ଭୁବନେଶ୍ୱର, ଅଗ୍ରଣୀ ସାହିତ୍ୟ ପତ୍ରିକା “କାହାଣୀ’ ଆନୁକୁଲ୍ୟରେ ବିଶିଷ୍ଟ କବି ପ୍ରଫେସର ଡ. ଶଶଧର ଦାସଙ୍କ କବିତା ପୁସ୍ତକ ‘ଝରକା ବାହାରେ ଭାରତ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଉତ୍ସବରେ ପ୍ରଥିତଯଶା କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ସଂସ୍କୃତି ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ଓ ‘କାହାଣୀ’ର ସମ୍ପାଦକ ଶ୍ରୀଯୁକ୍ତ ବିଜୟ ନାୟକ ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ କଥାକାର ଅଧ୍ୟାପକ ବିଶ୍ୱରଂଜନ ।
ଏହି ଉନ୍ମୋଚନ ସଭାରେ ସଭାପତିତ୍ବ କରିଥିଲେ କବି ଡ. ରବି ନାରାୟଣ ସେନାପତି ଏବଂ ପୁସ୍ତକକୁ ସମୀକ୍ଷା କରିଥିଲେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର କବି ଶଶଧର ଦାସଙ୍କ କବିତା ମାନବବାଦର ସ୍ବର ବହନ କରିଛି । ସାମ୍ପ୍ରତିକ କାଳଖଣ୍ଡର ବହୁ ଚିତ୍ର ଓ ଚରିତ୍ର ତାଙ୍କ କବିତାକୁ ରୁଦ୍ଧିମନ୍ତ କରିଛି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରମାକାନ୍ତ ରଥ ତାଙ୍କ ଭାଷଣରେ କହିଥିଲେ । ସେହିପରି ଉକ୍ତ ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ସମାଲୋଚକ ଡ. ପ୍ରେମାନନ୍ଦ ମହାପାତ୍ର ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ ।
ସେ କହିଲେ ଯେ, କବିଙ୍କ ଦୃଷ୍ଟିରେ ଭାରତ ଓ ଭାରତୀୟ ଗାଁର ସାମ୍ପ୍ରତିକ ମାନଚିତ୍ର ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଗାଁର ଉଜୁଡା ଚିତ୍ର ଓ ଭାରତର ବିକୃତ ଚିତ୍ର କବି ପ୍ରାଣକୁ ବ୍ୟଥିତ କରିଛି । ଏହି ଅବସରରେ କବି ଡ. ଶଶଧର ଦାସ ନିଜ କବିତା ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବାକ୍ ଇଗଲ୍ ବ୍ଲକସ୍ ତରଫରୁ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟିକ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା ଓ ଯୁବ ସାହିତ୍ୟିକ ଅମିତାଭ ଖୁଲାର ସଭା ସଞ୍ଚାଳନ କରିଥିଲା ।
Post a Comment