loading...

ନାଥୁରାମର ପ୍ରଚାର କରିବା ନ୍ୟାୟପାଳିକା ପ୍ରତି ଅବମାନନା : ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ। ହିନ୍ଦୁ ମୁସଲମାନ ଏକତାର ସୂତ୍ର ଧରି ସେ ବ୍ରିଟିଶ ସରକାରର ଭାଗ କର ଓ ଭୋଗ କର ନୀତିକୁ ଅକାମୀ କରି

ନାଥୁରାମର ପ୍ରଚାର କରିବା ନ୍ୟାୟପାଳିକା ପ୍ରତି ଅବମାନନା : ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ଭୁବନେଶ୍ବର, ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ। ହିନ୍ଦୁ ମୁସଲମାନ ଏକତାର ସୂତ୍ର ଧରି ସେ ବ୍ରିଟିଶ ସରକାରର ଭାଗ କର ଓ ଭୋଗ କର ନୀତିକୁ ଅକାମୀ କରି ଆମକୁ ସ୍ଵାଧୀନତା ପ୍ରଦାନ କଲେ। ସତ୍ୟ, ଅହିଂସା, ସତ୍ୟାଗ୍ରହ, ଏକାଦଶ ବ୍ରତ ଭଳି ବିଚାରର ପ୍ରଚାର ପ୍ରସାର ମାଧ୍ୟମରେ ସେ ଭାରତୀୟ ସମାଜକୁ ଅଧିକରୁ ଅଧିକ ମହତ୍ତତା ପ୍ରଦାନ କରିବାକୁ ପ୍ରୟାସ କରିଥିଲେ। ହେଲେ ଯେଉଁ ଶକ୍ତି ବ୍ରିଟିଶ ସରକାର ସହ ମିଳିତ ହୋଇ ଆମ ସ୍ଵାଧୀନତା ଆନ୍ଦୋଳନକୁ ବିଫଳ କରିବାକୁ ସଦା ପ୍ରୟାସ ଚଳାଇଥିଲେ, ସେହି ଗୋଷ୍ଠୀର ପ୍ରତୀକ ଥିଲେ ନାଥୁରାମ ଗଡସେ। କପୁର କମିଶନ ରିପୋର୍ଟ ଅନୁସାରେ ଗାନ୍ଧୀ ହତ୍ୟା ପାଇଁ ଦିଲ୍ଲୀ ଆସିବା ପୂର୍ବରୁ ସେ ପୁନେଠାରେ ବେଶ୍ୟାଗମନ କରିଥିଲେ ଓ ନିଜର ବ୍ୟାଙ୍କରେ ରହିଥିବା ସମସ୍ତ ଅର୍ଥ ନିଜ ଭାଉଜଙ୍କ ଖାତାକୁ ପଠାଇ ଦେଇଥିଲେ । 

ଦିନେ ହେଲେ ବ୍ରିଟିଶ ହୁକୁମତ ବିରୋଧରେ ସ୍ଲୋଗାନଟିଏ ଦେଇନଥିବା ନାଥୁରାମ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା ସାବରକରଙ୍କ ନିର୍ଦ୍ଦେଶରେ ନୋଆଖାଲିରୁ ଦିଲ୍ଲୀଯାଏ ସାମ୍ପ୍ରଦାୟିକ ଅଗ୍ନୀ ନିର୍ବାପନରେ ମଗ୍ନ ଥିବା ୭୯ ବର୍ଷୀୟ ବୃଦ୍ଧ ଗାନ୍ଧୀ ମହାତ୍ମାଙ୍କୁ ହତ୍ୟା କରିଥିଲା। ଏହିଭଳି ଜଣେ ହତ୍ୟାକାରୀ ଗାନ୍ଧୀ ହତ୍ୟା ଅପରାଧର ବିଚାର ଲାଲ କିଲ୍ଲାର ସ୍ପେଶାଲ କୋର୍ଟରେ ହୋଇଥିଲା। ଏଥିରେ ନାଥୁରାମକୁ ଫାଶୀ ଦଣ୍ଡ ମିଳିଲା। ନାଥୁ ରାୟ ବିରୋଧରେ ପଞ୍ଜାବ ହାଇକୋର୍ଟରେ ଅପିଲ କରିବା ସତ୍ତ୍ୱେ ମାନ୍ୟବର ହାଇକୋର୍ଟ ତଳ କୋର୍ଟର ରାୟକୁ କାୟମ ରଖିଥିଲେ। ଏପରିକି ଦେଶ ସ୍ଵାଧୀନ ହୋଇଯାଇଥିବା ସତ୍ତ୍ୱେ ନିଜର ପୁରୁଣା ମିତ୍ର ବ୍ରିଟିଶ ସରକାରର କରୁଣା ପାଇବା ଆଶାରେ ପ୍ରିଭି କାଉନସିଲ ନିକଟରେ ଅପିଲ କରିଥିଲା । ହେଲେ ଅନ୍ୟ ଦେଶର କେସକୁ ବିଚାର କରିପାରିବା କ୍ଷମତା ପ୍ରିଭି କାଉନସିଲର ନଥିବା ଦର୍ଶାଇ ଏହା ଖାରଜ ହୋଇ ଯାଇଥିଲା। 

ଗାନ୍ଧୀଜୀଙ୍କ ଦୁଇ ପୁତ୍ର ମଣିଲାଲ ଓ ରାମଦାସ ମହାତ୍ମାଙ୍କ ଅହିଂସକ ବିଚାର ଆଧାରରେ ନାଥୁରାମକୁ ଫାଶୀ ନଦେବା ପାଇଁ କୋର୍ଟକୁ ନିବେଦନ କରନ୍ତେ ଭାରତର ନ୍ୟାୟ ବ୍ୟବସ୍ଥା ଆଧାରରେ ଏହି ବିଚାର ହେଉଥିବା କହି ଏହାକୁ ବି ଖାରଜ କରିଦେଇଥିଲେ। ଯେଉଁ ହତ୍ୟାକାରୀକୁ ଭାରତୀୟ ନ୍ୟାୟପାଳିକା ଦୋଷୀ ସାବ୍ୟସ୍ତ କରି ଫାଶୀ ଦେଇଥିଲା, ତାହାର ମହିମା ମଣ୍ଡନ କରିବା ଓ ତାହାକୁ ଦେଶପ୍ରେମୀ କହି ଅନ୍ୟମାନଙ୍କୁ ଦେଶଦ୍ରୋହୀ କହିବା ନ୍ୟାୟ ବ୍ୟବସ୍ଥା ପ୍ରତି ଅପମାନ। ହେଲେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପୋଷ୍ଟର ମାଧ୍ୟମରେ ନାଥୁରାମର ପ୍ରଚାର କରିବାପାଇଁ ଯେଉଁ ଅପଚେଷ୍ଟା ସାମ୍ପ୍ରଦାୟିକ ଗୋଷ୍ଠୀ ଦ୍ଵାରା ଚାଲିଛି,
ତାହା ଦେଶର ନ୍ୟାୟ ବ୍ୟବସ୍ଥା ପ୍ରତି ଅସମ୍ମାନ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା. ବିଶ୍ୱଜିତ୍, ବିରୂପାକ୍ଷ ତ୍ରିପାଠୀ, ତୁଷାରକାନ୍ତି ମହାନ୍ତି, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ମାନସ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଅଭିଯୋଗ କରି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ଓ ସଂଗଠନ ମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ଜନସାଧାରଣ ନିଜ ନିଜ ଅଞ୍ଚଳରୁ ଏହି ପୋଷ୍ଟର ସବୁ ହଟାଇଦେବାକୁ ପରାମର୍ଶ ଦେଇଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget