loading...

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ ଆଦିବାସୀ ଚିତ୍ରଶିଳ୍ପୀମାନଙ୍କୁ କଳାର ମୁଖ୍ୟ ସ୍ରୋତକୁ ଆଣିବାକୁ ଏକାଡ଼େମୀର ପ୍ରୟାସ

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ


ନୂଆଦିଲ୍ଲୀ, ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରଠାରେ ଅବସ୍ଥିତ ଭିଜୁଆଲ୍ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ । ପ୍ରଦର୍ଶନୀକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଦିବାସୀ ଚିତ୍ରକଳାର ବିକାଶ ସହିତ ଶିଳ୍ପୀମାନଙ୍କୁ ଆଧୁନିକ କଳା ସ୍ରୋତରେ ସାମିଲ କରେଇବା ପାଇଁ ଲଳିତ କଳା ଏକାଡ଼େମୀର ପ୍ରୟାସକୁ ପ୍ରଶଂସା କରିଥିଲେ । 

ଏହି ଅବସରରେ ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଗତ ଜୁଲାଇ ମାସରେ ବାଙ୍ଗାଲୋର ଠାରେ ଆଦିବାସୀ ଶିଳ୍ପୀମାନଙ୍କ ଶିବିର ସହିତ ପ୍ରଦର୍ଶନୀ ଓ ଏବେ ଦିଲ୍ଲୀରେ ସେଗୁଡ଼ିକର ପ୍ରଦର୍ଶନୀ କରି ଆଦିବାସୀ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ସୃଜନଶୀଳ କଳାକୁ ଉତ୍ତମ ସମ୍ମାନ ଦେବାପାଇଁ ଏକାଡ଼େମୀ ପ୍ରୟାସ କରିଥିବା ପ୍ରକାଶ କରିଥିଲେ । ଏକାଡ଼େମୀର କାର୍ଯ୍ୟକାରୀ ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । 

ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ତଥା ଉପସ୍ଥିତ ଶିଳ୍ପୀମାନଙ୍କୁ ସ୍ଵାଗତ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ପ୍ରମୁଖ ଆଦିବାସୀ ଚିତ୍ର ସୌରା ଚିତ୍ରକଳା ସହିତ ରାଜ୍ୟର ଅନ୍ୟ ଜନଜାତୀ ମାନଙ୍କ ଚିତ୍ରକଳା ସ୍ଥାନ ପାଇଥିଲା । ମୋଟ ୪୦ଟି ଚିତ୍ରକଳା ମଧ୍ୟରୁ କିଛି ମୌଳିକ ଆଦିବାସୀ ଚିତ୍ରକଳା ଥିବା ବେଳେ ଅନ୍ୟ କିଛି ଚିତ୍ର ଆଧୁନିକତାର ସ୍ପର୍ଶରେ ବେଶ ବଳିଷ୍ଠ ହୋଇଥିଲା । ଚିତ୍ରଗୁଡିକରେ ଆଦିବାସୀ ମାନଙ୍କର ଜୀବନ ଜାପନ ଶୈଳୀ, ଫସଲ ଅମଳ, ବିଲ ବେଉଷଣ, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ, ନାଚରେ ମସଗୁଲ ଆଦିବାସୀ, ପ୍ରକୃତିର ଚିତ୍ରଣ ସହ ଜୀବଜନ୍ତୁଙ୍କ ଚିତ୍ର ବେଶ ଆକର୍ଷଣୀୟ ହୋଇଥିଲା । 

କିଛି ଚିତ୍ରରେ ଆଦିବାସୀ ମାନଙ୍କର ପୂଜା ପାର୍ବଣକୁ ନେଇ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଦିଲ୍ଲୀରେ ରହୁଥିବା ବହୁ ଓଡିଆ ଚିତ୍ରଶିଳ୍ପୀ ଓ କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଶିଳ୍ପୀ ଓ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget