loading...

ରାଜ୍ୟସ୍ତରୀୟ ରଘୁ-ଦିବାକର ଶହୀଦ ଦିବସ ପାଳିତ

ରାଜ୍ୟସ୍ତରୀୟ ରଘୁ-ଦିବାକର ଶହୀଦ ଦିବସ ପାଳିତ । ଶହୀଦ ରଘୁଦିବାକରଙ୍କ ବଳିଦାନ ଓ ଆମ୍ବୋତ୍ସର୍ଗ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବା

ରାଜ୍ୟସ୍ତରୀୟ ରଘୁ-ଦିବାକର ଶହୀଦ ଦିବସ ପାଳିତ

ଭୁବନେଶ୍ୱର, ବ୍ରିଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଓଡ଼ିଶାରେ ବହୁ ଆନ୍ଦୋଳନ ଓ ବିଦ୍ରୋହ ସଂଘଟିତ ହୋଇଛି । ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା । ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଶହୀଦ ରଘୁ-ଦିବାକର ଚିରସ୍ମରଣୀୟ ହୋଇରହିବେ ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଅତିଥି ଓ ବକ୍ତାମାନେ ଉଲ୍ଲେଖ କରିଛନ୍ତି । 

ଏହି ରାଜ୍ୟସ୍ତରୀୟ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଶହୀଦ ରଘୁଦିବାକରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ ଯେ ଅତ୍ୟାଚାରୀ ବ୍ରିଟିଶ ଶାସନ କବଳରୁ ରଣପୁରବାସୀଙ୍କୁ ମୁକ୍ତ କରାଇବା ପାଇଁ ଶହୀଦ ରଘୁଦିବାକରଙ୍କ ବଳିଦାନ ଓ ଆୟୋତ୍ସର୍ଗ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ । ଅତ୍ୟାଚାରୀ ଶାସନରୁ ମୁକ୍ତି ତଥା ସ୍ୱାଧୀନତା ଆଶାରେ ରଣପୁରରେ ପ୍ରଜା ଆନ୍ଦୋଳନ ହୋଇଥିଲା । 

ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଏହି ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ । ଦୁଇ ଯୁବ ବିଦ୍ରୋହୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା । । ମାନ୍ୟବର ବିଧାୟକ ରଣପୁର, ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଶହୀଦ ରଘୁଦିବାକରଙ୍କୁ ରଣପୁର ଅଞ୍ଚଳର ଗର୍ବ ଓ ଗୌରବ ବୋଲି ଅଭିହିତ କରି ତାଙ୍କ ଦେଶପ୍ରେମର ତୁଳନା ନାହିଁ ବୋଲି ମନ୍ତବ୍ୟ ରଖୁଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶହୀଦ ରଘୁଦିବାକରଙ୍କ ଆନ୍ଦୋଳନ ଯୋଗୁଁ ଅବହେଳିତ ଜନସାଧାରଣଙ୍କ ମନୋବଳ ତଥା ସଂଗ୍ରାମ ପାଇଁ ଉତ୍ସାହ ବୃଦ୍ଧି ପାଇଥିଲା ବୋଲି ପ୍ରକାଶ କରିଥିଲେ । 

ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସତ୍ୟବାଦୀ ବଳିଆର ସିଂ ଶହୀଦ ରଘୁଦିବାକରଙ୍କ ସାହସ ତଥା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରିବାର ଦକ୍ଷତା ଉପରେ ଆଲୋକପାତ କରିଥିଲେ । ବେଜେଗେଟ୍ ହତ୍ୟାକାଣ୍ଡ ପାଇଁ ଶହୀଦ ରଘୁଦିବାକରଙ୍କୁ ମିଥ୍ୟା ଅଭିଯୋଗରେ ଫାଶୀ ଦିଆଯିବା ବିଷୟରେ ସେ ଅବଗତ କରାଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ । ଇନ୍ଦ୍ରମଣି ତ୍ରିପାଠୀ ଶହୀଦ ରଘୁ-ଦିବାକରଙ୍କୁ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ଏବଂ ତାଙ୍କ ଦେଶପ୍ରେମର ତୁଳନା ନାହିଁ ବୋଲି ପ୍ରକାଶ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget