loading...

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ସମୀକ୍ଷା ବୈଠକ

ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା । ଉପଭୋକ୍ତାଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ସମୀକ୍ଷା ବୈଠକ


ଭୁବନେଶ୍ୱର, ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା । ଉପଭୋକ୍ତାଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଛି । ସତର୍କ ଓ ସଚେତନ ରହିଲେ ଉପଭୋକ୍ତା ଠକାମିକୁ ଏଡ଼ାଇପାରିବ । ନୂତନ ଆଇନ ସଂପର୍କରେ ରାଜ୍ୟରେ ଉପଭୋକ୍ତାମାନଙ୍କୁ ସଚେତନ ଓ ଜାଗରୂକ କରିବା ଦିଗରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଅଧୁକ କ୍ରିୟାଶୀଳ ହେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଲୋକସେବା ଭବନଠାରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଖାଉଟିମାନଙ୍କ ମଧ୍ୟରେ ସେମାନଙ୍କର ଅଧୁକାର ସଂପର୍କରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଖାଉଟି ଠକାମିର ଶିକାର ହେଲେ ନିଜର ଅଭିଯୋଗକୁ କିପରି ଉଦ୍ଦିଷ୍ଟ ସଂଚରେ ଦାଖଲ କରି ତୁରନ୍ତ ନ୍ୟାୟ ପାଇପାରିବ ସେ ଦିଗରେ ପ୍ରତିଷ୍ଠାନ ତତ୍ପରତା ପ୍ରକାଶ କଲେ ନୂତନ ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ର ସୁଫଳ ମିଳିପାରିବ । 

ସଂପ୍ରତି ଅନ୍‌ଲାଇନ୍ ବ୍ୟବସାୟର ବହୁଳ ପ୍ରଚଳନ ଯୋଗୁଁ ଅସାଧୁ ଗ୍ରାହକଙ୍କ ଦ୍ବାରା ଗ୍ରାହକ ଠକାମିର ଶିକାର ହେବାର ଅଧୁକ ଆଶଙ୍କା ରହିଛି, ଯାହାର ନିରାକରଣ ଦିଗରେ ନୂତନ ଆଇନ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଖାଉଟିଙ୍କୁ ସଚେତନ କରିବା ପାଇଁ ଗଠିତ ରାଜ୍ୟ ଉପଭୋକ୍ତା ସଚେତନା ପ୍ରତିଷ୍ଠାନ ରାଜ୍ୟସ୍ତରୀୟ ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ ନିର୍ବାହ କରୁଥିବାବେଳେ ୨୦୨୦ରୁ ୨୦୨୨ ଅଦ୍ୟାବଧୂ ପ୍ରତିଷ୍ଠାନ ଦ୍ଵାରା ୯୮ଟି ଭର୍ଜୁଆଲ ଏବଂ ପ୍ରତ୍ୟକ୍ଷ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଉପଭୋକ୍ତା ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଉପଭୋକ୍ତା ସୁରକ୍ଷା କର୍ମୀ, ଯୁବବର୍ଗ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଏବଂ ଅଧ୍ୟାପକ, ଉପଭୋକ୍ତା ପରାମର୍ଶ କେନ୍ଦ୍ର, ପଞ୍ଚାୟତିରାଜ ଲୋକପ୍ରତିନିଧ, ବରିଷ୍ଠ ନାଗରିକ, ସେଚ୍ଛାସେବୀ ସଂଗଠନ, ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର କମିଶନ ଏବଂ ସରକାରୀ ପ୍ରତିଷ୍ଠାନର ୩୨ ହଜାର ୫୯ ଜଣ ଭାଗ ନେଇଥିଲେ । 

ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର କମିଶନ ପରିସରରେ ୨୧ଟି ଉପଭୋକ୍ତା ପରାମର୍ଶ କେନ୍ଦ୍ର କାର୍ଯ୍ୟ କରୁଛି । ଏହି ପରାମର୍ଶ କେନ୍ଦ୍ରରେ ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରୁଛି ଏବଂ କାର୍ଯ୍ୟକ୍ରମର ମାସିକ  ରିପୋର୍ଟ ପ୍ରତିଷ୍ଠାନକୁ ପ୍ରଦାନ କରୁଛି । ରିପୋର୍ଟଗୁଡ଼ିକୁ ପ୍ରତି ମାସରେ ବିଭାଗକୁ ପ୍ରେରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ନିର୍ଦ୍ଦେଶ ଦେଇଥିଲେ । ଉପଭୋକ୍ତା ପରାମର୍ଶ କେନ୍ଦ୍ର ଟୋଲ ଫ୍ରି ନମ୍ବର ଜରିଆରେ ଅପ୍ରେଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଉପଭୋକ୍ତାମାନଙ୍କଠାରୁ ୪୦୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଣୁ ମରୁ ରେସନ୍ କାର୍ଡ ଏବଂ ଧାନସଂଗ୍ରହ ସଂପର୍କରେ ୩୭୧୫ଟି ଅଭିଯୋଗ ମିଳିଥିବାବେଳେ ସେଗୁଡ଼ିକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଟୋଲ ଫ୍ରି ନମ୍ବର ୧୯୬୭କୁ ପ୍ରେରଣ କରାଯିବା ସହିତ ଉପଭୋକ୍ତାମାନଙ୍କୁ ସଂପୃକ୍ତ ମାର୍କେଟିଂ ଇନ୍ସପେକ୍ଟର ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । 

ଖାଉଟି ସମ୍ବନ୍ଧୀୟ ୩୫୧ଟି ଅଭିଯୋଗ ମଧ୍ୟରୁ ୨୫୨ଟିର ପରାମର୍ଶ ମାଧ୍ୟମରେ ସମାଧାନ କରାଯାଇପାରିଛି ଏବଂ ୧୦ଟି ଅଭିଯୋଗକୁ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର କମିଶନ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଉପଭୋକ୍ତାମାନଙ୍କର କୌଣସି ଅଭିଯୋଗ କିମ୍ବା ଅଧ୍ବକ ସୂଚନା ପାଇଁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୬୦ରେ ଫୋନ କିମ୍ବା ଇମେଲ୍ ଆଇଡି cacbbsr@gmail.com କିମ୍ବା sicafscw@gmail.comରେ ଜଣାଇ ପାରିବାର ବ୍ୟବସ୍ଥା କରାଯାଇଛି । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ଉପସଭାପତି ଶ୍ରୀ ଜ୍ୟୋତି କୁମାର ଲାକ୍ରା, ଯୁଗ୍ମ ସଚିବ ତଥା ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ଓଆଇସି ଶ୍ରୀ ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ପ୍ରତିଷ୍ଠାନର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget