କଟକ, ରେଭେନ୍ସା ପୂର୍ବ ଛାତ୍ରବାସ ପୁରାତନ ଛାତ୍ର ସଂଘ ଏବଂ ଆସୋଟେକ୍ ପ୍ରାଇଡ, ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶତାଧିକ ଛାତ୍ରଛାତ୍ରୀ ଜାତୀୟ ପତାକା, ତ୍ରିରଙ୍ଗା ବେଲୁନ ଧରି ରେଭେନ୍ସା କ୍ୟାମ୍ପସ ପରିକ୍ରମା କରିବା ପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଏକ ସୁସଜ୍ଜିତ ବେଲୁନ ଶୋ ପ୍ରଦର୍ଶନ କରିଥିଲେ l ସ୍ୱାଧୀନତାର ଅମୃତ ମହୋତ୍ସବକୁ ଚିରସ୍ଥାୟୀ କରିବାକୁ ୭୫ ଟି ବୃକ୍ଷ ରୋପଣ କରାଯାଇଥିଲା l ଏହାପରେ ରସାୟନ ବିଜ୍ଞାନ ବିଭାଗ ସମ୍ମିଳନୀ କକ୍ଷରେ ସ୍ୱାଧୀନତା ବିପ୍ଳବରେ ରେଭେନ୍ସାର ଭୂମିକା ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l
ଏଇ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ପ୍ରଫେସର ହରିହର ପଣ୍ଡା ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ରେଭେନ୍ଶା ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରମାକାନ୍ତ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ଦେଶସେବା ପାଇଁ ଅନୁପ୍ରାଣିତ କରିଥିଲେ l ଓଡିଶା ଖଣି ଏବଂ ଇସ୍ପାତ ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏକ ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ସେବା ଏବଂ ସମୟାନୁବର୍ତ୍ତିତା ମନୋଭାବ ନେଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ l
ଛାତ୍ରାଵାସର ତତ୍ୱାବଧାରକ ପ୍ରଫେସର ପୁର୍ଣ୍ଣେନ୍ଦୁ ପାଢ଼ୀ ଏହି ସଭାରେ ସଭାପତିତ୍ୱ କରିଥିଲେ l ପୂର୍ବ ଛାତ୍ରବାସ ପୁରାତନ ଛାତ୍ରସଂଘର ସଂଗଠନ ସଂପାଦକ ସୌଭାଗ୍ୟ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରବାସର ଅନ୍ତେବାସୀ ନିଶାନ୍ତ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ଶ୍ରୀ ପ୍ରତାପ କୁମାର ମହାନ୍ତି ଏବଂ ଆସୋଟେକ୍ ପ୍ରାଇଡ, ଭୁବନେଶ୍ଵରର ସହ ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ରାଉତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ଶ୍ରୀ ତୃପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦୀପକ ରାଉତ, ଗୌରବ ମଲ୍ଲିକ, ଗିରିଜା ଭୂଷଣ ସ୍ୱାଇଁ, ଅମ୍ବିକା ଦାଶ, ରାକେଶ ଦୁପର,କମଳ ଜ୍ୟୋତି ଦାସ ଓ ଦେବାପ୍ରିୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l
Post a Comment