଟି ଟଙ୍କା ବୃଦ୍ଧି ଘଟିଥିଲା ବେଳେ ବ୍ୟୟବରାଦ କରାଯାଇଥିବା ଅର୍ଥର ୬୨% ଓ ୫୧% ଅର୍ଥ ଯଥାକ୍ରମେ ଏସ୍.ସି. ଓ ଏସ୍.ଟିମାନଙ୍କର ସିଧାସଳଖ ବିକାଶ ପାଇଁ ଉପଯୋଗୀ ନହୋଇ ସାଧାରଣ ସ୍କିମ୍ବଗୁଡ଼ିକରେ ବିନିଯୋଗ ହେବାର ପ୍ରସ୍ତାବ ଏହି ଦୁଇବର୍ଗ ମଧ୍ୟରେ ନିରାଶା ସୃଷ୍ଟି କରିଛି ।

ବିବରଣୀରୁ ଜଣାଯାଏ ଯେ, ନୀତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏସ୍.ସି. ଓ ଏସ୍.ଟିମାନଙ୍କ ପାଇଁ ଯେତିକି ପରିମାଣର ବ୍ୟୟବରାଦ କରାଯିବା କଥା, ସେଥିରୁ ଯଥାକ୍ରମେ ୪୦,୬୩୪ କୋଟି ଟଙ୍କା ଓ ୯,୩୯୯ କୋଟି ଟଙ୍କା କମ୍ ଅର୍ଥର ପ୍ରସ୍ତାବ ଚଳିତବର୍ଷ ବଜେଟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୫ ବର୍ଷ ମଧ୍ୟରେ ଏହି ଗାଇଡ଼ଲାଇନ ଅନୁଯାୟୀ ଏସ.ସି.ମାନଙ୍କ ଆବଣ୍ଟନରୁ ୨,୫୨, ୧୮୧ କୋଟି ଟଙ୍କା ଓ ଏସ୍.ଟି. ଆବଣ୍ଟନରୁ ୮୯,୯୭ ୨ କୋଟି ଟଙ୍କା କମ୍ ଅର୍ଥ ବଜେଟରେ ବ୍ୟବସ୍ଥା କରାଯାଇଛି । ଗତବର୍ଷର କୋଭିଡ଼ ମହାମାରୀରେ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିବା ଦଳିତ ଆଦିବାସୀବର୍ଗଙ୍କ ମହାମାରୀ ଜନିତ ପ୍ରଭାବ ପ୍ରଶମିତ କରିବା ପାଇଁ କୌଣସି ଗୋଟିଏ ନୂତନ ଯୋଜନା ଘୋଷଣା ବା ପ୍ରସ୍ତାବନା କରାଯାଇ ନାହିଁ; ଅପରପକ୍ଷରେ ସଫେଇ କର୍ମସ୍ପରୀମାନଙ୍କ ଆତ୍ମନିଯୁକ୍ତି ଓ ଥଇଥାନ ପାଇଁ ଗତବର୍ଷ ୧୦୦ କୋଟି ଟଙ୍କା ରହିଥିଲା ବେଳେ ଚଳିତବର୍ଷ ୭୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି ଏବଂ ସଫେଇ କର୍ମକ୍ତରୀ ଉନ୍ନୟନ ଅର୍ଥ ନିଗମ ବାବଦକୁ ଗତବର୍ଷ ୫୦ କୋଟି ଟଙ୍କାରୁ ୨୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି । 

ପ୍ରକାଶଯୋଗ୍ୟ ଯେ, ୨୦୨୧ ମସିହା ଅଗଷ୍ଟମାସ ସୁଦ୍ଧା ୯୪୧ ଜଣ ବ୍ୟକ୍ତି ସ୍ୱରେଜ ସଫେଇ ସମୟରେ ମୃତ୍ୟୁବରଣ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବରାଦ ଦର୍ଶାଯାଇଥିଲା ବେଳେ ସେଥିରୁ ୪୮୨୦ କୋଟି ଟଙ୍କା ଏସ୍.ସି, ଏସ୍.ଟି ଛାତ୍ରଛାତ୍ରୀଙ୍କୁ ସିଧାସଳଖ ବିକାଶ ଦିଗରେ ବିନିଯୋଗ ହେବନାହିଁ କିନ୍ତୁ ତାହା ଏସ୍.ସି ଓ ଏସ୍.ଟି ମଙ୍ଗଳ ଆବଣ୍ଟନରେ ଦର୍ଶାଯାଇଛି । ଏସ୍.ସି., ଏସ୍.ଟି ଛାତ୍ରଛାତ୍ରୀଙ୍କ ବିଦେଶରେ ଶିକ୍ଷା ପାଇଁ ୩୬କୋଟି, ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ୩୬କୋଟି, ଜାତୀୟ ମେରିଟ ସ୍କଲାରସିପ୍ ପାଇଁ ୬୬କୋଟି ଓ କଲେଜ ତଥା ବିଶ୍ବବିଦ୍ୟାଳୟ ସ୍କଲାରସିପ୍ ପାଇଁ ୩୦ କୋଟି ଟଙ୍କା ପ୍ରସ୍ତାବ ରହିଥିଲା ବେଳେ ଏସ୍.ଟି ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୪ କୋଟି ଟଙ୍କା, ୧୭ କୋଟି ଟଙ୍କା, ୩୬ କୋଟି ଓ ୨୦ କୋଟି ଟଙ୍କାର ବ୍ୟୟବରାଦ ଏହି ବର୍ଗର ତ୍ଵରିତ ବିନାଶ ସାଧିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି ।

ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ଆଦିବାସୀବର୍ଗର ବିଭିନ୍ନ ସଂଗଠନ ଓ ନେତୃତ୍ବମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ହାବଡ଼ା, ଅଭିରାମ ମଲ୍ଲିକ, ଲକ୍ଷ୍ମୀଧର ବେହେରା, ହଳଧର ସେଠୀ, ନନ୍ଦିନୀ ନାଏକ, ତପନ ନାଏକ, ସୁନାକର ବେହେରା, ଅଭିମନ୍ୟୁ ସେଠୀ, ଅରବିନ୍ଦ ମଲ୍ଲିକ, ମଧୁସ୍ମିତା ବେହେରା, ସଞ୍ଜୟ ମଲିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget