ଭୁବନେଶ୍ୱର, ଓଡ଼ିଶାର ଲୋକନାଟ୍ୟ ପରମ୍ପରାକୁ ବିକଶିତ କରିବା ସହିତ ଗୀତିନାଟ୍ୟ ମାଧ୍ୟମରେ ଓଡ଼ିଶାର ଲୋକକଳାକୁ ଜନମାନସରେ ଆଦୃତ କରିବାରେ ଆଦି ଗୀତିନାଟ୍ୟକାର ଲୋକ କବି ଜଗନ୍ନାଥ ପାଣିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କବିଙ୍କ ୧୮୭ତମ ଜୟନ୍ତୀ ଅବସରରେ ଭୁବନେଶ୍ବର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପୂର୍ବାହ୍ନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଆଦି ଗୀତିନାଟ୍ୟକାର ଜଗନ୍ନାଥ ପାଣି ସ୍ମୃତି ସଂସଦ ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସହଯୋଗରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସଂସ୍କୃତିମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲିକ, ଡଃ ଉପେନ୍ଦ୍ର ପ୍ରସାଦ ନାୟକ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ଅଧାପକ ଚନ୍ଦନ କୁମାର ଜେନା, ଅଧ୍ୟାପକ ବିଭୂତି ଭୂଷଣ ବଳବନ୍ତରାୟ, ଶ୍ରୀମତୀ କିଶୋରୀମଣି ନାୟକ, ଲୋକ କଳାସଂଗଠକ ମୁକୁନ୍ଦ ଶତପଥ, ମହାବିଦ୍ୟାଳୟ ଅଧ୍ୟାପକ ଅଧାପିକା, ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ୱର୍ଗତ ଜଗନ୍ନାଥ ପାଣି ରାଜ୍ୟର କଳା, ସଂସ୍କୃତି ଓ ଲୋକନାଟ୍ୟ ପରମ୍ପରାକୁ ବିକଶିତ କରିବାକୁ ନିଜ ସାହିତ୍ୟ କୃତି ମାଧ୍ୟମରେ ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହ ଗୀତିନାଟ୍ୟ ରଚନା କରି ତାହାକୁ ନାଟ୍ୟ ମଣ୍ଡଳୀ ମାଧ୍ୟମରେ ରାଜ୍ୟର ପୁରପଲ୍ଲୀରେ ପରିବେଷଣ କରି ନାଟ୍ୟ ପରମ୍ପରାକୁ ବିକଶିତ କରି ଏକ ନୂତନ ନାଟ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଆଦି ନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆସନ୍ତା ବର୍ଷରୁ କବିଙ୍କ ଜୟନ୍ତୀ ଓ ଶ୍ରଦ୍ଧାତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହଯୋଗରେ ଯାକଜମକରେ ଭକ୍ତିପୂର୍ଣ୍ଣ ପରିବେଶରେ ଆୟୋଜିତ କରାଯିବ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରିଥିଲେ ।
Post a Comment