ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ସଦର, ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ଜଳସଂପଦ ବିଭାଗ ସଂପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଅଧ୍ବକାରୀମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀ ସଦର ବ୍ଲକ୍ ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ମାଳିସାହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ୫ କୋଟି ୪୦ ଲକ୍ଷ ଟଙ୍କା, ବ୍ରହ୍ମଗିରି ବ୍ଲକ୍ ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା, ବରୁଡ଼ି ଓ ଆମ୍ବପଡ଼ା ଅଞ୍ଚଳର କୃଷକମାନଙ୍କର ଦୀର୍ଘଦିନର ଦାବି ଥିବା ସୁନାମୁଖୀ ନଦୀର ବାଲି ହରଚଣ୍ଡୀଠାରେ ନଦୀଜଳ ନିୟନ୍ତ୍ରଣ ବ୍ୟବସ୍ଥା ନିର୍ମାଣ ପାଇଁ ୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ।
ବୈଷୟିକ କମିଟି ଦ୍ଵାରା କୃଷ୍ଣପ୍ରସାଦ ବ୍ଲକ୍ର ପିରିଜିପୁର ଏବଂ ମାଣିକା ପଞ୍ଚାୟତରେ ସମୁଦ୍ର ଜୁଆରକୁ ରୋକିବା ଉଦ୍ଦେଶ୍ୟରେ ନଡ଼ିଆଖୁଆ ଲୁଣାବନ୍ଧର ସୁରକ୍ଷା ପ୍ରାଚୀର ସୁଦୃଢ଼ୀକରଣ ପାଇଁ ୧୧ କୋଟି ୯୨ ଲକ୍ଷ ଟଙ୍କା ଏବଂ ଅରଖକୁଦା ଲୁଣାବନ୍ଧର ସୁଦୃଢ଼ୀକରଣ ଓ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ୨୭ କୋଟି ୭୩ ଲକ୍ଷ ଟଙ୍କା ଉକ୍ତ ବୈଠକରେ ସଂଜୁର କରାଯାଇଛି । ଯଥାଶୀଘ୍ର ଏହି କାର୍ଯ୍ୟଗୁଡ଼ିକ ଆରମ୍ଭ କରିବା । ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସମୀକ୍ଷା ବୈଠକରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ (ଡ୍ରେନେଜ୍) ଇଂ. ବାଲେଶ୍ୱର ନାଥ ସାହୁ, ଓସିସିଏଲ୍ର ପରିଚାଳନା ନିର୍ଦ୍ଦେଶକ ବିଭୁତିଭୂଷଣ ଦାସ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ, କେନ୍ଦ୍ରୀୟ ଜଳସେଚନ ସର୍କଲ ଇଂ. ବିଘ୍ନରାଜ ପୁରୋହିତ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଡ୍ରେନେଜ୍ ସର୍କଲ, ଭୁବନେଶ୍ଵର ଇଂ. ସନ୍ତୋଷ କୁମାର ସ୍ବାଇଁ, ଅଧୀକ୍ଷଣ ଯନ୍ତ୍ରୀ, ପୁରୀ ଜଳସେଚନ ଡିଭିଜନ୍ ଇଂ. ପ୍ରଶାନ୍ତ କୁମାର ଦାସ, ଅଧୀକ୍ଷଣ ଯନ୍ତ୍ରୀ, ଡ୍ରେନେଜ୍ ଡିଭିଜନ୍, ପୁରୀ ଇଂ. ଆଶିଷ ମିଶ୍ର, ବରିଷ୍ଠ ରାଜନେତା ତଥା ସମାଜସେବୀ ଶ୍ରୀ କେଦାରନାଥ ଜେନା, ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି, ଜଳସଂପଦ ବିଭାଗର ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Post a Comment