loading...

ଦେଶର ଗୃହମନ୍ତ୍ରୀ ଅମିତ ଶାହା ଆଜି ପାଇକ ବିଦ୍ରୋହ ଭଳି ସଂଗ୍ରାମୀକୁ ଦୃଢ଼ତାର ସହ ସମର୍ଥନ କଲେ

ଦେଶ ପାଇଁ ସଂଘର୍ଷ କରିଥିବା ସଂଗ୍ରାମୀ ମାନଙ୍କୁ ପ୍ରେରଣାର ସ୍ରୋତ ଭାବରେ ଆମକୁ ପ୍ରତିଷ୍ଠିତ କରିବାକୁ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଓଡ଼ିଆ ସମାଜ

ଦେଶର ଗୃହମନ୍ତ୍ରୀ ଅମିତ ଶାହା ଆଜି ପାଇକ ବିଦ୍ରୋହ ଭଳି ସଂଗ୍ରାମୀକୁ ଦୃଢ଼ତାର ସହ ସମର୍ଥନ କଲେ


ନୂଆଦିଲ୍ଲୀ/ଭୁବନେଶ୍ୱର, ଦେଶ ପାଇଁ ସଂଘର୍ଷ କରିଥିବା ସଂଗ୍ରାମୀ ମାନଙ୍କୁ ପ୍ରେରଣାର ସ୍ରୋତ ଭାବରେ ଆମକୁ ପ୍ରତିଷ୍ଠିତ କରିବାକୁ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଓଡ଼ିଆ ସମାଜ ଏବଂ ବିଦ୍ରୋହୀ ଟିମ ପକ୍ଷରୁ ଓଡ଼ିଆ ଜାତିର ଅଦମ୍ୟ ସାହାସର ପ୍ରତୀକ ‘ପାଇକ ବିଦ୍ରୋହ’ ଓ ଏହି ସଂଗ୍ରାମର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ନିର୍ମିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂକୁ ଦେଖିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  

ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ୱାରା ଏହି ସ୍ପେଶାଲ ସ୍କିନିଂର ଆୟୋଜନ ସମାରୋହରେ ଯୋଗଦେଇ ଗୃହ ମନ୍ତ୍ରୀ ଅମିତ ଶାହ  କହିଛନ୍ତି ଯେ ମୁଁ ଗୁଜୁରାଟରେ ଜନ୍ମ ନେଇଥିଲେ ମଧ୍ୟ ସାତ ବର୍ଷ ବୟସରେ ବକ୍ସି ଜଗବନ୍ଧୁଙ୍କ ଉପରେ ପଢ଼ିଥିଲି । ସେ ଇଂରେଜ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଲଢ଼ିଥିଲେ ।  ଯେଉଁମାନେ ଇତିହାସକୁ ବଦଳାଇଛନ୍ତି ସେମାନଙ୍କୁ ସେହି ସମାଜ ଯଦି ଭୁଲିଯିବ ସେହି ସମାଜ ଆଗକୁ ବଢ଼ିପାରିବ ନାହିଁ । ବିଦ୍ରୋହୀର ଟିମକୁ ପ୍ରଶଂସା କରିବା ସହ ଶ୍ରୀ ଶାହ କହିଛନ୍ତି ବହୁତ କମ୍ ଲୋକ ଜାଣିଥିବେ ହାଥରସରେ ରାଜା ଦୟାରାମ ସିଂହ, ପୁଣେରେ ପେଶୁଆ ଏବଂ ଓଡ଼ିଶାରେ ବକ୍ସି ଜଗବନ୍ଧୁ, ଏହି ତିନି ମହାପୁରୁଷ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲେ । ଦେଶରେ ଏମିତି କିଛି ଲୋକ ଅଛନ୍ତି , ପ୍ରେରଣା, ଶକ୍ତି ଓ ଦିଶା ଦେଇଛନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟରେ ଇତିହାସରେ ସେମାନଙ୍କର ନାଁ ନାହିଁ । ବକ୍ସି ଜଗବନ୍ଧୁଙ୍କ ପରି ଅନେକ ସଂଗ୍ରାମୀ ନିଜକୁ ଦେଶ ପାଇଁ ସମର୍ପିତ କରିଥିଲେ କିନ୍ତୁ ସେମାନଙ୍କୁ ଇତିହାସରେ ସ୍ଥାନ ଦିଆଯାଇନାହିଁ । ଯେଉଁମାନେ ସଂଘର୍ଷ କରିଛନ୍ତି ସେମାନଙ୍କୁ ଦେଶର ପ୍ରେରଣାର ସ୍ରୋତ ଭାବରେ ଆମକୁ ସ୍ଥାପିତ କରିବାକୁ ହେବ ।

ଉତ୍କଳ ପ୍ରଦେଶରେ ସେ ସମୟରେ ପାଇକଙ୍କର ବୈଜ୍ଞାନିକ ବ୍ୟବସ୍ଥା ଥିଲା । ଉତ୍କଳ ପ୍ରଦେଶର ପିଢ଼ି ପରର ପିଢ଼ି ପାଇକମାନେ ବିନା ପାରିଶ୍ରମିକରେ ଲଢ଼େଇ କରୁଥିଲେ ଏବଂ ବଳିଦାନ ଦେଉଥିଲେ । ଏହି ପରମ୍ପରାକୁ ଇଂରେଜ ମାନେ ସମାପ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଶ୍ରଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରି ବ୍ରିଟିଶ ମାନେ ଓଡ଼ିଆ ଲୋକଙ୍କ ସ୍ୱାଭିମାନକୁ ଶେଷ କରିବା ପାଇଁ ଚେଷ୍ଟା କରିଥିଲେ । ଯେଉଁ ଯୁଦ୍ଧ ଦ୍ୱାରା ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, ତାକୁ ହିଁ ଇତିହାସରେ ସ୍ଥାନ ମିଳିଛି । ଇତିହାସରେ 300ରୁ 400 ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ସମାଜକୁ ପ୍ରେରିତ କରିପାରିବେ ସେମାନଙ୍କୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ଗୃହମନ୍ତ୍ରୀ ଆଜି ପାଇକ ବିଦ୍ରୋହ ଭଳି ସଂଗ୍ରାମୀକୁ ଦୃଢ଼ତାର ସହ ସମର୍ଥନ ଦେଇଛନ୍ତି । ଅମିତ ଶାହାଙ୍କ ଗାରିମାମୟ ଉପସ୍ଥିତି ଆମ ମନକୁ ନୂଆ ଉତ୍ସାହ ଦେଇଛି ।  ଇତିହାସର କୌଣସି ତଥ୍ୟକୁ ପ୍ରମାଣିତ କରିବା ପାଇଁ ଏହା ହିଁ ମାଧ୍ୟମ । ବାରମ୍ବାର ସତ୍ୟକୁ ଉଜାଗର କରବା, ଚର୍ଚ୍ଚା କରିବା ଓ ଚର୍କବିତର୍କ କରିବା । ଜାତୀୟ ସ୍ତରରେ ତଥା ବିଶ୍ୱ ଦରବାରରେ ଏଭଳି ସଂଗ୍ରାମକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି । ହିନ୍ଦି ଭାଷାରେ ପ୍ରସାରିତ ବିଦ୍ରୋହୀ ସିରିୟଲ ସେ ଦିଗରେ ବଡ଼ ପଦକ୍ଷେପ । ଏହା ସ୍ୱତନ୍ତ୍ରତା, ସ୍ୱରାଜ ଓ ମହାପ୍ରଭୁଙ୍କର ଅସ୍ମିତା ପାଇଁ ହୋଇଥିବା ଲଢ଼େଇ ନିଶ୍ଚିତ ଭାବରେ ଦେଶବାସୀଙ୍କୁ ପ୍ରଭାବିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ  ଶ୍ରୀ ଅମିତ ଶାହ ବିଗତ 5 ବର୍ଷ ତଳେ ପ୍ରଥମ ରାଜନୈତିକ ଓଡ଼ିଶା ଗସ୍ତ ଆସିବା ପରେ ମୋତେ ଓଡ଼ିଶାର ଇତିହାସ ବିଷୟରେ ଅନୁବାଦିତ ହିନ୍ଦି ପୁସ୍ତକ ଦରକାର ବୋଲି କହିଥିଲେ । ସେତେବେଳେ ମୋତେ ଆଶ୍ଚର୍ଯ୍ୟ ଲାଗିଲା ହିନ୍ଦି ଭାଷାରେ ଓଡ଼ିଶାର ଗୌରବଗାଥାର ପୁସ୍ତକ ହିନ୍ଦିରେ ନାହିଁ । ଏହା ପରେ ଡ଼ା. ଭର୍ତ୍ତୃହରି ମହତାବଙ୍କ ପରାମର୍ଶ ନେଲି । ପରବର୍ତ୍ତୀ ପର୍ଯ୍ୟାୟରେ ଡା. ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶାର ଇତିହାସ ପୁସ୍ତକକୁ ହିନ୍ଦିରେ ଅନୁବାଦ କରାଗଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଥିଲେ ।

ଓଡ଼ିଆ ଲୋକ ମାନଙ୍କ ମନରେ ଗୋଟିଏ କଥା ଅଛି  ଓଡ଼ିଶାର ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ ହୋଇପାରିନାହିଁ । ତେବେ ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦିରେ ଓଡ଼ିଶାର ଇତିହାସ ପୁସ୍ତକ ମାଗିବାର ଆଗ୍ରହ ମୋ ମନରେ ପ୍ରେରଣା ଯୋଗାଇଥିଲା । ପାଇକ ବିଦ୍ରୋହର ଦୁଇ ଶହ ପୂର୍ତ୍ତି ପାଳନ ଅବସରରେ ପ୍ରଯୋଜକ ସୁବ୍ରତ ସିହ୍ନାଙ୍କ ସହ ସାକ୍ଷାତକାର ହୋଇଥିଲା ଏବଂ ଏହି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ମୋତେ ଖୁସି ଲାଗିଲା, ଯେତେବେଳେ ‘ବିଦ୍ରୋହୀ’ ଧାରାବାହିକକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଖି ପ୍ରଶଂସା କରିବା ସହ “ତୁ ବିଦ୍ରୋହୀ ଦେଖୁଛୁ କି” ବୋଲି ମୋତେ ପଚାରିଥିଲେ । ଏହା ମୋ କଳ୍ପନା ବାହାରେ ଥିଲା ।

କିଛି ବର୍ଷ ତଳେ ବୀରେନ୍ଦ୍ର ସହେଓ୍ୱାଗ ବାଜି ରାଉତ ଉପରେ ଟ୍ୱିଟ୍ କରିଥିଲେ । ତାଙ୍କୁ ମୁଁ ଫୋନ କରିଥିଲି  ଏବଂ ବାଜି ରାଉତ ବିଷୟରେ ପଚାରିଥିଲି । ସେ ଯେଉଁଭଳି ଭାବରେ ବାଜି ରାଉତଙ୍କ ଉପରେ ବର୍ଣ୍ଣନା କରିଥିଲେ, ମୋତେ ଚକିତ ହେବାକୁ ପଡ଼ିଥିଲା । ଓଡ଼ିଶାର ଗୌରବ ଗାଥାକୁ ଯେଭଳି ରାଷ୍ଟ୍ରୀୟ ସ୍ତରରେ ପ୍ରତିପାଦିତ କରିବା କଥା, ଆମେ କରିପାରେ ନାହିଁ । ଏହା ଉପରେ ଆମେ ଚେଷ୍ଟା କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ, ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ,  ଭି. ମୂରଲିଧରନ, ବିଶେଶ୍ୱର ଟୁଡ଼ୁ, ଲୋକପ୍ରିୟ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ, ଓଡ଼ିଶାର ସାଂସଦ ଗଣ, ବିଦ୍ରୋହୀ ଟିମର ସଦସ୍ୟ, ଅନେକ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ, ଇତିହାସକାର, ଉଚ୍ଚପଦସ୍ଥ ଅଧିକାରୀ ଓ ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଆ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget